ଶକ୍ତିଶ୍ରୀ ସଶକ୍ତୀକରଣ ପ୍ରକୋଷ୍ଠ ପକ୍ଷରୁ ମାନସିକ ଓ ଭାବନାତ୍ମକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

25

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ଶକ୍ତିଶ୍ରୀ ସଶକ୍ତୀକରଣ ପ୍ରକୋଷ୍ଠ ପକ୍ଷରୁ ଭାବନାତ୍ମକ ଓ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନସିକ ସୁସ୍ଥତା , ଭାବନାର ସନ୍ତୁଳନ , ଚାପ ପରିଚାଳନା ଏବଂ ସକାରାତ୍ମକ ଜୀବନଶୈଳୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁ ଙ୍କ ନିର୍ଦ୍ଧେଶକ୍ରମେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା। ଏହି ଅବସରରେ ମନ ଶିକ୍ଷା ବିଶେଷଜ୍ଞ ପ୍ରଫେସର ମନହେମ ନାୟକ ବକ୍ତା ଭାବେ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ , ଭାବନାତ୍ମକ ସମସ୍ୟାର ମୁକାବିଲା , ମାନସିକ ଚାପ ନିୟନ୍ତ୍ରଣ ଏବଂ ଜୀବନରେ ସକାରାତ୍ମକ ଚିନ୍ତାଧାରାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।
ସେହିପରି ସଲ୍ଟ ଫାଉଣ୍ଡେସନର ନିର୍ଦ୍ଦେଶକ ସାଧକ ପାଣି ମଧ୍ୟ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ସମ୍ବେଦନଶୀଳ ହେବା ସହ ଆବଶ୍ୟକ ସମୟରେ ଉପଯୁକ୍ତ ସହଯୋଗ ଓ ପରାମର୍ଶ ଗ୍ରହଣ କରିବାର ଆବଶ୍ୟକତା ଉପରେ ମତପ୍ରକାଶ କରିଥିଲେ।
ଶକ୍ତିଶ୍ରୀ ସଶକ୍ତୀକରଣ ପ୍ରକୋଷ୍ଠର ସଦସ୍ୟା ତଥା ସ୍ନାତକୋତ୍ତର ଓଡ଼ିଆ ବିଭାଗର ସହକାରୀ ପ୍ରାଧ୍ୟାପିକା ଡ. ଚାରୁପ୍ରଭା ନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହାର ସଫଳ ଆୟୋଜନରେ ସହଯୋଗ କରିଥିଲେ ଏବଂ କହିଥିଲେ ଯେ ମନ ଓ ଶରୀରର ସୁସ୍ଥତା ଜଣେ ବ୍ୟକ୍ତିର ସାମଗ୍ରିକ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ବୋଲି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିରେ ରୋହିତ କୁମାର ନାୟକ , ଅନୁପମା ଏକ୍କା ଓ ଅନ୍ୟାନ୍ୟ ସଲ୍ଟ ଫାଉଣ୍ଡେସନର କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ରାଇଟର୍ ଷ୍ଟାର୍ ଟିମ୍ ପକ୍ଷରୁ ଏକ ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା , ଯାହା ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିଥିଲା।
କାର୍ଯ୍ୟକ୍ରମର ଆରମ୍ଭରେ ଛାତ୍ରୀ ସ୍ନେହା ବେହେରା ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ। ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଡ଼.କିରଣବାଳା ଭୂୟାଁ , ଡ. ବିପ୍ଳବ ରଞ୍ଜନ ପ୍ରଧାନ , ଡ. ସୁଭଶ୍ରୀ ପ୍ରିୟଦର୍ଶିନୀ , ଡ. କୋମଳ ଶିଖା ମଲ୍ଲିକ ଓ ଡ. ସୁନାସୀର ମିଶ୍ରଙ୍କ ସମେତ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ଇତିହାସ ବିଭାଗର ଅଧ୍ୟାପିକା ସୁଜାତା ଗମାଙ୍ଗ ଧନ୍ୟବାଦ ଅର୍ପଣ କରି ଅତିଥି , ବକ୍ତା , ଆୟୋଜକ ଓ ସମସ୍ତ ସହଯୋଗୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।
ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନତା ବୃଦ୍ଧି କରିବା ସହ ଏକ ସୁସ୍ଥ , ସମ୍ବେଦନଶୀଳ ଓ ସହଯୋଗପୂର୍ଣ୍ଣ ଶିକ୍ଷା ପରିବେଶ ଗଠନ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ପରିଗଣିତ ହୋଇଥିଲା।

Leave A Reply

Your email address will not be published.