“ହାଇ-ଭୋଲ୍ଟେଜ୍ ଟାୱାର ଚଢ଼ିଲେ କିଛି ଅଜଣା ବ୍ୟକ୍ତି; ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ୍ କାଟ୍, ଉପଭୋକ୍ତା ପ୍ରଭାବିତ”

33

ଭୁବନେଶ୍ୱର: ବୁଧବାର, ନଭେମ୍ବର ୨୫ ତାରିଖ ଦିନ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ କେତେକ ଅଜଣା ବ୍ୟକ୍ତି ହାଇ-ଭୋଲ୍ଟେଜ୍ ଟ୍ରାନ୍ସମିଶନ୍ ଟାୱାର ଏବଂ ଅନ୍ୟାନ୍ୟ ବିଦ୍ୟୁତ୍ ଭିତ୍ତିଭୂମି ଉପରକୁ ଚଢ଼ିଯାଇଥିଲେ। ଫଳରେ ଜରୁରୀ ସୁରକ୍ଷା ପଦକ୍ଷେପ ସ୍ୱରୂପ ବିଦ୍ୟୁତ୍ ବିତରଣ ସଂସ୍ଥାଗୁଡ଼ିକୁ ବିଭିନ୍ନ ଅଞ୍ଚଳରେ ସାମୟିକ ଭାବେ ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ପଡ଼ିଥିଲା। ଏହି ଘଟଣାଗୁଡ଼ିକ ଯୋଗୁଁ ବିଦ୍ୟୁତ୍ ନେଟୱର୍କ ବାଧାପ୍ରାପ୍ତ ହେବା ସହ ହଜାର ହଜାର ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନେକ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି।

ଆଚାର୍ଯ୍ୟ ବିହାର, ସତ୍ୟ ବିହାର, ପିପିଲି ଏବଂ ପିତାପଲ୍ଲୀ ଠାରେ ପ୍ରତି ସ୍ଥାନରେ ଦୁଇରୁ ତିନି ଜଣ ବ୍ୟକ୍ତି ହାଇ-ଭୋଲ୍ଟେଜ୍ ଟାୱାର ଉପରକୁ ଚଢ଼ିଯାଇଥିବା ଜଣାପଡ଼ିଛି।

ପରିଣାମସ୍ୱରୂପ ଭୁବନେଶ୍ୱରର ସତ୍ୟ ବିହାର, ଆଚାର୍ଯ୍ୟ ବିହାର, ସଚିବାଳୟ ଅଞ୍ଚଳ, ହାଇ-ଟେକ୍ ଛକ ଏବଂ ମଞ୍ଚେଶ୍ୱର ସମେତ ପିପିଲି ଥାନା ଅନ୍ତର୍ଗତ ସିଫା (CIFA) ନିକଟସ୍ଥ ଉତ୍ତରା ଅଞ୍ଚଳରେ ସାମୟିକ ଭାବେ ବିଦ୍ୟୁତ୍ ଯୋଗାଣ ସ୍ଥଗିତ ରଖିବାକୁ ପଡ଼ିଥିଲା।

ଜଟଣୀ ଏବଂ ଖୋର୍ଦ୍ଧାରେ ମଧ୍ୟ ସମାନ ଧରଣର ଘଟଣା ଘଟିଥିବା ସୂଚନା ମିଳିଛି।

ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ୍ ଭିତ୍ତିଭୂମିରେ ଜାଣିଶୁଣି ହସ୍ତକ୍ଷେପ କରି ଏହି ବ୍ୟକ୍ତିମାନେ ବିଦ୍ୟୁତ୍ ନେଟୱର୍କକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରିଥିଲେ। ବିଦ୍ୟୁତ୍ ଆଘାତକୁ ରୋକିବା, ସମ୍ଭାବ୍ୟ ପ୍ରାଣଘାତୀ ଦୁର୍ଘଟଣାକୁ ଏଡ଼ାଇବା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହି ବିଦ୍ୟୁତ୍ କାଟ୍ ଅପରିହାର୍ଯ୍ୟ ଥିଲା। ତେବେ ଏହାଦ୍ୱାରା ଅତ୍ୟାବଶ୍ୟକ ସେବା ବାଧାପ୍ରାପ୍ତ ହୋଇଥିଲା ଏବଂ ସାଧାରଣ ପରିବାର, ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ବାଣିଜ୍ୟ ପ୍ରତିଷ୍ଠାନଗୁଡ଼ିକ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ହାଇ-ଭୋଲ୍ଟେଜ୍ ଟାୱାରଗୁଡ଼ିକରେ ଅତ୍ୟନ୍ତ ବିପଜ୍ଜନକ ମାତ୍ରାର ବିଦ୍ୟୁତ୍ ପ୍ରବାହିତ ହୋଇଥାଏ। ସାମାନ୍ୟ ଅସାବଧାନତା, ସ୍ପାର୍କ କିମ୍ବା ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ଭୟଙ୍କର ପରିଣାମ ଘଟିଥାନ୍ତା—ଯାହା କେବଳ ଟାୱାର ଚଢ଼ିଥିବା ବ୍ୟକ୍ତିଙ୍କ ପାଇଁ ନୁହେଁ, ବରଂ ସେମାନଙ୍କ ପରିବାର ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜରୁରୀକାଳୀନ କର୍ମଚାରୀଙ୍କ ପାଇଁ ମଧ୍ୟ ଘାତକ ସାବ୍ୟସ୍ତ ହୋଇଥାନ୍ତା।

ପ୍ରତ୍ୟେକ ପ୍ରଭାବିତ ସ୍ଥାନରେ ଅଗ୍ନିଶମ ବାହିନୀ ଏବଂ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା। ଅନେକ ବ୍ୟକ୍ତି ପ୍ରାୟ ୩୦ ରୁ ୪୦ ଫୁଟ ଉପରକୁ ଚଢ଼ିଯାଇଥିଲେ ଏବଂ ଉଦ୍ଧାରକାରୀ ଦଳ ନିକଟତର ହେବା ମାତ୍ରେ ସେମାନେ ଆହୁରି ଉପରକୁ ଚଢ଼ିଯାଉଥିବା ଜଣାପଡ଼ିଛି। ଏହାଦ୍ୱାରା ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେବା ସହ ଅନ୍ୟ ଜରୁରୀକାଳୀନ ପରିସ୍ଥିତିରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ସମୟ ନଷ୍ଟ ହୋଇଥିଲା।

ବିଦ୍ୟୁତ୍ ବିତରଣ ସଂସ୍ଥାର କର୍ମଚାରୀମାନେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ତଳକୁ ଓହ୍ଲାଇ ଆସିବାକୁ ବାରମ୍ବାର ନିବେଦନ କରିଥିଲେ ଏବଂ ଚେତାବନୀ ଦେଇଥିଲେ ଯେ ବିଦ୍ୟୁତ୍ ଖୁଣ୍ଟ, ସବ୍-ଷ୍ଟେସନ୍, ଟାୱାର ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ହେଉଛି ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସମ୍ପତ୍ତି; ଏହା ଉପରକୁ କେବେ ବି ଚଢ଼ିବା, ଏହାକୁ ଅବରୋଧ କରିବା କିମ୍ବା ଏଥିରେ କୌଣସି କ୍ଷତି ପହଞ୍ଚାଇବା ଉଚିତ୍ ନୁହେଁ। ଯଥାଶୀଘ୍ର ଏବଂ ସୁରକ୍ଷିତ ଭାବେ ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପିତ କରିବା ପାଇଁ ବିଦ୍ୟୁତ୍ ବିଭାଗର ଦଳଗୁଡ଼ିକ ନିରନ୍ତର କାର୍ଯ୍ୟ କରିଥିଲେ।

ବିଦ୍ୟୁତ୍ ଭିତ୍ତିଭୂମି ସୁରକ୍ଷା ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତି ବିଦ୍ୟୁତ୍ ସରଞ୍ଜାମ ଓ ପ୍ରତିଷ୍ଠାନଠାରୁ ସୁରକ୍ଷିତ ଦୂରତା ବଜାୟ ରଖିବା ଉଚିତ୍ ଏବଂ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା, ସାର୍ବଜନୀନ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଉଥିବା କିମ୍ବା ଅତ୍ୟାବଶ୍ୟକ ସେବାରେ ବାଧା ସୃଷ୍ଟି କରୁଥିବା କୌଣସି କାର୍ଯ୍ୟରୁ ନିବୃତ୍ତ ରହିବା ଆବଶ୍ୟକ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଟିପିସିଓଡ଼ିଏଲ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି |

Leave A Reply

Your email address will not be published.