ହେଡଲାଇନସ୍:

ଭିନ୍ନକ୍ଷମ ଅଧିକାର ଆଇନ, ୨୦୧୬ ଉପରେ ସଚେତନତା ଶିବିର ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସୁବର୍ଣ୍ଣପୁର,୭୫(ପ୍ରକାଶ କୁମାର ହାତୀ ) ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନ ଠାରେ ଭିନ୍ନକ୍ଷମ ଅଧିକାର ଆଇନ, ୨୦୧୬ ଉପରେ ଏକ ସଚେତନତା ଶିବିର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏହି ଶିବିରରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ବ୍ରତତି ହରିଚନ୍ଦନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ବଳ ବ୍ୟକ୍ତିତ୍ୱ ଆର୍. କେ. ଶର୍ମା ଆଇନ ସମ୍ପର୍କରେ ଉପସ୍ଥିତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କୁ ଅବଗତ କରାଇବା ସହ ଏହାକୁ କିପରି ଲାଗୁ କରାଯିବ, ସେ ବିଷୟରେ ଆଲୋଚନା କରାଯାଇଥିଲା।

ଓଡିଶା ସରକାର ଏହି ନିୟମକୁ ୨୦୧୮ ମସିହାରେ ଲାଗୁ କରିଥିଲେ। ଶିବିରରେ ସଚେତନ କରାଯାଇଥିଲା ଯେ ୨୧ ପ୍ରକାରର ଭିନ୍ନକ୍ଷମତା ଅଛି। ତନ୍ମଧ୍ୟରୁ ୧୪ ପ୍ରକାରର ଭିନ୍ନକ୍ଷମତା ରୋଜଗାର ଓ ଚାକିରୀରେ ଆରକ୍ଷଣ ରହିଛି। ଚାକିରୀରେ ଶତକଡା ୪ ଭାଗ ଆରକ୍ଷଣ ପାଇଁ ରଖାଯାଇଛି। ଏହାଛଡା ପ୍ରତି ଘଣ୍ଟାରେ ୨୦ ମିନିଟ ଅତିରିକ୍ତ ସମୟ ପରୀକ୍ଷାରେ ପ୍ରଶ୍ନର ଉତ୍ତର ଦେବା ପାଇଁ ମିଳିଥାଏ। ଭିନ୍ନକ୍ଷମମାନଙ୍କୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କଲେ ୫ ଜଣରେ ଏକ ଗୋଷ୍ଠୀ ଗଠିତ ହେବ। କୌଣସି ଚାକିରୀ ପାଇଁ ଆବେଦନ କଲେ ବୟସ ସୀମାରେ ୧୦ ବର୍ଷ ପର୍ଯ୍ୟନ୍ତ କୋହଳ ରହିଛି।

ଏତଦ୍‌ବ୍ୟତୀତ କୌଣସି ବ୍ୟକ୍ତି ବିଶେଷ ଯଦି ଭିନ୍ନକ୍ଷମ ଆଇନର ଉଲ୍ଲଂଘନ କରନ୍ତି, ତାଙ୍କୁ ଅତିକମରେ ୬ ମାସର ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କାର ଆର୍ଥିକ ଜରିମାନା ଦେବାକୁ ପଡିବ।

ଜିଲ୍ଲାରେ ଏକ ଭିନ୍ନକ୍ଷମ ଅଧିକାର ସମିତି ବୈଠକ ପ୍ରତି ୧-୩ ମାସରେ ଥରେ ବସିବା ଆବଶ୍ୟକ ବୋଲି ଶିବିରରେ ପ୍ରକାଶ ପାଇଥିଲା। ଏହି ସମିତି ବୈଠକରେ ଭିନ୍ନକ୍ଷମମାନେ ନିଜ ନିଜର ଅସୁବିଧା ଜଣାଇ ପାରିବେ।

ଶିବିରରେ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ନିଜ ନିଜର କାର୍ଯ୍ୟାଳୟକୁ କିପରି ଭିନ୍ନକ୍ଷମମାନେ ସହଜରେ ପହଞ୍ଚି ପାରିବେ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା।

ଏହି ଶିବିରରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳୀନା ପ୍ରଧାନ, ଉପଜିଲ୍ଲାପାଳ ସୋନପୁର ଡ଼. ସୌମ୍ୟରୂପା ରଥ, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଉଷାରାଣୀ ଦାସ, ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ଓଏସଡି ଦେବୀ ପ୍ରସାଦ ବାରିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ସଡ଼ଙ୍ଗୀ, ସାଂକେତିକ ଭାଷା ଅନୁବାଦକ ଦେବାଶିଷ ପଣ୍ଡା ସହ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ସମ୍ପର୍କିତ ବିଭିନ୍ନ ଏନଜିଓ ର ପ୍ରତିନିଧି ଉପସ୍ଥିତ ଥିଲେ। ଏହି ଶିବିରକୁ ତରଭା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର କର୍ଣ୍ଣ ପରିଚାଳନା କରିଥିଲେ। ପରିଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଆଞ୍ଜୁଲତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault