ବିକାଶକୁ ବିରୋଧ କରିବା ନିଜ ଗୋଡ଼ରେ କୁରାଢ଼ୀ ମାରିବା ସଦୃଶ: ବିଜୟ ନାୟକ

ଭୁବନେଶ୍ୱର : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ନିଜେ ଜଣେ ଆଦିବାସୀ ଓ ଦୁଇ ଦୁଇଥର କେନ୍ଦ୍ରରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ହୋଇଥିବା ସତ୍ତେ୍ୱ ଜନଜାତିଙ୍କ ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ଅଭିନବ ଓ ସମନ୍ୱିତ ପ୍ରୟାସକୁ ବିରୋଧ କରିବା ନିତାନ୍ତ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।
ଜନଜାତିଙ୍କ ସର୍ବାଙ୍ଗୀନ ବିକାଶକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି । ଏଥିପାଇଁ ଏକାଧିକ କାର୍ଯ୍ୟକ୍ରମ ଓ ଯୋଜନା କାର୍ଯ୍ୟକାରୀ ହେଉଛି । ସ୍ୱତନ୍ତ୍ର ଜନଜାତି ବିକାଶ ପରିଷଦ ଗଠନ ଏକ ଅଭିନବ ଉଦ୍ୟମ । ଆଦିବାସୀବହୁଳ ୯ଟି ଜିଲ୍ଲାର ଜନଜାତିଙ୍କ ବିକାଶ ପାଇଁ ଏହା ଏକ ସମର୍ପିତ ପ୍ରୟାସ । ଏହାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ୍ ବିରୋଧ କରି ଏଥିରେ ରାଜନୀତି ଅଛି ବୋଲି କହିବା ତାଙ୍କର ହୀନମାନ୍ୟତା ଓ ଅପରିପକ୍ୱତାର ପରିଚୟ । ବିଜେଡିର ରାଜନୀତି ହେଉଛି ବିକାଶ କୈନ୍ଦ୍ରୀକ । ଯେଉଁ ରାଜନୀତି ବିକାଶକୁ ପ୍ରାଧାନ୍ର ଦିଏ ତାହା ସର୍ବଦା ଗ୍ରହଣୀୟ । ଶ୍ରୀ ଓରାମ ବିଜେପୁରରେ ବିଜେପିର ବିପର୍ଯ୍ୟୟକୁ ବୋଧେ ହଜମ କରିପାରୁ ନାହାନ୍ତି । ତାଙ୍କୁ ସବୁ ରାଜନୀତି ଦିଶୁଛି । ଦୁଇ ଦୁଇଥର କେନ୍ଦ୍ରମନ୍ତ୍ରୀ ହୋଇ ସେ ଆଦିବାସୀଙ୍କ ଉନ୍ନତି ପାଇଁ କ’ଣ କରିଛନ୍ତି, ଆଗେ କୁହନ୍ତୁ । ହାରୁ ହାରୁ ଜିତି ଓ କେନ୍ଦ୍ରରେ ସୌଭାଗ୍ୟବଶତଃ ମନ୍ତ୍ରୀ ହୋଇଥିବା ଶ୍ରୀ ଓରାମଙ୍କ ରାଜନୈତିକ ସ୍ଥିତି ଓଡ଼ିଶାରେ କ’ଣ ସମସ୍ତଙ୍କୁ ଜଣା । ନବୀନଙ୍କ ବିକାଶ ଧାରାକୁ ବିରୋଧ କରି ସେ ନିଜ ଗୋଡ଼ରେ କୁରାଢ଼ୀ କାରୁଛନ୍ତି । ସ୍ୱତନ୍ତ୍ର ବିକାଶ ପରିଷଦ ପାଇଁ କେଉଁଠୁ ପଇସା ଆସିବ, ତାହା ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ସେଥିରେ ଅଯଥାରେ ମୁଣ୍ଡ ନପୂରାଇ ଆଦିବାସୀମାନଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଉଦ୍ୟମକୁ କିଭଳି ସଶକ୍ତି ଓ ପରିପୁଷ୍ଟ ହୋଇପାରିବ ସେଥିପାଇଁ ପ୍ରସ୍ତାବ ରଖିବାକୁ ଶ୍ରୀ ନାୟକ କହିଛନ୍ତି ।