ହେଡଲାଇନସ୍:

ରତ୍ନଗର୍ଭା ଅଞ୍ଚଳରେ ଦାରିଦ୍ର୍ୟର ବିକଳ ଚିତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜୀବନ ବଞ୍ଚାଇବାକୁ ପ୍ରତି ମୁହୂର୍ତ୍ତରେ ସଂଘର୍ଷ

ଯୋଡା, (ପାର୍ଥ ସାରଥି ଷଡ଼ଙ୍ଗୀ) :ଆମ ରାଜ୍ୟ ଓଡିଶାର କେନ୍ଦୁଝର ଜିଲ୍ଲା ଯୋଡା ଅଞ୍ଚଳ ରତ୍ନଗର୍ଭା ଭାବେ ରାଜ୍ୟ ସମେତ ଦେଶ ତଥା ବିଶ୍ୱରେ ଏକ ପରିଚୟ ସୃଷ୍ଟି କରିଛି । ଦୀପ ତଳ ଅନ୍ଧାର ସଦୃଶ୍ୟ ଯୋଡା ଅଞ୍ଚଳର ବାସ୍ତବ ଚିତ୍ର ଆଖିରେ ନଦେଖିଲେ ବିଶ୍ୱାସ କରିବା କଷ୍ଟ । ଖଣି ଖାଦାନ ବହୁଳ ତଥା ଶିଳ୍ପ ପ୍ରବଣ ଯୋଡା ପୌରାଞ୍ଚଳର ୧୩ ନଂ ୱାର୍ଡ ଅଞ୍ଚଳରେ ଆସୁଥିବା ପାହାଡ ପାଦଦେଶରେ ଅବସ୍ଥିତ ସରଗିତଳିଆ ଅଞ୍ଚଳରେ ବସବାସ କରୁଥିବା ଜନଜାତି ମାନଙ୍କର ଜୀବନଧାରଣର ମାନ ଦେଖିଲେ ଆଖିରେ ଲୁହ ନିଶ୍ଚୟ ଆସିଯିବ । ବିଭିନ୍ନ ସମୟରେ ଚର୍ଚ୍ଚାରେ ରହୁଥିବା ସରଗିତଳିଆ ଏବେ ଦାରିଦ୍ର୍ୟତାକୁ ନେଇ ଚର୍ଚ୍ଚାରେ । ଏହି ଛୋଟିଆ ଗାଁଟି ଦୀର୍ଘଦିନ ଧରି ଉପେକ୍ଷିତ ଓ ଅବହେଳିତ । ଗ୍ରାମରେ ଲୋକସଂଖ୍ୟା କହିଲେ ୨୦୦ ରୁ ୨୫୦ ମଧ୍ୟରେ । ଗଠିତ ସରଗିତଳିଆ ଗ୍ରାମ ପୌରାଞ୍ଚଳର ଦକ୍ଷିଣ-ପୂର୍ବ ସୀମାରେ ଅବସ୍ଥିତ ଏକାନ୍ତ ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ଜନବସତି । ୧୯୯୩ରେ ପୌରାଞ୍ଚଳ ଭାବେ ଘୋଷଣା ହେବାର ଦୀର୍ଘବର୍ଷ ପରେ ମଧ୍ୟ ଏହି ଗାଁ ବିଭିନ୍ନ ମୌଳିକ ସମସ୍ୟାରୁ ବଞ୍ଚିତ ହୋଇ ରହିଛନ୍ତି । ଖଣି ଖାଦାନ ପୂର୍ଣ୍ଣ ଏସବୁ ଅଞ୍ଚଳ ଗୁଡିକ ଅତ୍ୟନ୍ତ ପ୍ରଚୁର୍ଯ୍ୟ ଭରା ହୋଇଥିଲେ ମଧ୍ୟ ଲୋକଙ୍କର ବିଭିନ୍ନ ସମସ୍ୟା ଲାଗି ରହିଛି ।
ଏହି ଅଂଚଳଟିରେ ସମ୍ପୂର୍ଣ୍ଣ ମୁଣ୍ଡା ଓ ଆଦିବାସୀ ସମ୍ପ୍ରଦାୟ ଅଧିବାସୀ ବସବାସ କରନ୍ତି। ଗ୍ରାମର ପୂର୍ବ ସୀମାରେ ପୁଣ୍ୟତୋୟା ବୈତରଣୀ ନଦୀ ପ୍ରବାହିତ ହେଉଥିବା ସମୟରେ ପଶ୍ଚିମ ଦିଗରେ ସବୁଜ ବନାନୀ ସମଗ୍ର ଗ୍ରାମକୁ ଘେରୀ ରହିଛି। ଉତ୍ତର ଓ ଦକ୍ଷିଣ ଦିଗରେ ବଡ ବଡ ଖଣି କମ୍ପାନୀ ରହିଛି। ଦୀପ ତଳ ଅନ୍ଧାର ଭଳି ଗ୍ରାମ ପାର୍ଶ୍ଵବର୍ତ୍ତୀରେ ଖଣି ଖାଦାନ,ରେଳସାଇଡିଂ ଭରପୁର ଥିବା ସତ୍ତ୍ବେ ସ୍ଥାନୀୟ ଗ୍ରାମବାସୀଙ୍କ ନିମନ୍ତେ ନିଯୁକ୍ତି ଅବସର ନ ହେବା ଯୋଗୁଁ ଏଠାକାର ଲୋକ ରୋଜଗାରରୁ ବଂଚିତ ହୋଇଛନ୍ତି । ତେଣୁ ଅଧିକାଂଶ ଗ୍ରାମବାସୀ ଲଘୁ ଜଙ୍ଗଲଜାତ ଦ୍ରବ୍ୟ ଓ ଜାଳେଣୀ କାଠ ସଂଗ୍ରହ କରି କଷ୍ଟେମଷ୍ଟେ ନିଜ ପରିବାରଙ୍କ ପ୍ରତିପୋଷଣ କରୁଥିବା ଜଣାପଡିଛି ।
ମିଳୁଥିବା ସରକାରୀ ଚାଉଳ ନିଅଣ୍ଟ ହେଲେ ଜଙ୍ଗଲର ପିତାଳୁ,ଶିଆଳୀ ମଞ୍ଜି, କାଇଜନ୍ଦା ପ୍ରଭୃତି ଆହାର ହୋଇଥାଏ ବୋଲି ସୋନୁ ମୁଣ୍ଡା,ତମ୍ବା ମୁ୍ଣ୍ଡା ଓ ଗୁରୁଚରଣ ମୁଣ୍ଡା ପ୍ରମୁଖ କହିଛନ୍ତି । ଶିଶୁ ଅପପୃଷ୍ଟିର ଶିକାର ହୋଇଥିବା ୱାର୍ଡବାସୀ କହିଛନ୍ତି । କୈଳାଶ ମୁଣ୍ଡା କହିଛନ୍ତି ଯେ ତାଙ୍କର ୩ ବର୍ଷର ଶିଶୁକନ୍ୟା ସାଳିନୀ ମୁଣ୍ଡା ରୋଗଗ୍ରସ୍ତ ହୋଇ ଯୋଡା ଟାଟା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରୁ କେନ୍ଦୁଝର ଓ ପରେ କଟକ ଶିଶୁଭବନକୁ ସ୍ଥାନାନ୍ତର ହେବା ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖାଦ୍ୟ ଅଭାବ ହେତୁ ଦୁର୍ବଳତା ଏବଂ ପରେ ରକ୍ତହୀନତା ଯୋଗୁଁ ସେ ରୋଗଗ୍ରସ୍ତ ହୋଇ ସେ ମୃତ୍ୟୁବରଣ କଲେ । ତେବେ କଟକରେ ଡିଏମଏଫ ଜରିଆରେ ତାଙ୍କୁ ପ୍ରତିଦିନ ୨୦୦ ଟଙ୍କା ଖର୍ଚ୍ଚ ବାବଦକୁ ମିଳୁଥିଲା । ବୃଦ୍ଧା ସୁଦୁରା ମୁଣ୍ଡା ଆଖିରେ ଲୁହ ମନରେ କୋହ ସହିତ କହିଥିଲେ ପୁଅର ମୃତ୍ୟୁ ପରେ ନାତି ଅନୀରାମ ମୁଣ୍ଡା (୭),ଜୟପାଲ ମୁଣ୍ଡା (୫) ଓ ନାତୁଣୀ ସୋନାଲି ମୁଣ୍ଡା (୩) ତିନୋଟି ଛୁଆର ଭରଣ ପୋଷଣ ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ତାଙ୍କ ଉପରେ ରହିଛି । ସରକାରୀ ଚାଉଳ ନିଅଣ୍ଟ ହେଉଥିବାରୁ ଛୁଆ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି । ଛୁଆମାନେ ଖାଦ୍ୟ ଅଭାବରୁ ରୋଗରେ ପଡିଥିଲେ । କିଛିଦିନ ପୂର୍ବେ ଅନୀରାମ ମୁଣ୍ଡା (୭) ସାଙ୍ଘାତିକ ରୋଗରେ ପୀଡିତ ହୋଇ ଥିବା ବେଳେ ତାଙ୍କୁ ସ୍ଥାନୀୟ ଅଂଚଳର ସମାଜସେବୀ ଚର୍ଚ୍ଚିଲ ମହାକୁଡ ଓ ୧୩ ନମ୍ବର ୱାର୍ଡ କାଉନସିଲର ଦିପ୍ତି ରଂଜନ ବେହେରାଙ୍କ ଉଦ୍ୟମରେ ଶିଶୁଟି ଟାଟା କମ୍ପାନୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରିଥିଲା । ଅଂଚଳର ଜୁଲୁ ମୁଣ୍ଡା,ସୁଦନ ମୁଣ୍ଡା,ସୋନୁ ମୁଣ୍ଡା କହିଛନ୍ତି ଯେ ସମ୍ପୂର୍ଣ୍ଣ ଅଂଚଳରେ ଏହିପରି ପ୍ରାୟ ୩୦ରୁ ଉର୍ଦ୍ଧ୍ଵ ଶିଶୁ ଖାଦ୍ୟ ଅଭାବରୁ ଦୁର୍ବଳ ହୋଇ ରୋଗଗ୍ରସ୍ତ ହୋଇଯାଇଛନ୍ତି । ପ୍ରାୟ ୩ କିଲୋମିଟର ଦୂର ଖୁଣ୍ଟପାଣିରେ ଅଙ୍ଗନୱାଡି କେନ୍ଦ୍ର ରହିଛି । ଏଣୁ ଶିଶୁ ମାନେ ଚିକିତ୍ସା ସହ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଶିକ୍ଷାର ପ୍ରସାର ନିମନ୍ତେ ତଥା ଆଦିବାସୀ ପିଲାଙ୍କୁ ସ୍ୱାକ୍ଷର କରିବା ଲାଗି ୨୦୦୦ ମସିହାରେ ସରଗିତଳିଆ ଗ୍ରାମରେ ବିଦ୍ୟାଳୟ ସ୍ଥାପନ କରଯାଇଥିଲା। ତେବେ ବିଡ଼ମ୍ବନାର ବିଷୟ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଏବେ ବିଦ୍ୟାଳୟଟି ବନ୍ଦ ହୋଇଯିବା ଫଳରେ ଏଠାକାର ପିଲାଙ୍କ ପାଠରେ ଡୋରୀ ବନ୍ଧା ହୋଇଛି । ନିକଟରେ ବୈତରଣୀ ନଦୀ ଥାଇ ସତ୍ତ୍ୱେ ସ୍ୱଚ୍ଛ ପାନୀୟ ଜଳ ମିଳୁନାହିଁ,ନଳକୂପ ଅଚଳ ହୋଇ ପଡିଛି । ହାତୀଙ୍କ ସୁରକ୍ଷା ପାଇଁ ୨୪ ଘଣ୍ଟା ଏହି ଅଂଚଳରେ ବିଦ୍ୟୁତ କାଟ କରାଯାଉଛି । ଟାଟାଷ୍ଟିଲ ପକ୍ଷରୁ ମୋଟର ପମ୍ପ ବ୍ୟବସ୍ଥା କରାଯାଇଥିଲେ ହେଁ ବିଜୁଳିର ଅନିଶ୍ଚିତତା ଜଳ ସଂକଟ ସୃଷ୍ଟି କରିଛି । ଚତୁର୍ଦ୍ଦିଗରେ ବୃହତ ଖଣି କମ୍ପାନୀ ଥିଲେ ସୁଦ୍ଧା ଏହି ପୌରାଞ୍ଚଳର ୧୩ ନମ୍ବର ୱାର୍ଡ ପ୍ରତି ଆଖିବୁଜି ଦେଇଛି। କୋଟି କୋଟି ଟଙ୍କା ମୁନାଫା କରୁଥିବା ବୃହତ କମ୍ପାନୀ କେବଳ ଏ ଗ୍ରାମରେ ସୋଲାର ଲାଇଟ ଦେଇ ନିଜ କର୍ତ୍ତବ୍ୟ ପୂରଣ କରି ବାହାବା ନେଉଥିବା ବେଳେ ସେଭଳି କିଛି ଆଖିଦୃଶିଆ କର୍ମ କରିନଥିବା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷର ଦାନ ବୃଦ୍ଧି ପାଉଛି। ୨୦୧୪ ମସିହା ପୂର୍ବରୁ ଏହି ଅଂଚଳରେ ପୌରପାଳିକା ଦ୍ୱାରା ବୈତରଣୀ ନଦୀ କୂଳରେ ଅଂଚଳବାସୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏକ ପାର୍କ ନିର୍ମାଣ କରାଯାଇଥିଲେ ହେଁ ବନବିଭାଗ ଓ ପୌରପାଳିକାର ସମନ୍ୱୟ ଅଭାବ ଏବଂ ବୈଧାନିକ କାରଣବଶତଃ ଏହା ଅଧପନ୍ତରିଆ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ତେବେ ଗୋଟିଏ ପଟେ ପାନୀୟ ଜଳର ଅଭାବ ତ ଅନ୍ୟପଟେ ବିଦ୍ୟୁତ ଲୁଚକାଳି ଲୋକଙ୍କ ଦୁର୍ଦ୍ଦଶାକୁ ଦିଗୁଣିତ କରିଛି । ସହରୀ ଶାସନ ବ୍ୟବସ୍ଥାକୁ ଗୁରୁତ୍ଵ ପ୍ରଦାନ କରି ଏହି ୱାର୍ଡବାସୀଙ୍କ ପ୍ରତି ପଦକ୍ଷେପ ନେବାକୁ ଦାବି ହୋଇଛି। ତେବେ ଏ ନେଇ ଯୋଡ଼ା ପୌରପାଳିକା ପୌରାଧକ୍ଷ ଡ. ଜଗଦୀଶ ପ୍ରାସାଦ ସାହୁ କହିଛନ୍ତି ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଯାଇ ପଦକ୍ଷେପ ଗ୍ରହଣ କରାଯିବ।

0
0
0
s2sdefault