ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୫ ପଞ୍ଚାୟତର ସରପଞ୍ଚଙ୍କ ଲିଖିତ ଅଭିଯୋଗ
ଓଡ଼ଗାଁ, ୧୪।୧୦ (ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଜୋନ୍-୧ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପୂର୍ବରୁ ଲାଗିଥିବା ଉଚ୍ଚ କ୍ଷମତାସମ୍ପନ୍ନ ସୋଲାର ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକୁ ନ ବଦଳାଇବାକୁ ଦାବି ହୋଇଛି। ଏନେଇ ୫ଟି ପଞ୍ଚାୟତର ସରପଞ୍ଚ ନୟାଗଡ଼ସ୍ଥିତ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ଏହି ପ୍ରସଙ୍ଗରେ ହସ୍ତକ୍ଷେପ ଲୋଡ଼ିଛନ୍ତି। କୁରାଳ ସରପଞ୍ଚ ବିଜନ ପାଇକରାୟଙ୍କ ନେତୃତ୍ୱରେ ରୋହିବାଙ୍କ, କୋମଣ୍ଡ, କୁରାଳ, ପାଣ୍ଡେରିପଡ଼ା ସମେତ ୫ଟି ପଞ୍ଚାୟତର ସରପଞ୍ଚ ଏହି ଦାବି ଜଣାଇଛନ୍ତି। ସୂଚନାନୁସାରେ, ନିର୍ଦ୍ଧାରିତ ଅନୁମୋଦନ ଅନୁଯାୟୀ ସୋଲାର ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କରାଯାଇ ନଥିବା ଦର୍ଶାଇ ପୂର୍ତ୍ତ ବିଭାଗର ବିଦ୍ୟୁତ୍ ଶାଖା ପକ୍ଷରୁ ପୂର୍ବରୁ ଲାଗିଥିବା ଫିଲିପ୍ସ କମ୍ପାନୀର ଲାଇଟ୍ଗୁଡ଼ିକୁ ବଦଳାଯାଇ ସେହି ସ୍ଥାନରେ ଆଙ୍କର କମ୍ପାନୀର ଲାଇଟ୍ ଲଗାଯାଉଛି। ତେବେ ନୂତନ ଭାବେ ସ୍ଥାପିତ ଲାଇଟ୍ଗୁଡ଼ିକରୁ ଆଶାନୁରୂପ ଆଲୋକ ମିଳୁ ନଥିବା ନେଇ ବିଭିନ୍ନ ପଞ୍ଚାୟତରେ ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବରୁ ଲାଗିଥିବା ଫିଲିପ୍ସ ସୋଲାର ଷ୍ଟ୍ରିଟ୍ ଲାଇଟ୍ର କ୍ଷମତା ୬୬ ୱାଟ୍, ୨୪ ଭୋଲ୍ଟ ଓ ୧୨୦୦ ଲୁମେନ୍ ଥିବାବେଳେ ଏଥିରେ ୨୫ ଆମ୍ପିୟର-ଆୱାର କ୍ଷମତାର ବ୍ୟାଟେରି ରହିଥିଲା। ଅନ୍ୟପକ୍ଷରେ, ବର୍ତ୍ତମାନ ଲଗାଯାଉଥିବା ଆଙ୍କର କମ୍ପାନୀର ସୋଲାର ଲାଇଟ୍ର କ୍ଷମତା ୬୦ ୱାଟ୍, ୧୨ ଭୋଲ୍ଟ ଓ ୧୦୦୦ ଲୁମେନ୍ ଥିବାବେଳେ ଏଥିରେ ୭୮ ଆମ୍ପିୟର-ଆୱାର କ୍ଷମତାର ବ୍ୟାଟେରି ରହିଛି। ପୂର୍ବରୁ ଲାଗିଥିବା ଲାଇଟ୍ଗୁଡ଼ିକ ସାମାନ୍ୟ ଅନ୍ଧାର ହେବା ମାତ୍ରେ ଜଳି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିଲା। ତେବେ ଏହାର ବ୍ୟାଟେରି ଶୀଘ୍ର ଶକ୍ତି ହରାଉଥିବା ସମସ୍ୟା ରହିଥିଲା। ନୂତନ ଲାଇଟ୍ଗୁଡ଼ିକରେ ସେନ୍ସର ବ୍ୟବସ୍ଥା ଥିବାରୁ ଅଧିକ ଅନ୍ଧାର ହେଲେ ଏହା ଜଳିଥାଏ। ଲାଇଟ୍ ତଳେ କେହି ନଥିଲେ ଆଲୋକର ତୀବ୍ରତା କମିଯାଉଥିବାବେଳେ କେହି ନିକଟକୁ ଆସିଲେ ଆଲୋକର ତୀବ୍ରତା ବୃଦ୍ଧି ପାଇଥାଏ। ଏହି ବ୍ୟବସ୍ଥା ଦ୍ୱାରା ବ୍ୟାଟେରିର ଶକ୍ତି ଅଧିକ ସମୟ ଧରି ରହିପାରିବ ବୋଲି କୁହାଯାଉଛି। ନିର୍ଦ୍ଧାରିତ ଅନୁମୋଦନ ଅନୁଯାୟୀ ଲାଇଟ୍ ସ୍ଥାପନ କରାଯାଇ ନଥିବାରୁ ପୂର୍ବରୁ ଲାଗିଥିବା ଲାଇଟ୍ଗୁଡ଼ିକୁ ବଦଳାଯାଉଥିବା ବିଭାଗ ପକ୍ଷରୁ କୁହାଯାଉଛି। ମାତ୍ର ନୂତନ ଲାଇଟ୍ର ଆଲୋକକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେଣୁ ପୂର୍ବରୁ ଲାଗିଥିବା ସୋଲାର ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକୁ ଅପରିବର୍ତ୍ତିତ ରଖିବାକୁ ସରପଞ୍ଚମାନେ ଦାବି କରିଛନ୍ତି। ଏହି ସମସ୍ୟାର ସମାଧାନ ସହ ଜନସାଧାରଣଙ୍କୁ ଉପଯୁକ୍ତ ଆଲୋକ ସୁବିଧା ଯୋଗାଇଦେବା ଦିଗରେ ବିଭାଗୀୟ ଅଧିକାରୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି।