ବୁଢ଼ାବଳଙ୍ଗ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

3

ବାରିପଦା(ଦିଲ୍ଲୀପ ମହାନ୍ତି): ଆଜି ବୁଢ଼ାବଳଙ୍ଗ ନଦୀରୁ ବାରିପଦା ସଦର ଥାନା ଅନ୍ତର୍ଗତ ମାଙ୍କଡ଼ପାଳ ଗ୍ରାମର କାନ୍ଦ୍ରା ମାରାଣ୍ଡିଙ୍କ ପୁଅ ସୁରେଇ ମାରାଣ୍ଡି(୨୬)ଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଆଜି ସିନ୍ଦୁରଗୌରା ଏବଂ ମାଙ୍କଡ଼ପାଳ ଗ୍ରାମ ମଝିରେ ଯାଇଥିବା ବୁଢ଼ାବଳଙ୍ଗ ନଦୀର ଗଭୀର ଗଣ୍ଡରେ ଏକ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ବାରିପଦା ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ବାରିପଦା ଅଗ୍ନିଶମ ବାହିନୀର କର୍ମଚାରୀମାନେ ଗଭୀର ନଦୀ ଜଳରୁ ମୃତଦେହକୁ ଉଦ୍ଧାର କରିବା ପରେ ଏହା ସୁରେଇଙ୍କର ବୋଲି ଜଣାପଡ଼ିଥିଲା। ପୁଲିସ୍‌ ଉପସ୍ଥିତିରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୁଧବାରଠାରୁ ମାଛ ଧରିବାକୁ ଯାଇ ମୃତକ ଆଉ ଘରକୁ ଫେରିନଥିଲେ। ମାଛ ଧରୁଥିବା ବେଳେ ଗୋଡ଼ ଖସିଯାଇ ଗଭୀର ଜଳକୁ ଯାଇ ଯୁବକ ଜଣଙ୍କ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ସେହିପରି ଯୁବକ ଜଣଙ୍କ ଆତ୍ମହତ୍ୟା ମଧ୍ୟ କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଏନେଇ ବାରିପଦା ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ସଠିକ୍‌ ସୂଚନା ମିଳିପାରିବ ବୋଲି  ବାରିପଦା ସଦର ଥାନା ଆଇଆଇସି ସ୍ବର୍ଣ୍ଣଲତା ମିଞ୍ଜ୍‌ କହିଛନ୍ତି।

 

Leave A Reply

Your email address will not be published.