ହେଡଲାଇନସ୍:

ଓଡ୍ର ଖଣ୍ଡାୟତ କାଳଞ୍ଜୀ ସମାଜର ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ: ୩୧୦ ଜଣ କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା-୧୩/୬:-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ୍ର ଖଣ୍ଡାୟତ କାଳଞ୍ଜୀ ସମାଜ କେନ୍ଦ୍ର ପରିଷଦ ପକ୍ଷରୁ ଏକ ଭବ୍ୟ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ପରିଷଦର ସଭାପତି ସନ୍ତୋଷ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଗୌରବମୟ ସମାରୋହରେ ଗଦେଇ ଜେନା ପ୍ରଭୁ ପ୍ରାର୍ଥନା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ନୀଳମଣି ବିଷୋୟୀ, ବିଶିଷ୍ଟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଡିଆରଡିଏ (DRDA) ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ ଯୋଗଦେଇଥିଲେ। ଏହାସହ ମଞ୍ଚରେ ସମାଜର ସମ୍ପାଦକ ନୀଳାଚଳ ପୋଲେଇ, ଉପସଭାପତି ବୃନ୍ଦାବନ ଖଟେଇ, ମୁଖ୍ୟ ସଙ୍ଗଠକ ସତ୍ୟ ନାରାୟଣ ସ୍ୱାଇଁ ଏବଂ ସଙ୍ଗଠନ ସମ୍ପାଦକ ଅନ୍ତର୍ଯ୍ୟାମୀ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବିଷୋୟୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆମ ‘ଉଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ’ର ଇତିହାସ କେବଳ ସଂଘର୍ଷର ଇତିହାସ ନୁହେଁ, ବରଂ ଏହା ବୀରତ୍ୱ, ସ୍ୱାଭିମାନ, କୃଷି ଓ ଓଡ଼ିଶାର ମାଟି-ମାତୃକାର ସେବା ସହ ଜଡ଼ିତ ଏକ ଗୌରବମୟ ଇତିହାସ। ସମୟ ସହ ସମାଜର ଆବଶ୍ୟକତା ବଦଳିଥିବାରୁ ଆମ ପିଲାମାନେ ଶିକ୍ଷା କ୍ଷେତ୍ରରେ କିପରି ଆଗକୁ ବଢ଼ିବେ ସେଥିପାଇଁ ମିଳିତ ପ୍ରୟାସର ଜରୁରୀ ଆବଶ୍ୟକତା ରହିଛି। ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ଦେଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ସମାଜର ପ୍ରଥମ କର୍ତ୍ତବ୍ୟ ବୋଲି ପ୍ରକାଶ କରିବା ସହ ସେ କୁଳ ଘର ନିର୍ମାଣ ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିବା ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଉମାକାନ୍ତ ନାହାକ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି ସମାରୋହରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୭୦୦ରୁ ଊର୍ଦ୍ଧ୍ୱ ସମାଜର ସଭ୍ୟ ଉପସ୍ଥିତ ଥିବା ବେଳେ ପ୍ରଥମେ ସମାଜ ତରଫରୁ ଅତିଥିମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ମେଧାବୀ ପ୍ରତିଭାଙ୍କୁ ଉପଢୌକନ, ମାନପତ୍ର ଓ ଉପହାର ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ଏଥିରେ ଦଶମ ଶ୍ରେଣୀରେ ୮୦% ରୁ ଅଧିକ ନମ୍ବର ରଖିଥିବା ୧୩୭ ଜଣ ଏବଂ ଯୁକ୍ତ ଦୁଇ (+୨) ରେ ୭୦% ରୁ ଅଧିକ ନମ୍ବର ରଖିଥିବା ୧୭୩ ଜଣଙ୍କୁ ମିଶାଇ ମୋଟ ୩୧୦ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଭ୍ୟ ଜଗବନ୍ଧୁ ଜେନା, ପ୍ରଫୁଲ୍ଲ ମଳିକ, ସରୋଜ ପ୍ରଧାନ ଏବଂ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ସୂଚାରୁରୂପେ ପରିଚାଳନା କରିଥିବା ବେଳେ ଶେଷରେ ସମ୍ପାଦକ ନୀଳାଚଳ ପୋଲେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault