- କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଶିକ୍ଷା ବିଭାଗ ପକ୍ଷରୁ “ନାରୀ ସଶକ୍ତିକରଣ ଓ ଭାରତୀୟ ସମାଜରେ ନାରୀଶିକ୍ଷାର ଭୂମିକା” ଶୀର୍ଷକ ଆଲୋଚନାଚକ୍ର ସଫଳତାର ସହ ଅନୁଷ୍ଠିତ।
- ଶିକ୍ଷା ବିଭାଗ ପକ୍ଷରୁ ସେମିନାର: ସମାଜ ଗଠନରେ ନାରୀ ଶିକ୍ଷାର ଭୂମିକା ଓ ଛାତ୍ରକେନ୍ଦ୍ରିକ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ।
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଶିକ୍ଷା ବିଭାଗ ପକ୍ଷରୁ “ନାରୀ ସଶକ୍ତିକରଣ ଓ ଭାରତୀୟ ସମାଜରେ ନାରୀଶିକ୍ଷାର ଭୂମିକା” ଶୀର୍ଷକ ଏକ ଆଲୋଚନାଚକ୍ର (ସେମିନାର) ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ବିଭାଗୀୟ ମୁଖ୍ୟ ତୃପ୍ତିମୟୀ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ କୁମୁଦ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନୈତିକ ଶୃଙ୍ଖଳା ରକ୍ଷା କରିବା ସହ ଜଣେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ।
ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଶାନ୍ତ ରଥ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଛାତ୍ରକେନ୍ଦ୍ରିକ ଶିକ୍ଷା ପଦ୍ଧତି ଏବଂ ଶିକ୍ଷକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟା ସୁନୀତା ରାଣୀ ଖଣ୍ଡୁଆଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିୟମିତ ଶ୍ରେଣୀ ଗୃହରେ ଉପସ୍ଥିତ ରହିବା, ଗୁରୁଜନଙ୍କୁ ସମ୍ମାନ ଦେବା ଏବଂ ନିଜର ବ୍ୟକ୍ତିତ୍ୱ ଗଠନ ଉପରେ ଗୁରୁତ୍ୱ ଆରୋପ କରିଥିଲେ।
ଏହି ସେମିନାରରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ ରେଶ୍ମା ରାଣୀ ବେହେରା ନିଜର ସେମିନାର ପତ୍ର ପାଠ କରିଥିଲେ। ଏହାପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀମାନେ ନିଜର ମତାମତ ଓ ପ୍ରଶ୍ନ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ଇତିହାସ ବିଭାଗର ଅଧ୍ୟାପକ ବିଦେଶୀ କୁମାର ରାଉତଙ୍କ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଶ୍ରୁତି ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।