ଜିଲ୍ଲାପାଳ ଓ ଏସପିଙ୍କୁ ଶୁଭେଚ୍ଛା ଜଣାଇଲେ ଭଞ୍ଜସେନା
ବାରିପଦା(ଦିଲ୍ଲୀପ ମହାନ୍ତି)-ଆବଶ୍ୟକ ପାଣ୍ଠି ଅଭାବରୁ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ପୌରପରିଷଦର ଲକ୍ଷ୍ମୀପୋଷିସ୍ଥିତ ଜିଲ୍ଲାର ଏକମାତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ବନ୍ଦ ନିଷ୍ପତ୍ତି ନେଇଥିଲେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ । ଏହାର ପ୍ରତିବାଦରେ ଜିଲ୍ଲାର ଏକମାତ୍ର ଅଣରାଜନୈତିକ ସଙ୍ଗଠନ ଅଣ୍ଟଭିଡ଼ି ଆଗେଇ ଆସିଥିଲା ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିକ୍ଷାବୃତ୍ତି କରି ପାଣ୍ଠି ସଂଗ୍ରହ କରି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ପରିଚାଳନା ନିମନ୍ତେ ଆବଶ୍ୟକ ପାଣ୍ଠି ଯୋଗାଇ ଦେବାର ଘୋଷଣା କରିଥିଲେ । ତେଣୁ ସୋମବାରଠାରୁ ଭଞ୍ଜସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିକ୍ଷାବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯିବାର ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ପୂର୍ବପରି କାର୍ଯ୍ୟ ଆରମ୍ଭ କରିବ । ବିଦ୍ୟାଳୟର ସମସ୍ତ ଖର୍ଚ୍ଚ ସରକାର ବହନ କରିବାର ବିଧିବଦ୍ଧ ଭାବେ ଘୋଷଣା ହୋଇଛି । ଫଳରେ ଭଞ୍ଜସେନା ପରିବାର ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଶୁଭେଚ୍ଛା ପ୍ରଦାନ କରାଯିବା ସହ ଭିକ୍ଷା ବୃତ୍ତିକୁ ସ୍ଥଗିତ ରଖାଗଲା ବୋଲି ଭଞ୍ଜସେନା ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ପ୍ରେସ ଇସ୍ତାହାରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।