ଆରମ୍ଭ ହେଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ

ଭୁବନେଶ୍ୱର : ପ୍ରକୃତି ଓ ପରିବେଶ ମଧ୍ୟରେ ଜୀବନକୁ ଭଲ ପାଇବା ହେଉଛି ଜନଜାତିଙ୍କ ସଂସ୍କୃତି । ଓଡିଶାରେ ଥିବା ୬୨ ପ୍ରକାର ଜନଜାତି ସମ୍ପ୍ରଦାୟ ଆମର ଗୌରବ । ସାରା ବିଶ୍ୱରେ ଏଭଳି ବିବିଧତା କେଉଁଠାରେ ଦେଖାଯାଏନାହିଁ । ତେଣୁ ଜନଜାତି ମାନଙ୍କର ଏହି ସ୍ୱତନ୍ତ୍ର ପରିଚୟର ସୁରକ୍ଷା ଆମର ଲକ୍ଷ୍ୟ । ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ଗଜପତି, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି କୁ ନେଇ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ କରାଯାଇଥିବା ବେଳେ ଏଥିପାଇଁ ସ୍ୱତନ୍ତ୍ର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ପରିଷଦରେ ଜିଲ୍ଲାର ସବୁ ଜନଜାତି ବର୍ଗଙ୍କ ପ୍ରତିନିଧିତ୍ୱ ରହିବ । ଏହି ୯ଟି ଜିଲ୍ଲାର ୧୧୭ଟି ବ୍ଲକ୍ କୁ ପ୍ରତିବର୍ଷ ଦେଢ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏଥିପାଇଁ ବର୍ଷକୁ ୧୭୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ସରକାରନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଜନଜାତି ମାନଙ୍କ ଲାଗି “ସ୍ଵଂତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ କରିବା ଅବସରରରେ ମତବ୍ୟକ୍ତ କରିଛନ୍ତି ।
ଶୁକ୍ରବାର ସଂଧ୍ୟାରେ ସ୍ଥାନୀୟ ଉକ୍ରଳ ମଣ୍ଡପ ସରକାରଙ୍କ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ଯେ ଆଜି ଆମ ପାଇଁ ଏକ ଗୌରବର ଦିନ । ଆଜି ଓଡିଶାର ସମସ୍ତ ଜନଜାତି ବର୍ଗର ଲୋକମାନେ ନିଜ କଳା , ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ଏକାଠି ହୋଇଛନ୍ତି । ଏହି ଅବସରରେ ରଜ୍ୟର ୯ଟି ଜନଜାତି ବହୁଳ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଉତ୍ତୟନ ପରିଷଦର ଶୁଭାରମ୍ଭ କରାଯାଇଛି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜିଠାରୁ ଆପଣମାନେ ନିଜ ସଂସ୍କୃତିର ସୁରକ୍ଷା ଓ ପ୍ରତିଭାର ବିକାଶ ପାଇଁ ନିଜେ ନିଷ୍ପତି ନେବେ । ଏଥିପାଇଁ ଅର୍ଥର ଅଭାବ ରହିବ ନାହିଁ । ଜନଜାତି ମାନଙ୍କ ବିକାଶ କ୍ଷେତ୍ରରେ ଓଡିଶା ଏକ ଆଗୁଆ ରାଜ୍ୟ । ଭିତିଭୂମିର ବିକାଶ , ଶିକ୍ଷା , କ୍ରୀଡା ଓ ସେମାନଙ୍କ ଅଧିକାରର ସୁରକ୍ଷା କ୍ଷେତ୍ରରେ ଆମେ ଅନେକ ଉତ୍ତତି କରିଛୁ । ଜନଜାତି ଲୋକମାନେ ନିଜର କଳା ସଂସ୍କୃତି ପାଇଁ ବିଶ୍ୱ ଦରବାରରେ ପ୍ରତିଷ୍ଠା ଅର୍ଜନ କରିବେ ତାହା ଆମର ବିଶ୍ୱାସ ବୋଲି ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ , ଯୋଜନା ଓ ସଂଯୋଜନା ମନ୍ତ୍ରୀ ଉଷା ଦେବୀ , ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ପ୍ରମୁଖ ଉଦବୋଧନ ଦେଇଥିଲେ । ଏହି ଅବସରରେ ବିଭିତ୍ତ ଜିଲ୍ଲାରୁ ଆସିଥିବା ଜନଜାତି ସମ୍ପ୍ରଦାୟର ଲୋକମାନେ ସେମାନଙ୍କ ଲୋକ କଳା ଓ ଆଦିବାସୀ ନୃତ୍ୟ ପ୍ରଦର୍ଶନ କରିଥିଲେ ।
ଜନଜାତିମାନଙ୍କର ବିକାଶ ନୁହେଁ ବରଂ ନିଜ ଦଳୀୟ ନେତାଙ୍କୁ ଥଇଥାନ କରିବା ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟ : ବିଜେପି
ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଆଦିବାସୀ ବିରୋଧୀ । କେବଳ ନାଁକୁ ବିଭିନ୍ନ ଯୋଜନା କରି ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ରାଜ୍ୟରେ ବସବାସ କରୁଥିବା ଆଦିବାସୀମାନଙ୍କର ବିକାଶ ନୁହେଁ ବରଂ କେବଳ ନିଜ ଦଳୀୟ ନେତାମାନଙ୍କୁ ଥଇଥାନ କରିବା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି ବୋଲି ମୟୁରଭଂଜ ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁୁ ଅଭିଯୋଗ କରି କହିଛନ୍ତି ।
ରାଜନୈତିକ ଅଭିସନ୍ଧି ରଖି ମୁଖ୍ୟମନ୍ତ୍ରୀ ଗତ କାଲି ୯ଟି ଜିଲ୍ଲାରେ ଏହି ପରିଷଦ ଗଠନର ଘୋଷଣା କରିଛନ୍ତି । ନିରନ୍ତର ୧୮ ବର୍ଷ ଶାସନରେ ରହି ମଧ୍ୟ ମୁଖ୍ୟମନ୍ତ୍ରୀ ଉକ୍ତ ୯ଟି ଜିଲ୍ଲାମାନଙ୍କରେ କୌଣସି ଉନ୍ନତି ମୂଳକ କାର୍ଯ୍ୟକ୍ରମ କରିପାରିନାହାଁନ୍ତି । କେବଳ ଜନଜାତି ଆଦିବାସୀ ମାନଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଭଣ୍ଡେଇ ଚାଲିଛନ୍ତି । ଆଦିବାସୀଙ୍କ ନାମରେ ଯୋଜନା କରି କୋଟି କୋଟି ଟଙ୍କା ହଡପ କରାଯାଉଛି । ପୂର୍ବରୁ ଲୋଧା, ଜୁଆଙ୍ଗ,ମାଙ୍କଡିଆ ଏବଂ ଶବର ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଥାଇ ବି ସେମାନଙ୍କର ଉନ୍ନତି ହୋଇପାରିନାହିଁ । ଗୋଟିଏ ପଟେ ଯୋଜନା ଘୋଷଣା କରିବା ଏବଂ ଅନ୍ୟପଟେ ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ଯୋଜନା ମାଧ୍ୟମରେ ଦଳୀୟ ନେତାଙ୍କୁ ପିସି କାରବାର କରିବାର ମଉକା ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତି ମୁର୍ମୁୁ ଅଭିଯୋଗ କରି କହିଛନ୍ତି ।
ସାମ୍ବିଧାନିକ ବ୍ୟବସ୍ଥା ଆନୁଯାୟୀ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥା ରହିଥିବା ସତ୍ୱେ ଜନପ୍ରତିନିଧୀମାନଙ୍କୁ ରାଜ୍ୟ ସରକାର କୌଣସି କ୍ଷମତା ପ୍ରଦାନ କରିନାହାଁନ୍ତି । ଯଦି ଜନପ୍ରତିନିଧୀମାନଙ୍କୁ ଜନଜାତି ଆଦିବାସୀ କଲ୍ୟାଣ ପାଇଁ କ୍ଷମତା ଦିଆଯାଆନ୍ତା ତେବେ ସେହି ଅଂଚଳରେ ଉନ୍ନତି ହୋଇପାରନ୍ତା । ଜନଜାତି ଅଧ୍ୟୁଷିତ ୯ଟି ଜିଲ୍ଲାରେ ବିକାଶ ପହଂଚି ପାରିନି । ଜନଜାତି ମାନଙ୍କର ବିକାଶ ପାଇଁ ଇଂଟିଗ୍ରେଟେଡ ଟ୍ରାଇବାଲ ଡେଭଲପମେଂଟ ଏଜେନ୍ସି କାର୍ଯ୍ୟ କରୁଥିଲେ ମଧ୍ୟ ଶାସକ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ କୈାଣସି ଆଖିଦୃଶିଆ ବିକାଶ ଆଦିବାସୀମାନଙ୍କଠାରୁ ବହୁ ଦୂରରେ ରହିଯାଇଛି ବୋଲି ଶ୍ରୀମତି ମୁର୍ମୁ କହିଛନ୍ତି ।
ମୟୁରଭଂଜ ଜିଲ୍ଲାର ବାରିପଦା, କତିପଦା, ରାଇରଂଗପୁର, କରଂଜିଆରେ ଜନଜାତିମାନଙ୍କର ଉନ୍ନତି ସରକାର କରିପାରୁନାହାଁନ୍ତି । ଜିଲ୍ଲାର କପ୍ତିପଦାର, ମାଙ୍କଡପଡା ଗ୍ରାମ ବର୍ତମାନ ବି ବହୁଚର୍ଚ୍ଚିତ ନଗଡାଠୁ ଆହୁରି ବିପର୍ଯ୍ୟସ୍ତ ହୋଇପଡିଛି । ସେହିପରି ରାଇରଂଗପୁର ବ୍ଲକର କୁଲେଇଶିଣାର ପଂଚାୟତର ଦୋରଡାପାଣି ଗ୍ରାମକୁ ଯିବା ଆସିବା ପାଇଁ ରାସ୍ତା ମଧ୍ୟ ନାହିଁ । ଏମିତିକି ପିଇବା ପାଇଁ ପାନୀୟ ଜଳ ଏବଂ ଗ୍ରାମକୁ ବିଦୁ୍ୟତ ସଂଯୋଗୀକରଣ କରାଯାଇନାହିଁ । ବଡସାହି ବ୍ଲକର ବଙ୍ଗଳା ସାହି ଚମ୍ପାଗଡରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି । କେବଳ ମୟୁରଭଂଜ ଜିଲ୍ଲା ନୁହେଁ ବାକି ଅନ୍ୟ ସମସ୍ତ ଜିଲ୍ଲାମାନଙ୍କରେ ମଧ୍ୟ ସ୍ଥିତି ଅଧିକ ଶୋଚନୀୟ ବୋଲି ଶ୍ରୀମତି ମୁର୍ମୁ ଅଭିଯୋଗ କରିଛନ୍ତି । ରାଜ୍ୟର ଆଦିବାସୀମାନଙ୍କୁ ପାନୀୟ ଜଳ, ବିଜୁଳି, ସଡକ ଭଳି ମୈାଳିକ ସମସ୍ୟାର ସମାଧାନ କରିବାରେ ଶାସକ ବିଜେଡି ବିଫଳ ହୋଇଛି । ଅନ୍ୟ ପଟେ ଶାସକ ବିଜେଡି ଗତ କାଲି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା କରି ଆଦିବାସୀମାନଙ୍କୁ ପୁଣି ଥରେ ପ୍ରତାରିତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ବାରମ୍ବାର ପ୍ରତାରଣାକୁ ରାଜ୍ୟର ସରଳ ଓ ନିରୀହ ଆଦିବାସୀମାନେ ନିଶ୍ଚିତ ଭାବେ ଉଚିତ୍ ଜବାବ୍ ଦେବେ ବୋଲି ଶ୍ରୀମତୀ ମୁର୍ମୁ ଦୃଢୋକ୍ତି ପ୍ରକାଶ କରିଥିବା ବିଜେପି କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହା ଯାଇଛି |