ମାଲକାନଗିରି, ୧୩/୦୬/୨୬ (ସୁରେନ୍ଦ୍ର କୁମାର ବେମାଳ): ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀମାନେ ଆଜିଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରି ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଛନ୍ତି। ଗତ ୩ ମାସ ହେବ ଦରମା ପାଇନଥିବାରୁ ସେମାନେ ଏହି ଚରମ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି। ସୁରକ୍ଷା କର୍ମୀଙ୍କ ଏହି ଆନ୍ଦୋଳନ ଯୋଗୁଁ ମେଡିକାଲ ପରିସରରେ ସୁରକ୍ଷା ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସର ଦରମା ନପାଇବାରୁ ପ୍ରାୟ ୭୦ ରୁ ୮୦ ଜଣ ସୁରକ୍ଷା କର୍ମୀ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ସମସ୍ୟା ନେଇ ସେମାନେ ପୂର୍ବରୁ ଏଡିଏମଓ ସମ୍ପୃକ୍ତ ସେକ୍ୟୁରିଟି ଏଜେନ୍ସି ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ। ଜୁନ୍ ୧୩ ସୁଦ୍ଧା ଦରମା ନମିଳିଲେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ମଧ୍ୟ ଦେଇଥିଲେ। ହେଲେ ଏଜେନ୍ସି କିମ୍ବା ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ସକରାତ୍ମକ ପ୍ରତିକ୍ରିୟା ନମିଳିବାରୁ ଶେଷରେ ସେମାନେ ଡ୍ୟୁଟି ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି।ଆନ୍ଦୋଳନ ଚାଲିଥିଲେ ମଧ୍ୟ ମାନବିକତା ଦୃଷ୍ଟିରୁ ଏବଂ ରୋଗୀ ସେବାରେ ଯେପରି ବ୍ୟାଘାତ ନଘଟିବ, ସେଥିପାଇଁ କାଜୁଆଲଟି ଏବଂ ଜରୁରୀକାଳୀନ ସେବାରେ ଦୁଇ ଜଣ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି।ଦୀର୍ଘ ତିନି ମାସ ହେଲା ଦରମା ପାଇନଥିବାରୁ କର୍ମଚାରୀମାନେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ପରିବାର ପ୍ରତିପୋଷଣ ପାଇଁ ଅନ୍ୟମାନଙ୍କଠାରୁ ଧାର କରଜ କରି ଚଳୁଥିବା ବେଳେ, ଗାଡ଼ି କିସ୍ତି ବାନ୍ଧି ନପାରି ଅନେକ କର୍ମଚାରୀ ମୋଟା ଅଙ୍କର ଜରିମାନାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।ବର୍ତ୍ତମାନ ସୁଦ୍ଧା ସୁରକ୍ଷା ଦାୟିତ୍ୱରେ ଥିବା 'କେୟାର ସେକ୍ୟୁରିଟୀ ଏଜେନ୍ସି' ଏବଂ ମେଡିକାଲ କର୍ତ୍ତୃପକ୍ଷ ପରସ୍ପର ଉପରକୁ ଦୋଷ ଲଦାଲଦି ହେଉଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଗରିବ କର୍ମଚାରୀଙ୍କ ପେଟକୁ ଲାତ ମାରି କର୍ତ୍ତୃପକ୍ଷ ଚୁପ୍ ବସିଥିବା ବେଳେ, ଏହି ସମସ୍ୟାର ସମାଧାନ କେବେ ହେଉଛି ଏବଂ ସୁରକ୍ଷା କର୍ମୀମାନେ କେବେ ସେମାନଙ୍କ ନ୍ୟାଯ୍ୟ ପ୍ରାପ୍ୟ ପାଉଛନ୍ତି, ତାହା ଦେଖିବାକୁ ବାକି ରହିଲା।
ରାଜ୍ୟ
ତିନି ମାସ ହେଲା ମିଳିନି ଦରମା: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ସୁରକ୍ଷା କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
- Hits: 20







