ହେଡଲାଇନସ୍:

ବିଶ୍ୱ ରକ୍ତଦାନ ଦିବସ ଅବସରରେ ଟିପିଏସ୍ଓଡିଏଲ ତରଫରୁ ରକ୍ତଦାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବ୍ରହ୍ମପୁର, ଜୁନ୍ : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ସମୁଦାୟର କଲ୍ୟାଣ ଓ କର୍ମଚାରୀଙ୍କ ସ୍ୱେଚ୍ଛାକୃତ ସେବା କାର୍ଯ୍ୟ ପ୍ରତି ଥିବା ତା’ର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଛି । ଏହି କ୍ରମରେ ବିଶ୍ୱ ରକ୍ତଦାନ ଦିବସ ଅବସରରେ ଭଞ୍ଜନଗର ସର୍କଲ ଅଫିସ ନିକଟସ୍ଥ ଘୁମୁସର କ୍ଲବରେ ଟିପିଏସ୍ଓଡିଏଲ୍ ତରଫରୁ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ପ୍ରତି ବର୍ଷ ଜୁନ ୧୪ ତାରିଖରେ ବିଶ୍ୱ ରକ୍ତଦାନ ଦିବସ ପାଳନ କରାଯାଏ । ଯାହାର ଉଦ୍ଦେଶ୍ୟ ହେଉଛି ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହନ କରିବା ଏବଂ ରକ୍ତଦାନର ଜୀବନ ରକ୍ଷାକାରୀ ଗୁରୁତ୍ୱ ସଂପର୍କରେ ଜନସଚେତନତା ସୃଷ୍ଟି କରିବା । ଆୟୋଜିତ ଶିବିରରେ ଟିପିଏସ୍ଓଡିଏଲର କର୍ମଚାରୀ, ବ୍ୟାବସାୟିକ ସହଯୋଗୀ ଏବଂ ସ୍ଥାନୀୟ ସମୁଦାୟର ସଦସ୍ୟମାନେ ଏକ ମହତ ଉଦ୍ଦେଶ୍ୟର ସହ ଏକଜୁଟ ହୋଇଥିଲେ ।

ଟିପିଏସ୍ଓଡିଏଲ୍ ତରଫରୁ ଆୟୋଜିତ ଏହି ରକ୍ତଦାନ ଶିବିର ଏମକେସିଜି ମେଡ଼ିକାଲ କଲେଜ, ବ୍ରହ୍ମପୁରର ରକ୍ତ ସଞ୍ଚାରଣ, ଚିକିତ୍ସା ବିଭାଗ ସହଯୋଗରେ ହୋଇଛି । ଏଥିରେ ଚିକିତ୍ସା ବିଶେଷଜ୍ଞମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରିବା ଏବଂ ନିର୍ଦ୍ଧାରିତ ଚିକିତ୍ସା ମାନଦଣ୍ଡ ଅନୁଯାୟୀ ରକ୍ତଦାନ ପ୍ରକ୍ରିୟା ସୁରକ୍ଷିତ ଓ ଦକ୍ଷତାର ସହ ସମ୍ପାଦିତ ହୋଇଛି ।


ଏହି କାର୍ଯ୍ୟକ୍ରମରେ ଟିପିଏସ୍ଓଡିଏଲର କର୍ମଚାରୀ, ବ୍ୟାବସାୟିକ ସହଯୋଗୀ ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ଆୟୋଜିତ ଶିବିରରୁ ମୋଟ ୬୪ ୟୁନିଟ ରକ୍ତ ସଂଗ୍ରୃହୀତ ହୋଇଛି । ଯାହା ଏହି ଜୀବନ ରକ୍ଷାକାରୀ ମହତ କାର୍ଯ୍ୟ ପ୍ରତି ଅଂଶଗ୍ରହଣକାରୀମାନଙ୍କ ଥିବା ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଏ ।


ଏହି ଶିବିରରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ଅଂଶଗ୍ରହଣକାରୀଙ୍କ ଦ୍ୱାରା ପ୍ରଦର୍ଶିତ ସ୍ୱେଚ୍ଛାକୃତ ରକ୍ତଦାନ ମନୋଭାବକୁ ପ୍ରଶଂସା କରିଥିଲେ। ଏଥିସହିତ ଜୀବନ ରକ୍ଷା ଓ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବାରେ ନିୟମିତ ରକ୍ତଦାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଓ ଯୁବପିଢ଼ିଙ୍କୁ ଏହି ମହତ କାର୍ଯ୍ୟରେ ଅଧିକ ମାତ୍ରାରେ ଯୋଗ ଦେବାକୁ ଉତ୍ସାହିତ କରିଥିଲେ ।

ଏହି ଅବସରରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍, କହିଛନ୍ତି, “ପ୍ରତିଟି ବୁନ୍ଦା ରକ୍ତ ଜୀବନ ପାଇଁ ଏକ ଆଶାର୍ବାଦ । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ କରୁଣା, ସ୍ୱେଚ୍ଛାକୃତ ସେବା ଏବଂ ଏକ ସାମୂହିକ ଦାୟିତ୍ୱବୋଧର ସଂସ୍କୃତି ଗଢ଼ି ତୋଳିବାକୁ ଚାହୁଁ । ଆମ କର୍ମଚାରୀ ଓ ଅଂଶୀଦାରମାନେ ଏପରି ଏକ ମହତ ଉଦ୍ଦେଶ୍ୟ ପାଇଁ ଏକଜୁଟ ହେଉଥିବାର ଦେଖି ଖୁବ୍ ଆନନ୍ଦ ଅନୁଭବ ହୁଏ, ଯାହା ପ୍ରତ୍ୟକ୍ଷ ଭାବରେ ଜୀବନ ରକ୍ଷା ଓ ସମୁଦାୟକୁ ସୁଦୃଢ଼ କରିବାରେ ମୁଖ୍ୟ ଭୂମିକା ନେଇଥାଏ” ।

ଟିପିଏସ୍ଓଡିଏଲର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ବିଭାଗ (ସିଏସ୍ଆର) ଟିମ୍ ତରଫରୁ ଆୟୋଜିତ ଏହି ରକ୍ତଦାନ ଶିବିର କମ୍ପାନୀର କର୍ମଚାରୀଙ୍କ ମଧ୍ୟରେ ସ୍ୱେଚ୍ଛାକୃତ ସେବା ଓ ସାମୁଦାୟିକ ସମ୍ପୃକ୍ତିକୁ ପ୍ରୋତ୍ସାହିତ କରିବାର ଏକ ଅଂଶ ଅଟେ । ଏଭଳି ଅଭିଯାନ ମାଧ୍ୟମରେ ଟିପିଏସ୍ଓଡିଏଲ୍ ସକରାତ୍ମକ ସାମାଜିକ ପ୍ରଭାବ ସୃଷ୍ଟି କରିବା ଏବଂ ଏହା ସେବା ଯୋଗାଉଥିବା ସମୁଦାୟର କଲ୍ୟାଣ ପ୍ରତି ତାର ଯୋଗଦାନ ଦେଇ ଆସୁଛି ।

ଆୟୋଜିତ ରକ୍ତଦାନ ଶିବିରରେ ବିଶିଷ୍ଟ ଅତିଥି ଭାବରେ ଶ୍ରୀମତୀ ଅଭିପ୍ସା ପଟ୍ଟନାୟକ, ତହସିଲଦାର, ଭଞ୍ଜନଗର; ଶ୍ରୀମତୀ ଭାରତୀ ଦେବୀ, ବ୍ଲକ ଉନ୍ନୟନ ଅଧିକାରୀ, ଭଞ୍ଜନଗର ଏବଂ ଶ୍ରୀ ହିମାଂଶୁ ଶେଖର ମହାନ୍ତି, ବନଖଣ୍ଡ ଅଧିକାରୀ, ଉତ୍ତର ଘୁମୁସର ବନଖଣ୍ଡ ଉପସ୍ଥିତ ଥିଲେ । ସେହିଭଳି ଶ୍ରୀ ପ୍ରତାପ କେଶରୀ ସାହୁ, ମୁଖ୍ୟ ଯନ୍ତ୍ରୀ, ଟିପିଏସ୍ଓଡିଏଲ୍; ଶ୍ରୀ ଅଭିଜିତ ପାଢ଼ୀ, ଅଧୀକ୍ଷଣ ଯନ୍ତ୍ରୀ ଓ ସର୍କଲ ମୁଖ୍ୟ ଭଞ୍ଜନଗରଙ୍କ ସମେତ ଅନ୍ୟ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ ।

0
0
0
s2sdefault