ହେଡଲାଇନସ୍:

ସରଗିତଳିଆକୁ ପହଞ୍ଚିଲା ଡାକ୍ତରୀ ଟିମ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଶିଶୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଟୀକାକରଣ କେନ୍ଦ୍ର ପାଇଁ ନିଷ୍ପତ୍ତି

ଯୋଡା, (ପାର୍ଥ ସାରଥି ଷଡ଼ଙ୍ଗୀ) ଯୋଡା ପୌରପାଳିକା ଅନ୍ତର୍ଗତ ୧୩ ନଂ ୱାର୍ଡର ସରଗିତଳିଆ ଠାରେ ୩୦ରୁ ଉର୍ଦ୍ଧ୍ଵ ଶିଶୁ ଅପପୃଷ୍ଟିରେ ଶିକାର ହେବା ଆଶଙ୍କା ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି । ରବିବାର ପୂର୍ବାହ୍ନ ସମୟରେ ଏକ ଡାକ୍ତରୀ ଟିମ୍ ଉକ୍ତ ୱାର୍ଡକୁ ପହଞ୍ଚି ଶିଶୁମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଅନୁଧ୍ୟାନ କରିଛନ୍ତି । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଅଧିକାରୀ ଡାକ୍ତର ଲକ୍ଷ୍ମୀକାନ୍ତ ସିଂହଙ୍କ ସୂଚନା ଅନୁଯାୟୀ,ଉକ୍ତ ୱାର୍ଡର ଶିଶୁ ମାନେ ଟୀକାଦାନ ନେଇ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି । ଟୀକାକରଣ ପାଇଁ କମାରଯୋଡା ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାୟ ୬ ରୁ ୭ କିଲୋମିଟର ଦୂର ଯିବା ପାଇଁ ପଡୁଥିବାରୁ ଅଧିକାଂଶ ଶିଶୁ ଟୀକାକରଣରୁ ବଞ୍ଚିତ ହେଉଛନ୍ତି । ଏଥିପାଇଁ ଆସନ୍ତା ଏକ ସପ୍ତାହ ମଧ୍ୟରେ ଉକ୍ତ ୱାର୍ଡରେ ଟୀକାକରଣ କେନ୍ଦ୍ର କରାଯିବା ସହିତ ସମସ୍ତ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯିବ । ପୃଷ୍ଟିହୀନ ଶିଶୁ ଚିହ୍ନଟ ହେଲେ ପୃଷ୍ଟିସାଧନ କେନ୍ଦ୍ରକୁ ପଠାଯିବ ବୋଲି ସେ କହିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରୀ ଟିମ୍ ସହିତ ବାସୁଦେବପୁର ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତରୀ ଟିମ୍ ଓ ଯୋଡା ପୌରପାଳିକା ଅଧିକାରୀ ମାନେ ଏହି ଅନୁଧ୍ୟାନ କରିଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଡିସନାଲ ଡିଷ୍ଟ୍ରିକ୍ଟ ପବ୍ଲିକ ହେଲଥ ଅଫିସର (ଏଡିପିଏଚଓ) ଡାକ୍ତର ପ୍ରଣତିନୀ ନାଏକ,ବାସୁଦେବପୁର ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସକ ଡାକ୍ତର ଏଲ.କେ.ସିଂହଙ୍କ ସହ ଟିମ୍ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରିଥିବା ବେଳେ ଯୋଡା ପୌରପାଳିକା ପକ୍ଷରୁ ଖେପା ସିଂହ,ରାମଚନ୍ଦ୍ର ପାତ୍ର,ଖୁଣ୍ଟପାଣି ଅଙ୍ଗନୱାଡି କର୍ମୀ ଚୁଡାମଣୀ ବାରିକ ଓ ସ୍ଥାନୀୟ ଆଶା ଦିଦି ଉପସ୍ଥିତ ରହିଥିଲେ । ମାସର ଗୋଟିଏ ଦିନ ଏହି ଅଞ୍ଚଳରେ ଟୀକାକରଣ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ବୃଦ୍ଧା ସୁଦୁରୁ ମୁଣ୍ଡାଙ୍କ ପୁଅ ମୃତ୍ୟୁ ପରେ ଅନୀରାମ ମୁଣ୍ଡା (୭),ଜୟପାଲ ମୁଣ୍ଡା (୫) ଓ ସୋନାଲୀ ମୁଣ୍ଡା (୩) ତିନୋଟି ଶିଶୁଙ୍କ ଭରଣପୋଷଣ କରିବା କଷ୍ଟସାଧ୍ୟ ହୋଇପଡିଥିବା ବେଳେ ସୋମବାର ଯୋଡା ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀଙ୍କ ନେତୃତ୍ୱରେ ଚାଇଲ୍ଡ ଲାଇନ ଶିଶୁମାନଙ୍କୁ ଥଇଥାନର ବ୍ୟବସ୍ଥା କରିବେ ବୋଲି ଜଣାଯାଇଛି । ସୂଚନାଯୋଗ୍ୟ,ଖଣି ଖାଦାନ ବହୁଳ ଯୋଡା ପୌରାଞ୍ଚଳର ୧୩ ନଂ ୱାର୍ଡ ତଳସାହିରେ ବସବାସ କରୁଥିବା ଜନଜାତି ମାନଙ୍କର ଜୀବନଧାରଣର ମାନ ସ୍ୱଚ୍ଛଳ ନଥିବା ବେଳେ ଅଭାବ ଅସୁବିଧାରେ କାଳତିପାତ କରୁଛନ୍ତି । ପୃଷ୍ଟିକର ଖାଦ୍ୟ ଅଭାବରୁ ଏଠାରେ ଶିଶୁ ଦୁର୍ବଳର ଶିକାର ହେଉଥିଲେ ।

 ପୂର୍ବରୁ ପ୍ରକାଶିତ ହୋଇଥିଲା ....

http://shasakprashasak.com/index.php/state/32789-2023-04-09-20-09-39 

0
0
0
s2sdefault