ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ
· ବରଗଡ଼ ଜିଲ୍ଲାର ‘ଦି କୋଶଳ ସ୍କୁଲ’ରେ ଉଦ୍ଘାଟିତ ଏହି ସୁବିଧା ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ୍), ବିମାନ ଚଳାଚଳ ତଥା ଏରୋମଡେଲିଂର ବ୍ୟବହାରିକ ଶିକ୍ଷା ପ୍ରଦାନ କରିବ, ଯାହା ଦ୍ୱାରା ରାଜ୍ୟର ବାର୍ଷିକ ୨,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଲାଭବାନ ହେବେ
ବରଗଡ଼, ୧୧ ଅକ୍ଟୋବର, ୨୦୨୬: ମାନ୍ୟବର ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଆଜି ଓଡ଼ିଶାର ବରଗଡ଼ ଜିଲ୍ଲାସ୍ଥିତ ‘ଦି କୋଶଳ ସ୍କୁଲ’ରେ ଏକ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ୍ ଲ୍ୟାବ ଏବଂ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ-ଉଦଘାଟନ କରିଛନ୍ତି । ଏହି କେନ୍ଦ୍ର ଦ୍ୱାରା ବାର୍ଷିକ ୨,୦୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପକୃତ ହେବେ ।
ଉଦଘାଟନୀ ଉତ୍ସବରେ ମାନ୍ୟବର ରାଜ୍ୟପାଳଙ୍କ ସହିତ ଅତାବିରାର ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ; ଭଟଲିର ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ; ବରଗଡ଼ର ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ; ବରଗଡ଼ର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଆଦିତ୍ୟ ଗୋୟଲ, ଆଇଏଏସ; ଦ କୋଶଳ ସ୍କୁଲର ଅଧ୍ୟକ୍ଷ ଶ୍ରୀ ମୁରଲୀ କୃଷ୍ଣ ଗନ୍ନାମନୀ; ବିଦ୍ୟାଳୟର ଅଧ୍ୟକ୍ଷ; ଶିକ୍ଷକ-ଶିକ୍ଷୟିତ୍ରୀ; ଛାତ୍ରଛାତ୍ରୀ ଏବଂ ବୋଇଂ ତଥା ଲର୍ଣ୍ଣିଂ ଲିଙ୍କସ୍ ଫାଉଣ୍ଡେସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟପାଳ ଏହି କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ଛାତ୍ର ନବସୃଜନ ପ୍ରଦର୍ଶନୀରେ ପିଲାମାନଙ୍କ ସହ କଥାବାର୍ତ୍ତା କରିଥିଲେ, ଯେଉଁଠାରେ ଛାତ୍ରଛାତ୍ରୀମାନେ ନିଜର ପ୍ରକଳ୍ପ, ନମୁନା ଓ ଏରୋମଡେଲିଂ ଉଡ଼ାଣ କାର୍ଯ୍ୟକଳାପ ପ୍ରଦର୍ଶନ କରିଥିଲେ ।
ମାନ୍ୟବର ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି କହିଛନ୍ତି, “ଗୁଣାତ୍ମକ ଷ୍ଟେମ୍ ଶିକ୍ଷାର ପରିସର ବିସ୍ତାର କରିବା ଆମର ଲକ୍ଷ୍ୟ । ‘ଦି କୋଶଳ ସ୍କୁଲ’ରେ ପ୍ରତିଷ୍ଠିତ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ୍ ଲ୍ୟାବ୍ ଏବଂ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବୈଜ୍ଞାନିକ ମନୋଭାବ ଗଢ଼ି ତୋଳିବାରେ ସାହାଯ୍ୟ କରିବ, ଯାହା ସେମାନଙ୍କୁ ଭାରତର ଦ୍ରୁତ ବିକାଶମୁଖୀ ପ୍ରଯୁକ୍ତିବିଦ୍ୟା ଶିଳ୍ପରେ ଭାଗ ନେବାକୁ ଉତ୍ସାହିତ କରିବ ।”
ବୋଇଂ ଇଣ୍ଡିଆ ଓ ଦକ୍ଷିଣ ଏସିଆର ସଭାପତି ଶ୍ରୀ ସଲିଲ ଗୁପ୍ତେ କହିଛନ୍ତି, “ରାଜ୍ୟପାଳ ନିଜେ ଉପସ୍ଥିତ ରହି ଏହି ଷ୍ଟେମ୍ ଲ୍ୟାବ୍ ଏବଂ ଏରୋମଡେଲିଂ କେନ୍ଦ୍ରକୁ ବରଗଡ଼ର ପିଲାମାନଙ୍କ ପାଇଁ ସମର୍ପଣ କରିଥିବାରୁ ଆମେ ଗୌରବାନ୍ୱିତ । ଏହି ଦୁଇଟି ପ୍ରୟାସ ବରଗଡ଼ର ପିଲାମାନଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ ଭାରତୀୟ ବିମାନ ଚଳାଚଳ ତଥା ଷ୍ଟେମ୍ କ୍ଷେତ୍ରରେ କ୍ୟାରିୟର ଗଢ଼ିବା ପାଇଁ ସୁଯୋଗ ସୃଷ୍ଟି କରିବ ।”
ଫ୍ଲୁଏଣ୍ଟଗ୍ରିଡ୍ ଲିମିଟେଡର ସିଇଓ ତଥା ଏମ୍ଡି ଏବଂ ‘ଦି କୋଶଳ ସ୍କୁଲ’ର ଅଧ୍ୟକ୍ଷ ଶ୍ରୀ ମୁରଲୀ କ୍ରିଷ୍ଣା ଗନ୍ନମଣି କହିଛନ୍ତି, “‘ଦି କୋଶଳ ସ୍କୁଲ’ରେ ଏହି କେନ୍ଦ୍ର ଆରମ୍ଭ କରିପାରିଥିବାରୁ ଆମେ ଅତ୍ୟନ୍ତ ଗର୍ବିତ । ୧୯୭୯ ମସିହାରେ ପ୍ରତିଷ୍ଠିତ ‘‘ଦି କୋଶଳ ସ୍କୁଲ’ ଏକ ଅଣ-ଲାଭକାରୀ ଅନୁଷ୍ଠାନ, ଯାହା ସିବିଏସ୍ଇ ଅନୁବନ୍ଧିତ ପଶ୍ଚିମ ଓଡ଼ିଶାର ପ୍ରାରମ୍ଭିକ ଆବାସିକ ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଅନ୍ୟତମ । ବୋଇଂ ଏବଂ ଲର୍ଣ୍ଣିଂ ଲିଙ୍କସ୍ ଫାଉଣ୍ଡେସନ୍ ସହିତ ଭାଗିଦାରୀ ଆମକୁ ଆମ ଛାତ୍ରଛାତ୍ରୀମାନଙ୍କୁ ପାରମ୍ପରିକ ପାଠ୍ୟପୁସ୍ତକ ବାହାରେ ଉତ୍କୃଷ୍ଟ ଶିକ୍ଷଣ ସୁଯୋଗ ଏବଂ ବ୍ୟବହାରିକ ଅଭିଜ୍ଞତା ପ୍ରଦାନ କରିବାର ସୁଯୋଗ ଦେଇଛି । ମାନ୍ୟବର ରାଜ୍ୟପାଳଙ୍କ ଉପସ୍ଥିତି ଆମ ଉତ୍ସାହକୁ ଦ୍ୱିଗୁଣିତ କରିବା ସହ ଉତ୍ସବକୁ ଚିର ସ୍ମରଣୀୟ କରିଥିବାରୁ ଆମେ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।”
ଫ୍ଲୁଏଣ୍ଟଗ୍ରିଡ୍ ଲିମିଟେଡର ସିଏସଆର ଶାଖା ‘ଆନନ୍ଦ ସିଟିଜେନ୍’ ଏହି ଷ୍ଟେମ୍ ଲ୍ୟାବ୍ ଓ ଏରୋମଡେଲିଂ କେନ୍ଦ୍ର ପ୍ରତିଷ୍ଠା ପାଇଁ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇ ବେଶ ଖୁସି ପ୍ରକାଶ କରିଛି । ଆନନ୍ଦ ସିଟିଜେନ୍ ଏଠାରେ ଏକ ଏଆଇ ଲ୍ୟାବ୍ ମଧ୍ୟ ଯୋଡ଼ିଛି । ମିଳିତ ଭାବେ ଏହି ସୁବିଧାଗୁଡ଼ିକ ଦି କୋଶଳ ସ୍କୁଲ ଏବଂ ଆଖପାଖ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଷ୍ଟେମ୍, ଏରୋସ୍ପେସ୍ ଏବଂ ଏଆଇ ଧାରଣାଗୁଡ଼ିକ ବିଷୟରେ ଶିଖିବା, ଅନୁଭବ କରିବା ଏବଂ ପରୀକ୍ଷଣ କରିବାର ସୁଯୋଗ ଦେବ ।
ଏହି ସମସ୍ତ ସୁବିଧା ମିଳିତ ଭାବେ ‘ଦି କୋଶଳ ସ୍କୁଲ’ ଏବଂ ଏହାର ଆଖପାଖ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କୁ ଷ୍ଟେମ୍, ଏରୋସ୍ପେସ୍ ଏବଂ ଏଆଇ ଶିକ୍ଷା ଗୁଡ଼ିକୁ ଶିଖିବା, ଅନୁଭବ କରିବା ତଥା ପରୀକ୍ଷା ନିରୀକ୍ଷା କରିବାର ସୁଯୋଗ ଯୋଗାଇଦେବ ।
ନୂତନ ଭାବେ ଉଦ୍ଘାଟିତ ଏହି ଶିକ୍ଷଣ କେନ୍ଦ୍ରଗୁଡ଼ିକର ବିଶେଷତା :
- ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ୍ ଲ୍ୟାବ୍: ଏହା ଛାତ୍ରଛାତ୍ରୀମାନଙ୍କୁ ରୋବୋଟିକ୍ସ, ଫିଜିକାଲ୍ କମ୍ପ୍ୟୁଟିଂ, ଇଲେକ୍ଟ୍ରୋନିକ୍ସ, କୃତ୍ରିମ ବୁଦ୍ଧିମତ୍ତା, ରାପିଡ୍ ପ୍ରୋଟୋଟାଇପିଂ ଏବଂ ଏରୋସ୍ପେସ୍ ବିଷୟବସ୍ତୁ ଅନୁସନ୍ଧାନ କରିବାକୁ ସୁଯୋଗ ଦିଏ ।
- ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର: ବିମାନ ଚଳାଚଳର ବ୍ୟବହାରିକ ଯାନ୍ତ୍ରିକତା, ଏରୋଡାଇନାମିକ୍ସ, ବିମାନର ଡିଜାଇନ୍, ଉଡ଼ାଣ ଏବଂ ମଡେଲ୍ ବିମାନ ତିଆରି ଶିଖାଇବା ଉପରେ ଏହି କେନ୍ଦ୍ର ଗୁରୁତ୍ୱ ଦେଇଥାଏ ।
ଭାରତରେ ଶିକ୍ଷା ଏବଂ ଦକ୍ଷତା ବିକାଶ ପ୍ରୟାସ ପାଇଁ ବୋଇଂ ଗ୍ଲୋବାଲ୍ ଏନଗେଜମେଣ୍ଟର ଏକ ଅଣ-ଲାଭକାରୀ ସହଯୋଗୀ ସଂସ୍ଥା ‘ଲର୍ଣ୍ଣିଂ ଲିଙ୍କସ୍ ଫାଉଣ୍ଡେସନ୍’ (ଏଲଏଲଏଫ) ସହିତ ମିଳିତ ଭାବରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି। ଏହି ବର୍ଷ ଜାନୁଆରୀ ମାସରେ ଓଡ଼ିଶାର ସମ୍ବଲପୁର, ରେଢ଼ାଖୋଲ ଏବଂ କୁଚିଣ୍ଡା ଅଞ୍ଚଳରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ୍ ଲ୍ୟାବ୍ ଗୁଡ଼ିକ ଉଦ୍ଘାଟିତ ହୋଇଥିଲା ।
ଲର୍ଣ୍ଣିଂ ଲିଙ୍କସ୍ ଫାଉଣ୍ଡେସନର ଅଧ୍ୟକ୍ଷା ଡ. ଅଞ୍ଜଳୀ ପ୍ରକାଶ କହିଛନ୍ତି, “ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପାଇଁ ବାସ୍ତବିକ ଓ ପ୍ରାକ୍ଟିକାଲ୍ ଷ୍ଟେମ୍ ଶିକ୍ଷା ପ୍ରଦାନ କରିବା ନିମନ୍ତେ ବୋଇଂ ସହିତ ସହଯୋଗ କରି ଆମେ ଗର୍ବିତ । ଯୁବପିଢ଼ି ଯେଉଁଠାରେ ନୂଆ କଥା ଶିଖିପାରିବେ, ପ୍ରଶ୍ନ କରିପାରିବେ ଏବଂ ନୂତନ ପରୀକ୍ଷା ନିରୀକ୍ଷା କରିପାରିବେ – ସେଭଳି ପରିବେଶ ସୃଷ୍ଟି କରି ଏହି ଲ୍ୟାବ୍ ଗୁଡ଼ିକ ପିଲାଙ୍କ ମନରେ କୌତୂହଳ ଓ ଆତ୍ମବିଶ୍ୱାସ ବଢ଼ାଉଛି ଏବଂ ଏହା ସହିତ ଶିକ୍ଷକ ତଥା ସମଗ୍ର ବିଦ୍ୟାଳୟ ବ୍ୟବସ୍ଥାକୁ ସୁଦୃଢ଼ କରୁଛି । ଅଧିକରୁ ଅଧିକ ଛାତ୍ରଛାତ୍ରୀ, ବିଶେଷ କରି ଝିଅମାନେ ଯେପରି ନିଜକୁ ନବସୃଜନକାରୀ ଭାବରେ ଦେଖିବେ ଏବଂ ଷ୍ଟେମ୍ କ୍ଷେତ୍ରରେ କ୍ୟାରିୟର ଗଢ଼ିବା ପାଇଁ ଆଗେଇ ଆସିବେ, ତାହା ହିଁ ଆମର ମିଳିତ ଲକ୍ଷ୍ୟ ।”
୨୦୨୪ ମସିହାରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ବିମାନ ଚଳାଚଳ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀ ବୃଦ୍ଧି କରିବା ପାଇଁ ଭାରତର ଦୂରଦୃଷ୍ଟି ସହିତ ସମନ୍ୱିତ । ଏହି କାର୍ଯ୍ୟକ୍ରମର ଅଂଶବିଶେଷ ଭାବରେ, ବୋଇଂ ଏବଂ ଏଲଏଲଏଫ ଭାରତର ବିଭିନ୍ନ ସରକାରୀ ବିଦ୍ୟାଳୟଗୁଡ଼ିକରେ ଷ୍ଟେମ୍ ଲ୍ୟାବ ପ୍ରତିଷ୍ଠା ଜାରି ରଖିଛନ୍ତି । ଏହାସହ ଏହି କାର୍ଯ୍ୟକ୍ରମ ଝିଅମାନଙ୍କୁ ପାଇଲଟ୍ ହେବାର ସ୍ୱପ୍ନ ପୂରଣ କରିବା ପାଇଁ ସ୍କଲାରସିପ ମଧ୍ୟ ପ୍ରଦାନ କରିଥାଏ, ଯାହା ଭାରତର ବିମାନ ଚଳାଚଳ କ୍ଷେତ୍ରର ଅଭିବୃଦ୍ଧିରେ ମହିଳାମାନଙ୍କ ଭାଗିଦାରୀ ବଢ଼ାଇବା ସହ ଏକ ଦକ୍ଷ ପ୍ରତିଭାବାନ ପିଢ଼ି ଗଢ଼ିବାରେ ସାହାଯ୍ୟ କରୁଛି ।