ଗଣମାଧ୍ୟମରେ ବାହାରିଲେ ଆଖିରେ ପଡୁନି,ବିଧାନସଭାରେ କଥା ଉଠିଲେ ବି କାନକୁ ଶୁଭୁନି !
କେନ୍ଦୁଝର: କେନ୍ଦୁଝର ଜିଲ୍ଲା, ବାଂଶପାଳ ବ୍ଳକ୍,କୋଡିପଶା ପଞ୍ଚାୟତ ର ଘୁଙ୍ଗି ଗାଁ ର ଚିତ୍ର। ଅନାଥ ପିଲା ରହୁଛନ୍ତି ପଡିଶା ଲୋକଙ୍କ ସାହାରାରେ। ବିଧାୟକ ଡଃ ଅରୁଣ କୁମାର ସାହୁ ନିକଟ ଅତୀତରେ ଶେଷ ହୋଇଥିବା ବିଧାନସଭା ଅଧିବେଶନରେ ଏ ପ୍ରସଙ୍ଗ ପ୍ରତି ଗୃହର ଧ୍ୟାନ ଆକର୍ଷଣ କରିଥିଲେ। କହିବା ବେଳକୁ ସାତ ଡିସେମ୍ବର ର " ପ୍ରଗତିବାଦୀ" ରେ ପ୍ରକାଶିତ " ଭୋକ ବିଳାସ ଓ ଜୁଆଙ୍ଗ ପିଲାଙ୍କ କଥା" ଶୀର୍ଷକ ଏକ ପ୍ରବନ୍ଧକୁ ଉପରକୁ ଟେକି ଗୃହରେ ଦେଖାଇଥିଲେ। ଏହା ମଧ୍ୟ କହିଲେ - "ଦୟାକରି ଏହାକୁ ନିଶ୍ଚିତ ପଢନ୍ତୁ। ଆଖି ଖୋଲି ଯିବ।" ଜଣା ନାହିଁ କିଏ ପଢ଼ିଲେ କି ନାହିଁ। ସେ ଘୁଙ୍ଗି ଗାଁର ବିଧାୟକ ସ୍ଵୟଂ ଲୋକଙ୍କ ମୁଖ୍ୟମନ୍ତ୍ରୀ ବି ପଢ଼ିଲେ କି ନାହିଁ, ତାହା ମଧ୍ୟ ଜଣା ନାହିଁ। ଆଶା କରାଯାଉଥିଲା, କେହି ପଢନ୍ତୁ କି ନ ପଢନ୍ତୁ, ମୁଖ୍ୟମନ୍ତ୍ରୀ, ତୃତୀୟ ମହଲାର ଅଧିକାରୀ ବୃନ୍ଦ, ବିଭାଗୀୟ ମନ୍ତ୍ରୀ, ବିଭାଗୀୟ ସଚିବ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ସାଙ୍ଗକୁ ଜିଲ୍ଲାପାଳ ନିଶ୍ଚିତ ପଢିବେ। କିନ୍ତୁ, ସେପରି ଲାଗୁ ନାହିଁ।
ଇତିମଧ୍ୟରେ ବାର, ପନ୍ଦର ଦିନ ବିତିଗଲାଣି। ପ୍ରସଙ୍ଗ ଥିଲା " ପଡିଶା ଘର ଭରସାରେ ଅନାଥ ପିଲା" । ଏହା ନିଶ୍ଚିତ ଭାବେ ଏକ ସ୍ପର୍ଶକାତର ବିଷୟ। ବାପ, ମା' ଛେଉଣ୍ଡ ଚାରି ଭାଇ, ଭଉଣୀ। ଆଦିବାସୀ ସମ୍ପ୍ରଦାୟର ଜୁଆଙ୍ଗ ବର୍ଗର। ବଡ ପିଲାର ବୟସ ବାର ବର୍ଷ। ସାନ ପିଲାର ବୟସ ମାତ୍ର ଛଅ ବର୍ଷ।
ରୋଜଗାର ବୋଲି କିଛି ନାହିଁ। ଚାଷ ନାହଁ। ନିଜେ ରୋଜଗାର କରିବାର ବୟସ ବା ଶକ୍ତି ତାଙ୍କ ପାଖରେ ନାହିଁ। ମାସକୁ ପଞ୍ଚତିରିଶି କିଲୋ ଚାଉଳ ପାଆନ୍ତି। ଏହାହିଁ ତାଙ୍କର ସମ୍ବଳ। ଆଉ କିଛି ନାହିଁ। ଏ ଚାଉଳ ପୁଣି ମାସ ଯାକର ଭାତ ପାଇଁ ଅଣ୍ଟେ ନାହିଁ। ପଡିଶା ଙ୍କ ହାତକୁ ଅନାଇ ଥାନ୍ତି। ଏ ପିଲାମାନେ ରହୁଥିବା ଘରଟି ମଧ୍ୟ ଭଙ୍ଗା, ଦଦରା। ବିପଦପୂର୍ଣ୍ଣ। ଜଙ୍ଗଲ, ପାହାଡ ଘେରା ଅଞ୍ଚଳ। ସବୁବେଳେ ସାପ, ସରିସୃପ ର ଭୟ।
ଆଜି ପର୍ଯ୍ୟନ୍ତ ଏ ଅନାଥ ପିଲାଙ୍କୁ କିଛି ସରକାରୀ ସାହାୟତା ମିଳିଲା ନାହିଁ। କେହି ଜଣେ ସରକାରୀ ବାବୁ ଆସିଥିଲେ। କହିକି ଗଲେ - ଆଧାର କାର୍ଡ ବନାଇଲେ, ସରକାରୀ ସାହାଯ୍ୟ ମିଳିବ।
ଏ କଥା ଜାଣିବା ପରେ, ସ୍ଵେଚ୍ଛାସେବୀ ଅନୁଷ୍ଠାନ " ଆଶା" ର ସଭ୍ୟ ଶ୍ରୀ ଡମ୍ବରୁଧର ଘଣା ପ୍ରଶ୍ନ ଉଠାଇଛନ୍ତି - ତେବେ ଭୋକ ଉପାସରେ ରହୁଥିବା, ଖାଇବା ପାଇଁ ପଡିଶା ଘର ଉପରେ ନିର୍ଭର କରୁଥିବା ବାପ, ମା' ଛେଉଣ୍ଡ ପିଲା କୈ।ଣସି ସରକାରୀ ସାହାଯ୍ୟ ପାଇବେ ନାହିଁ, ଯେତେ ପର୍ଯ୍ୟନ୍ତ ତାଙ୍କର ଆଧାର କାର୍ଡ ନ ହୋଇଛି ? ତାଙ୍କୁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ମିଳିବ ନାହିଁ । ତାଙ୍କ ଘର ମରାମତି ହେବ ନାହିଁ। ତାଙ୍କୁ ନୂଆ ଘର ମିଳିବ ନାହିଁ। କାରଣ ତାଙ୍କର ଆଧାର କାର୍ଡ ନାହିଁ। ଏ କ'ଣ ଆଇନ୍? ଏ କ'ଣ ଏକ ଜନ ମଙ୍ଗଳ ରାଜ୍ୟର ଆଭିମୁଖ୍ୟ ? ସମ୍ବିଧାନର ଧାରା ୨୧ ଅନୁଯାୟୀ ସରକାର ଦେଖିବେ - ଯେପରି
କୈ।ଣସି ନାଗରିକ ଭୋକରେ ମୃତ୍ୟୁ ମୁଖରେ ନ ପଡନ୍ତି। ସମସ୍ତଙ୍କୁ ଖାଦ୍ୟ, ବସ୍ତ୍ର ଓ ବାସସ୍ଥାନ ସୁନିଶ୍ଚିତ କରିବା ସରକାରଙ୍କ ମୂଳ କର୍ତ୍ତବ୍ୟ। ସେତିକି ବେଳେ, ଏ ଆଧାର କାର୍ଡ ବାଧକ ସାଜିଲା କେମିତି ?
ଆର୍ଥିକ ସହାୟତା ବା ଘର ଦେବାର ବ୍ୟବସ୍ଥା ର ଆଧାର କାର୍ଡ ଏକ ଆବଶ୍ୟକ ପରିଚୟପତ୍ର ମାତ୍ର। ଏହା ସବୁ କିଛି ନୁହେଁ। ପରିଚୟ ଯୋଗାଇଦେବାକୁ ତ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଓ୍ଵାର୍ଡ ମେମ୍ବର, ସ୍କୁଲ ଶିକ୍ଷକ ଅଛନ୍ତି। ଏମାନଙ୍କ ଠାରୁ ପ୍ରମାଣପତ୍ର ନେଇ ଜିଲ୍ଲା ପ୍ରଶାସନ କ'ଣ ପିଲାଙ୍କୁ କିଛି ଆର୍ଥିକ ସାହାଯ୍ୟ, ପୋଷାକ ବା ଆବଶ୍ୟକ ହେଉଥିବା ଆଉ କିଛି ଚାଉଳ ଦେଇ ପାରିବେ ନାହିଁ ? ତେବେ, ଯେଉଁ ଲୋକର ଆଧାର କାର୍ଡ ନାହିଁ, ସେ କ'ଣ ଭୋକରେ ମରିବ? ଏମିତି ପ୍ରଶ୍ନ ପଚାରିଛନ୍ତି ଶ୍ରୀ ଘଣା। ଖାଦ୍ୟ, ବସ୍ତ୍ର ଓ ଘର ପ୍ରତି ନାଗରିକର ମୌଳିକ ଅଧିକାର ହୋଇଥିବା ବେଳେ, ଜିଲ୍ଲା ପ୍ରଶାସନ ଆଧାର କାର୍ଡ ନଥିବାର ଆଳ ଦେଖାଇ ଏ ଅନାଥ ପିଲାଙ୍କୁ କୈ।ଣସି ସହାୟତା ଯୋଗାଇ ନ ଦେବା, ପିଲାଙ୍କ ଗରିବୀ ପ୍ରତି ଏକ ଉପହାସ ବୋଲି ସେ କହିଛନ୍ତି। ଏହା ସହିତ ସେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଏ ଦିଗରେ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି।
" ଆଶା" ତରଫରୁ ପିଲାଙ୍କୁ ଶୀତବସ୍ତ୍ର ଓ କିଛି ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି। ପିଲାଙ୍କ ଆଧାର କାର୍ଡ ପାଇଁ "ଆଶା" ତରଫରୁ ଉଦ୍ୟମ କରାଯାଉଛି।











