ହେଡଲାଇନସ୍:

ମା’ ମାନେ ହେଉଛନ୍ତି ସମାଜ ପ୍ରଗତିରଥ ଚକର ଅଖ : ନବୀନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ୨୪ତମ ପ୍ରତିଷ୍ଠା ଦିବସ: ମହିଳାମାନଙ୍କ ବିକାଶ ନବୀନଙ୍କ ପ୍ରାଥମିକତା  

  • ମହିଳାମାନଙ୍କ ପାଇଁ ସଂସଦ ଓ ବିଧାନସଭାରେ ୩୩% ସଂରକ୍ଷଣ ପାଇଁ ସ୍ୱର ହେବ ଜୋରଦାର"  

  • ନାରୀର ଗୁରୁତ୍ୱ କେତେ ତାହା ଆମ ଲକ୍ଷ୍ମୀପୁରାଣରେ କୁହାଯାଇଛି

  • ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ

  • ବିଜେଡ଼ି ଦେଶର ଏକମାତ୍ର ଦଳ ଯିଏ କି ୨୦୧୯ ସାଧାରଣ ନିର୍ବାଚନରେ ୩୩% ମହିଳାଙ୍କୁ ଟିକେଟ ଦେଇଥିଲା

 ଭୁବନେଶ୍ୱର : ମା’ ମାନେ ହେଉଛନ୍ତି ସମାଜ ଚକର ଅଖ । ସେମାନଙ୍କ ବିନା ପ୍ରଗତିର ରଥ ଆଗକୁ ବଢ଼ିପାରିବ ନାହିଁ । ଏକ ସଶକ୍ତ ମହିଳା ସମାଜ ହିଁ ଏକ ସଶକ୍ତ ଓଡ଼ିଶା ଗଠନ କରିପାରିବ । ସମାଜରେ ନାରୀର ଗୁରୁତ୍ୱ କେତେ ତାହା ଆମ ଲକ୍ଷ୍ମୀପୁରାଣରେ କୁହାଯାଇଛି । ନିଜେ ମହାପ୍ରଭୁ ମଧ୍ୟ ଏହା ସ୍ୱୀକାର କରିଛନ୍ତି । ଏ ଦିଗରେ ବିଜୁ ଜନତା ଜନତା ଦଳ ସବୁବେଳେ ଆଗରେ ରହିଛି ଏବଂ ରହିବ । ମହିଳାମାନଙ୍କୁ ସେମାନଙ୍କ ହକ୍ ମିଳିବା ପର୍ଯ୍ୟନ୍ତ ଉଭୟ ରାଜ୍ୟ ଏବଂ ଜାତୀୟସ୍ତରରେ ଲଢ଼େଇ ଜାରି ରହିବ ବୋଲି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି |

 ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସରେ ମହିଳାମାନଙ୍କ ବିକାଶ ଉପରେ ପ୍ରାଥମିକତା ଦେଇଛନ୍ତି ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଆଜି ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଅବସରରେ ଦଳର ନେତାଙ୍କୁ ସମ୍ବୋଧିତ କରି  କହିଛନ୍ତି "ମହିଳା ସଶକ୍ତିକରଣ ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ବୋଲି ମୁଁ ସବୁବେଳେ କହିଆସିଛି । ୧୯୯୨ ରେ ବିଜୁବାବୁ ମହିଳାମାନଙ୍କ ପାଇଁ ପଞ୍ଚାୟତ, ପୌରସଂସ୍ଥା ଏବଂ ସରକାରୀ ଚାକିରୀରେ ୩୩% ସ୍ଥାନ ସଂରକ୍ଷଣ କରି ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲେ । ବିଜୁବାବୁଙ୍କ ଆଦର୍ଶରେ ଚାଲିଥିବା ଆମ ସରକାର ପଞ୍ଚାୟତ ଓ ପୌରସଂସ୍ଥାମାନଙ୍କରେ ମା ମାନଙ୍କ ପାଇଁ ୫୦% ସଂରକ୍ଷଣ କରିଛନ୍ତି । କେବଳ ସେତିକି ନୁହେଁ, ପାର୍ଲିଆମେଣ୍ଟ ଓ ବିଧାନସଭାରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେବା ପାଇଁ ବିଜେଡ଼ି ଲଢ଼େଇ କରୁଛି । ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ । ବିଜେଡ଼ି ଦେଶର ଏକମାତ୍ର ଦଳ ଯିଏ କି ୨୦୧୯ ସାଧାରଣ ନିର୍ବାଚନରେ ୩୩% ମହିଳାଙ୍କୁ ଟିକେଟ ଦେଇଥିଲା ବୋଲି ନବୀନ କହିଛନ୍ତି | 

ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ସମାଲୋଚନା କରି ବିଜେଡି ସଭାପତି କହିଛନ୍ତି ଯେ  ନିର୍ବାଚନ ଆସିଲେ ଜାତୀୟ ଦଳମାନେ ସେମାନଙ୍କ ଇସ୍ତାହାରରେ ମହିଳା ସଂରକ୍ଷଣ ବିଷୟରେ ବଡ଼ ବଡ଼ କଥା କହୁଛନ୍ତି । କିନ୍ତୁ ନିର୍ବାଚନ ସରିଗଲେ ଆରାମରେ ସେକଥା ଭୁଲିଯାଉଛନ୍ତି । ତେବେ ଆମର ଅର୍ଦ୍ଧେକ ଜନସଂଖ୍ୟାକୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିପାରିବା ନାହିଁ । ରାଜନୀତିରେ ସେମାନଙ୍କୁ ନ୍ୟାଯ୍ୟ ଅଧିକାର ଓ ସ୍ଥାନ ମିଳିବା ଅପରିହାର୍ଯ୍ୟ । ବିଜେଡ଼ି ଏକ  ଆଞ୍ଚଳିକ ଦଳ ହେଲେ ମଧ୍ୟ ପାର୍ଲିଆମେଣ୍ଟ ଓ ବିଧାନସଭାରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେବାକୁ ତା’ର ସ୍ୱରକୁ ଆହୁରି ଜୋରଦାର କରିବ । ବିଜେଡ଼ି ଏବେଠାରୁ ଲୋକସଭା, ରାଜ୍ୟସଭା ଏବଂ ବିଧାନସଭାର ପ୍ରତି ଅଧିବେଶନରେ ମହିଳା ସଂରକ୍ଷଣ ବିଷୟ ଜାତୀୟ ଦଳମାନଙ୍କୁ ମନେ ପକାଇଦେବ । ପ୍ରତ୍ୟେକ ସ୍ତରରେ ଏ ବିଷୟ ଉଠାଯିବ । ଭାରତର ସବୁ ମହିଳାଙ୍କ ନିକଟରେ ଏ ଆହ୍ୱାନ ପହଞ୍ଚାଯିବ । ଗାଁ ଗାଁରେ ଘରେ ଘରେ ମା ମାନଙ୍କୁ ସଚେତନ କରାଯିବ । ଏହାକୁ ଏକ ଆନ୍ଦୋଳନର ରୂପ ଦିଆଯିବ ବୋଲି ବୋଲି ବିଜେଡି ସଭାପତି ଘୋଷଣା କରିଛନ୍ତି ।

 "ମହିଳାମାନଙ୍କ ସଶକ୍ତିକରଣ ହେଉଛି ଦେଶର ସଶକ୍ତିକରଣ । ମହିଳାଙ୍କ ସଶକ୍ତ ବିନା କୌଣସି ଘର, ସମାଜ, ରାଜ୍ୟ କି ଦେଶ ଆଗେଇ ପାରିବ ନାହିଁ । ଆମକୁ ଯଦି ବିଶ୍ୱର ଆଗୁଆ ଦେଶମାନଙ୍କ ସହ ପ୍ରତିଯୋଗିତା କରିବାକୁ ପଡ଼େ ତେବେ ଆମକୁ ଆମ ମା ମାନଙ୍କୁ ସେମାନଙ୍କ ହକ୍ ଦେବାକୁ ପଡ଼ିବ । ଏ ଦିଗରେ ବିଜୁ ଜନତା ଦଳ ସବୁବେଳେ ଆଗରେ ରହିଛି ଏବଂ ରହିବ । ଆମ ଓଡ଼ିଶାରେ ୮୦ ଲକ୍ଷ ମହିଳା ମିଶନ ଶକ୍ତି ଆନ୍ଦୋଳନରେ ସାମିଲ ହେଲେଣି । ସେମାନେ ବିଭିନ୍ନ କ୍ଷେତ୍ରରେ ଯେପରି ଦକ୍ଷତାର ସହ ସେମାନଙ୍କ ଦାୟିତ୍ୱ ତୁଲାଉଛନ୍ତି ନ ଦେଖିଲେ ବିଶ୍ୱାସ କରିହେବ ନାହିଁ  ବୋଲି ଦୃଢୋକ୍ତି ବାଢ଼ିଛନ୍ତି ବିଜେଡି ସୁପ୍ରିମୋ | 

ବିଜେଡି ସଭାପତି ଓଡିଶାବାସୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି କହିଛନ୍ତି ଯେ " ବିଜୁବାବୁଙ୍କ ଆଦର୍ଶରେ ଗଠିତ ତଥା ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରିୟ ଦଳ ବିଜେଡ଼ି ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଲକ୍ଷ ଲକ୍ଷ କର୍ମୀ ଭାଇଭଉଣୀଙ୍କ ପରିଶ୍ରମ ଯୋଗୁଁ, ଆଜି ଏକ ସାମାଜିକ ଆନେ୍ଦାଳନରେ ପରିଣତ ହୋଇପାରିଛି | ଏହି ସାମାଜିକ ଆନ୍ଦୋଳନର ଆତ୍ମା ହେଉଛନ୍ତି ଆମର ମା ମାନେ । ଏକ ସଶକ୍ତ ମହିଳା ସମାଜ ହିଁ ଏକ ସଶକ୍ତ ଓଡ଼ିଶା ଗଠନ କରିପାରିବ । ତେଣୁ ଆମ ସମାଜ ଓ ରାଜ୍ୟ ପାଇଁ ମା ମାନେ ଚାହୁଁଥିବା ପରିବର୍ତ୍ତନକୁ ସାକାର କରିବା ପାଇଁ ଏହି ସାମାଜିକ ଆନ୍ଦୋଳନରେ ବହୁ ସଂଖ୍ୟାରେ ସାମିଲ ହେବା ପାଇଁ ମା ମାନଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳାମାନଙ୍କୁ ସେମାନଙ୍କ ହକ୍ ମିଳିବା ପର୍ଯ୍ୟନ୍ତ ବିଜେଡ଼ି ଉଭୟ ରାଜ୍ୟ ଏବଂ ଜାତୀୟସ୍ତରରେ ଲଢ଼େଇ ଜାରି ରଖିବ ବୋଲି ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ |

ଭୁବନେଶ୍ୱର ଜିଲ୍ଲା ବିଜେଡ଼ି ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ସମାରୋହରେ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରଳତାକୁ ଆଦର୍ଶ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିବା ବେଳେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଓଡ଼ିଆ ଭାଷା ଅସ୍ମିତା ସୁରକ୍ଷା ଇଉପରେ ଗୁରୁତ୍ୱ ଆରୋପ କରିଥିଲେ | ମନ୍ତ୍ରୀ ଅଶୋକ ପଣ୍ଡା ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ କଲ୍ୟାଣ ସର୍ବୋପରି ସାମାଜିକ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ | 

 ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ଟ୍ଟନାୟକ, ମାନସ ମଙ୍ଗରାଜ, ରଘୁନାଥ ସାହୁ, ବିମ୍ବାଧର କୁଅଁର, ପ୍ରିୟଦର୍ଶୀ ମିଶ୍ର, ରବି ସାମଲ, ସଂଗ୍ରାମ କେଶରୀ ପାଇକରାୟ, ସୁଲତା ଦେଓ, କସ୍ତୁରୀ ମହାପାତ୍ର, ବିରଂଚି ନାରାୟଣ ମହାସୂପକାର, ରଣଜିତ ମହାପାତ୍ର, ଅମରେଶ ଜେନା,ମୀରା ପରିଡା, ଭାରତୀ ସିଂ, ମହାମାୟା ସ୍ୱାଇଁ, ସୁମିତ୍ରା ଜେନା, ସୁବାଷ ପାତ୍ର,  ଦୁର୍ଗା ସାମନ୍ତରା, ସମରେନ୍ଦ୍ର ସାହୁ, ଅମରଜିତ୍ ସେନାପତି, ସମରେଶ ବେଉରା, ସୁବାଷ ସାହୁ, ଭୁବନେଶ୍ୱର ସମସ୍ତ ପୂର୍ବତନ ର୍କୋରେଟର, ଭୁବନେଶ୍ୱର ଜିଲ୍ଲାର ସମସ୍ତ ସାଙ୍ଗଠନିକ ପଦାଧିକାରୀଙ୍କ ସହିତ ବିଜୁ ବାବୁଙ୍କ ଭଲ ପାଉଥିବା ବହୁ ଦଳୀୟ କର୍ମୀ କୋଭିଡ କଟକଣାକୁ ପାଳନ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

0
0
0
s2sdefault