ହେଡଲାଇନସ୍:

ମେ ୯ରେ ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କ ନିମନ୍ତେ ଲୋକ ଅଦାଲତ ଏବଂ ସ୍ୱତନ୍ତ୍ର ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବ୍ରହ୍ମପୁର, ମଇ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ଆସନ୍ତା ୯ ତାରିଖରେ ଦ୍ୱିତୀୟ ଜାତୀୟ ଲୋକ ଅଦାଲତ ଓ ପ୍ରବର୍ତ୍ତନ ସମାଧାନ ଶିବିର ଅନୁଷ୍ଠିତ ହେବ । ଉପଭୋକ୍ତାଙ୍କ ଦ୍ୱାରା ଅନଧିକୃତ ବିଦ୍ୟୁତ ବ୍ୟବହାର ତଥା ବିଦ୍ୟୁତ ଚୋରି ସମ୍ୱନ୍ଧୀୟ ମାମଲାର ସମାଧାନ ନିମନ୍ତେ ଏହି ଶିବିରର ଆୟୋଜନ କରାଯାଉଛି । ଏଠାରେ ଦୀର୍ଘ ଦିନ ଧରି ବିଚାରାଧୀନ ଥିବା ମାମଲାଗୁଡ଼ିକର ଏକକାଳୀନ ସମାଧାନ କରାଯିବ ।


ଏହି ଲୋକ ଅଦାଲତ ଏବଂ ସମାଧାନ ଶିବିର ଏକକାଳୀନ ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ସହିତ ଟିପିଏସ୍ଓଡିଏଲର ଡିଭିଜନ, ସବ୍ ଡିଭିଜନ୍, ସେକ୍ସନ ଅଫିସ୍, ପ୍ରବର୍ତ୍ତନ କାର୍ଯ୍ୟାଳୟ ଏବଂ ନିର୍ଦ୍ଦିଷ୍ଟ କୋର୍ଟ ପରିସରରେ ଅନୁଷ୍ଠିତ ହେବ। ସେହିଭଳି ଗ୍ରାହକମାନେ ବିଚାରାଧୀନ ପ୍ରବର୍ତ୍ତନ ମାମଲାକୁ ସୁବିଧାଜନକ ଏବଂ ସ୍ୱଚ୍ଛ ଭାବରେ ସମାଧାନ କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ଉକ୍ତ ଦିନ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ପ୍ରବର୍ତ୍ତନ ଏବଂ ସମାଧାନ ଶିବିରରେ ସମାଧାନ କରିପାରିବେ। ଏହି ଶିବିରଗୁଡ଼ିକ ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ଉପଭୋକ୍ତାମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚି ମାର୍ଗଦର୍ଶନ ଓ ସହାୟତା ପାଇପାରିବେ ।


ଟିପିଏସ୍ଓଡିଏଲର ଏଭଳି ପଦକ୍ଷେପ ଦାୟିତ୍ୱପୂର୍ଣ୍ଣ ବିଜୁଳି ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହ କାର୍ଯ୍ୟାନ୍ୱୟନ ସମ୍ୱନ୍ଧୀୟ ମାମଲାଗୁଡ଼ିକର ସମାଧାନକୁ ଶୃଙ୍ଖଳିତ କରିବାରେ ସହାୟକ ହେବ । ବିଜୁଳି ବ୍ୟବହାରରେ ସ୍ୱଚ୍ଛତା ଓ ନିୟମିତତା ରକ୍ଷା ହେବା ସହ ଉପଭୋକ୍ତା ଅନୁକୂଳ ବ୍ୟବସ୍ଥା ସ୍ଥାପିତ ହୋଇପାରିବ । ପ୍ରବର୍ତ୍ତନ ଅଧିକାରୀ, ଆଇନ ବିଶେଷଜ୍ଞ ଓ ଉପଭୋକ୍ତା ସହାୟତା କର୍ମଚାରୀମାନଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଦଳ ଲୋକ ଅଦାଲତରେ ଉପସ୍ଥିତ ରହି ଉପଭୋକ୍ତାମାନଙ୍କୁ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବେ ।


ଲୋକ ଅଦାଲତ ସମ୍ପର୍କିତ ସବିଶେଷ ସୂଚନା, ଯେପରି, ଜିଲାଓ୍ୱାରୀ ବ୍ୟବସ୍ଥା, ଯୋଗ୍ୟ ମାମଲାର ବର୍ଗୀକରଣ, ପର୍ଯ୍ୟାୟ କ୍ରମେ ମାର୍ଗଦର୍ଶନ ଇତ୍ୟାଦି ଟିପିଏସ୍ଓଡିଏଲର କାର୍ଯ୍ୟାଳୟରେ ମିଳିବ । ଗ୍ରାହକମାନେ ଅତିରିକ୍ତ ସୁବିଧା ନିମନ୍ତେ କମ୍ପାନୀର ଗ୍ରାହକ ସମ୍ପର୍କ କେନ୍ଦ୍ର (ସିଆରସି) ସହ ଯୋଗାଯୋଗ କରିପାରିବେ । ସେହିଭଳି ଟିପିଏସ୍ଓଡିଏଲର ଟୋଲ୍ ଫ୍ରି ନମ୍ବର ୧୮୦୦-୨୦୨୬ କିମ୍ବା ୧୯୧୨ ମାଧ୍ୟମରେ ମଧ୍ୟ ଉପଭୋକ୍ତାମାନେ ଏ ବାବଦରେ ସମସ୍ତ ସୂଚନା ପାଇ ପାରିବେ।


ଟିପିଏସ୍ଓଡିଏଲ୍ ନିଜର ସମସ୍ତ ଗ୍ରାହକମାନଙ୍କୁ ଏହି ସୁଯୋଗର ଲାଭ ଉଠାଇବାକୁ ନିବେଦନ କରୁଛି । ଲୋକ ଅଦାଲତରେ ମାମଲାର ସମାଧାନ କରି ଉପଭୋକ୍ତାମାନେ ଗୁଣାତ୍ମକ ବିଜୁଳି ସେବା ପାଇପାରିବେ । ଏହାଦ୍ୱାରା ସମଗ୍ର ଦକ୍ଷିଣ ଓଡ଼ିଶାରେ ଉପଭୋକ୍ତା ଅନୁକୂଳ ତଥା ସୁରକ୍ଷିତ ବିଜୁଳି ସେବା ଯୋଗାଣ ସୁନିଶ୍ଚିତ ହୋଇପାରିବ ।


କମ୍ପାନୀ ଏହି ଲୋକ ଅଦାଲତ ଶିବିର ମାଧ୍ୟମରେ ଉପଭୋକ୍ତାକୈନ୍ଦ୍ରିକ ସେବା ସାଙ୍ଗକୁ ଆଇନଗତ ବିଦ୍ୟୁତ ବ୍ୟବହାରର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ ରହିଛି ।

0
0
0
s2sdefault