ଭୁବନେଶ୍ୱର/ଟିକିରି/ସରୋଜ କୁମାର ସାହୁ : ଏକ ଦାୟିତ୍ୱସଂପନ୍ନ କର୍ପୋରେଟ ଭାବରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ଏହାର ବାଫିଲିମାଳି ଖଣି ନିକଟରେ ଥିବା ଗ୍ରାମଗୁଡିକର ପାରିପାର୍ଶ୍ଵିକ ବିକାଶ ନିମନ୍ତେ ବହୁବିଧ ପଦକ୍ଷେପ ହାତକୁ ନେଇଛି । ଖଣିର ଅତି ନିକଟରେ ଅବସ୍ଥିତ ପାଇକକୁପଖାଲ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷ ଭାବ ଦୂରକରି ସେମାନଙ୍କ ସହିତ ସଦ୍ଭାବ ସ୍ଥାପନ ଉଦେ୍ଧଶ୍ୟରେ ନିକଟରେ ଏହା ଆଉ କେତେକ ପଦକ୍ଷେପ ନେଇଛି ।
ଓମେନ୍ସ ଅର୍ଗାନାଇଜେସନ ଫର ରୁରାଲ ଡେଭଲପମେଣ୍ଟ (ୱାର୍ଡ) ସହିତ ସହଭାଗିତାରେ ୟୁଏଆଇଏଲ ଗ୍ରାମର ୪୨ଜଣ ମହିଳାଙ୍କୁ ସ୍ଥାୟୀ ଜୀବିକା ଉପାର୍ଜନ ସୁଯୋଗ ଯୋଗାଇଦେବାକୁ ‘ସୂର୍ଯ୍ୟୋଦୟ’ ନାମରେଏକ ନର୍ସରୀ ବିକାଶ କାମ ଆରମ୍ଭ କରିଛି । ଏହି ସମସ୍ତ ୪୨ଜଣ ମହିଳାଙ୍କୁ ଖଣି ପୁନଃଭରଣା ଓ ଚାରରୋପଣ କାର୍ଯ୍ୟକ୍ରମର ଅଂଶବିଶେଷ ଭାବରେ ନର୍ସରୀ ବିକାଶ ଉପରେ କୁଶଳତା ତାଲିମ ପ୍ରଦାନ କରାଯିବ ।
ୟୁଏଆଇଏଲର କମ୍ୟୁନିଟି ରିଲେସନ୍ସ ଆଣ୍ଡ ସଷ୍ଟେନେବିଲିଟି ଟିମ୍ ବାସ୍ତବ ସ୍ଥିତି ଜାଣିବାକୁ ଦୁଇମାସ ଧରି ପାଇକକୁପଖାଲ ଗ୍ରାମର ଆକଳନ ଭିତ୍ତିକ ସର୍ଭେ କରିଥିଲେ । ଏହି ସର୍ଭେରେ ଭିନ୍ନକ୍ଷମ, ବାର୍ଦ୍ଧକ୍ୟାବସ୍ଥାରେ ଉପନୀତ ବ୍ୟକ୍ତି, ଅନାଥ/ବିଧବା ମହିଳା, ଭୂମିହୀନ ପରିବାର ଭଳି ବହୁ ଆପଦାପର୍ଣ୍ଣ ବର୍ଗ ଏବଂ ଅନ୍ୟ ଅନେକଙ୍କୁ ଚିହ୍ନଟ କରାଯାଇଥିଲା । ସର୍ଭେ ଶେଷହେବା ପରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା ଏବଂ ତୁରନ୍ତ ପଦକ୍ଷେପ ସ୍ୱରୂପ ଅଧିକାଂଶ ଆପଦାପର୍ଣ୍ଣ ପରିବାର ଏବଂ ସହାୟତା ଆବଶ୍ୟକ କରୁଥିବା ବର୍ଗଙ୍କୁ ଏକକାଳୀନ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା ଯାହା ସେମାନଙ୍କ ଜରୁରୀ ଆବଶ୍ୟକତା ସମୟରେ ସହାୟକ ହେବ ।
ଏ ସମ୍ପର୍କରେ ପ୍ରକାଶକରି ୟୁଏଆଇଏଲ ୟୁନିଟ ହେଡ ଶ୍ରୀ ମଜହର ବେଗ୍ କହିଛନ୍ତି, “ଏହି ଗ୍ରାମର ମହିଳାମାନଙ୍କ ବିକାଶ ପାଇଁ ଆମେ ବାସ୍ତବରେ ଚିନ୍ତିତ । ପ୍ରଥମ ପର୍ଯ୍ୟାୟରେ ଆମେ ଏହି ନର୍ସରୀ ବିକାଶ କାର୍ଯ୍ୟ ହାତକୁ ନେଇଛୁ ଏବଂ ଖୁବଶୀଘ୍ର ଅନ୍ୟାନ୍ୟ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରିବକୁ ଯାହା ମହିଳାମାନଙ୍କ ସମସ୍ୟା ପ୍ରତି ଦୃଷ୍ଟିଦେବ ଏବଂ ସେମାନଙ୍କର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବ । ଏହାଦ୍ୱାରା ଆମେ ପ୍ରକୃତପକ୍ଷେ ଗ୍ରାମର ମହିଳାମାନଙ୍କୁ ସ୍ୱାବଲମ୍ବୀ ଏବଂ ସଶକ୍ତ କରିପାରିବୁ । ଆମେ ଗ୍ରାମଗୁଡିକରେ ଦୀର୍ଘସୂତ୍ରୀ ସ୍ଥାୟୀ ବିକାଶମୂଳକ ପ୍ରକଳ୍ପଗୁଡିକ ନିରନ୍ତର କାର୍ଯ୍ୟକାରୀ କରିବୁ ଯାହା ସେମାନଙ୍କୁ ଭବିଷ୍ୟତରେ ମଧ୍ୟ ଫାଇଦା ଆଣିଦେବ ।”