ଓଡ଼ଗାଁ, ୧୪।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ପୁଣିଥରେ ସଫଳତା ହାସଲ କରି ନୟାଗଡ଼ ଜିଲ୍ଲା ସମେତ ଓଡ଼ଗାଁ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ବର୍ଷାରାଣୀ ସାହୁ। ଅନୁଗୁଳଠାରେ ଅକ୍ଟୋବର ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୨୧ତମ ଓଡ଼ିଶା ରାଜ୍ୟସ୍ତରୀୟ କ୍ୱାଏ ମାର୍ଶାଲ ଆର୍ଟ ଚାମ୍ପିୟନସିପ୍ରେ ଅଂଶଗ୍ରହଣ କରି ସେ ସ୍ୱର୍ଣ୍ଣପଦକ ହାସଲ କରିବାର ସୈ।ଭାଗ୍ୟ ଛନ୍ତି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ଗୁପ୍ତ ମଠ ସାହିର ବାସିନ୍ଦା ବର୍ଷାରାଣୀ ସାହୁ ଉକ୍ତ ପ୍ରତିଯୋଗିତାର କେ-ଫୋର୍ ବର୍ଗରେ ଭାଗ ନେଇ ଏହି ସଫଳତା ହାସଲ କରିଛନ୍ତି। ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କଟକ, ଅନୁଗୁଳ, ନୟାଗଡ଼, କୋରାପୁଟ, ଗଞ୍ଜାମ ସମେତ ବିଭିନ୍ନ ଜିଲ୍ଲାର ପ୍ରାୟ ୪୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଉଦ୍ଘାଟନୀ ଉତ୍ସବରେ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହ କ୍ରୀଡ଼ାକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ସହ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ ପାଇଁ ଉତ୍ସାହିତ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥିଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସେଠ, ଜିଲ୍ଲା ସମ୍ପାଦକ ଦୁଷ୍ମନ୍ତ କୁମାର ନାଥ ଏବଂ ରାଜ୍ୟ ସମ୍ପାଦକ ଏସ୍.କେ. ସଲାଇଉଦ୍ଦିନଙ୍କ ସମେତ ରାଜ୍ୟ ଉପସଭାପତି ଉପସ୍ଥିତ ଥିଲେ। ଆସନ୍ତା ଜାନୁଆରୀ ୩ରୁ ୬ ତାରିଖ ପର୍ଯ୍ୟନ୍ତ କଟକଠାରେ ଜାତୀୟସ୍ତରୀୟ ମାର୍ଶାଲ ଆର୍ଟ ପ୍ରତିଯୋଗିତା ଆୟୋଜିତ ହେବ ବୋଲି ରାଜ୍ୟ ସମ୍ପାଦକ ନିଜ ଅଭିଭାଷଣରେ ସୂଚନା ଦେଇଥିଲେ। ବର୍ଷାରାଣୀଙ୍କ ଏହି ସଫଳତା ଓଡ଼ଗାଁ ଅଞ୍ଚଳରେ ଆନନ୍ଦ ପ୍ରକାଶ କରିଛି।
Sign in
Sign in
Recover your password.
A password will be e-mailed to you.