ପୁରୀ: ପୁରୀ ଏସ୍ସିଏସ୍ (ସ୍ୱୟଂଶାସିତ) କଲେଜ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପଦ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ଖାତାକୁ ଯାଇଥିବା ବେଳେ ଉପସଭାପତି, ସାଧାରଣ ସମ୍ପାଦକ ଓ ସହକାରୀ ସାଧାରଣ ସମ୍ପାଦକ ସମେତ ଅନ୍ୟ ପ୍ରମୁଖ ପଦବୀ ହାତେଇଛି ଏନ୍ଏସ୍ୟୁଆଇ। ଏହି ନିର୍ବାଚନ ଫଳାଫଳ କଲେଜ ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି କରିଛି। ଏହାକୁ ଯୁବପିଢ଼ିଙ୍କ କଂଗ୍ରେସ ପ୍ରତି ଆସ୍ଥାର ପ୍ରତିଫଳନ ବୋଲି ଦଳୀୟ ମହଲରେ ଅଭିହିତ କରାଯାଇଛି।
ନିର୍ବାଚନରେ ସଭାପତି ଭାବେ ରାଜେନ୍ଦ୍ର ନାୟକ, ଉପସଭାପତି ଭାବେ ଯଜ୍ଞସେନୀ ମିଶ୍ର, ସାଧାରଣ ସମ୍ପାଦକ ଭାବେ ସସ୍ୱତ ଦଳାଇ ଏବଂ ସହକାରୀ ସାଧାରଣ ସମ୍ପାଦକ ଭାବେ ସୋମଶ୍ରୀ ସାହୁ ନିର୍ବାଚିତ ହୋଇଛନ୍ତି। ସେହିପରି ନାଟ୍ୟ ସଂସଦର ସମ୍ପାଦକ ଭାବେ ଦେବଶ୍ରୀ ପଟ୍ଟନାୟକ, କ୍ରୀଡ଼ା ସଂଘର ସମ୍ପାଦକ ଭାବେ ଅଭିଷେକ ଜେନା, କଳା ସମାଜର ସମ୍ପାଦକ ଭାବେ ରାକେଶ ରଞ୍ଜନ ଦୀକ୍ଷିତ ଏବଂ ବାଣିଜ୍ୟ ସମାଜର ସମ୍ପାଦକ ଭାବେ ମନଦୀପ ସାହୁ ବିଜୟୀ ହୋଇଛନ୍ତି। ଏଥିସହ ଅନେକ ପଦରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।
ଏହି ବିଜୟକୁ ନେଇ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ. ରାଜେଶ କୁମାର ମିଶ୍ର ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଛାତ୍ରଛାତ୍ରୀଙ୍କ ଆସ୍ଥା, ବିଶ୍ୱାସ ଓ ସମର୍ଥନ ଛାତ୍ର କଂଗ୍ରେସକୁ ଆଗାମୀ ଦିନରେ ଆହୁରି ସୁଦୃଢ଼ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଛାତ୍ର ସମାଜର ସ୍ୱର ଭାବେ ଛାତ୍ର ସଂସଦ କାର୍ଯ୍ୟ କରିବା ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ ଓ ଛାତ୍ରଛାତ୍ରୀଙ୍କ ହିତ ପାଇଁ ନବନିର୍ବାଚିତ ପ୍ରତିନିଧିମାନେ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି।