ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳିତ

6

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ଜନଜାତୀୟ ସଂସ୍କୃତି ଓ ବୀରତ୍ୱକୁ ସ୍ମରଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତୀୟ ଜନନାୟକ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମଜୟନ୍ତୀ ଏବଂ ରାଷ୍ଟ୍ରୀୟ ଜନଜାତୀୟ ଗୌରବ ଦିବସ ଗଜପତି ଷ୍ଟାଡିୟମ୍‌ଠାରେ ଜିଲ୍ଲାସ୍ତରରେ ପାଳିତ ହୋଇଯାଇଛି।
୧୮୭୫ ମସିହା ନଭେମ୍ବର ୧୫ ତାରିଖରେ ଜନ୍ମଗ୍ରହଣ କରିଥିବା ବିର୍ସା ମୁଣ୍ଡାଙ୍କ ତ୍ୟାଗ , ସାହସ ଓ ଦେଶପ୍ରେମ ଆଜି ମଧ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କର ଅମୂଲ୍ୟ ଅବଦାନକୁ ସ୍ମରଣ କରିବା ସହ ଜନଜାତୀୟ ସମାଜର ବିକାଶ , ସଂସ୍କୃତିର ସୁରକ୍ଷା ଓ ସଶକ୍ତୀକରଣ ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନେ ଭଗବାନ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନେ ନିଜ ଅଭିଭାଷଣରେ ଜନଜାତୀୟ ସଂସ୍କୃତି , ପରମ୍ପରା ଓ ଦେଶର ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ବୀରମାନଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।
ଆଜିର ଉତ୍ସବରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନଜାତୀୟ କଳାକାରମାନେ ନିଜର ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ।
ଏହି ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନଜାତୀୟ ସମାଜର ବିକାଶ , ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଏବଂ ଏକ ସଶକ୍ତ ରାଷ୍ଟ୍ର ନିର୍ମାଣ ଦିଗରେ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀମାନେ ଶପଥ ଗ୍ରହଣ କରିଥିଲେ। ସେହିପରି ବିଭିନ୍ନ ବିଭାଗ ସଫଳ ହିତାଧିକାରୀଙ୍କୁ ପୁରଷ୍କୃତ କରାଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ କାମଦେବ ବଡ଼ନାୟକ , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା , ପାରଳାଖେମୁଣ୍ଡିର ଶ୍ରୀ ଅଂଶୁମାନ ମହାପାତ୍ର , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୋଲମନ ରାଇକା ଓ ଏସିଏଫ୍ ପାରଳାଖେମୁଣ୍ଡି ଶ୍ରୀ ଏ.ଗୋବିନ୍ଦରାମ ପ୍ରମୁଖ ଯୋଗଦେଇଥିଲେ।
ଏହାସହ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ , ଶିକ୍ଷକ-ଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀ ଓ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ଆସିଥିବା ଜନଜାତୀୟ ସମ୍ପ୍ରଦାୟର ଜନ ସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ। ପରେ ପରେ ମହାରାଷ୍ଟ୍ରରୁ ଜନଜାତି ଗୌରବ ଦିବସର ସିଧା ପ୍ରସାରଣ କରାଯାଇଥିଲା।

Leave A Reply

Your email address will not be published.