ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ

8


“୮ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା”


ବଲାଙ୍ଗିର,ତା.୦୭/୦୯/୨୦୨୬:ଗୁରୁ-ଶିଷ୍ୟ ପରମ୍ପରାର ମହନୀୟତା,ଶିକ୍ଷକଙ୍କ ଅବଦାନ ଓ ଶିକ୍ଷାର ମହତ୍ତ୍ୱକୁ ସ୍ମରଣ କରି ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁଦିବସ ଉତ୍ସାହ ଓ ଭାବଗମ୍ଭୀର ପରିବେଶରେ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ୮ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ମାନପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ବିଦ୍ୟାଳୟରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆରମ୍ଭ ଗୁରୁବନ୍ଦନାରୁ ହୋଇଥିଲା।ବିଶିଷ୍ଟ ଗୁରୁ ଡ. ସୁରେଶ ବାରିକ ଓ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା କୀର୍ତ୍ତନ ମାଧ୍ୟମରେ ଗୁରୁମାନଙ୍କ ବନ୍ଦନା ଗାନ କରାଯାଇଥିଲା।ଭକ୍ତି ଓ ଶ୍ରଦ୍ଧାଭରା ଏହି ଗୁରୁବନ୍ଦନା ପରିବେଶକୁ ଆଧ୍ୟାତ୍ମିକ ଓ ଭାବପୂର୍ଣ୍ଣ କରିଦେଇଥିଲା।ଛାତ୍ରୀମାନେ ଗୁରୁଙ୍କ ପ୍ରତି ନିଜର ସମ୍ମାନ ଓ କୃତଜ୍ଞତାକୁ କୀର୍ତ୍ତନ ମାଧ୍ୟମରେ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନୂତନ ନାୟକ ନିଜର ଅଭିଭାଷଣ ପ୍ରଦାନ କରି ଗୁରୁଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।ସେ କହିଥିଲେ ଯେ,ଶିକ୍ଷକ କେବଳ ପାଠ ପଢ଼ାଇବାରେ ସୀମିତ ନୁହନ୍ତି;ସେମାନେ ଛାତ୍ରଛାତ୍ରୀଙ୍କୁ ଜୀବନର ସଠିକ୍ ଦିଗ ଦେଖାଇବା ସହ ନୈତିକ ମୂଲ୍ୟବୋଧ,ଶୃଙ୍ଖଳା, ଦାୟିତ୍ୱବୋଧ ଓ ମାନବିକତାର ଶିକ୍ଷା ଦେଇଥାନ୍ତି।ଜଣେ ଭଲ ଶିକ୍ଷକଙ୍କ ମାର୍ଗଦର୍ଶନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଅମୂଲ୍ୟ ଭୂମିକା ଗ୍ରହଣ କରେ ବୋଲି ସେ ମତପ୍ରକାଶ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ଛାତ୍ରୀ ସୋନାକ୍ଷୀ ହରପାଳ,ତପସ୍ୱିନୀ ନାଏକ,ମିତ୍ତଳ ରାଣୀ ଠାକୁର,ମୌସୁମୀ ସରଭଙ୍ଗିଆ,ମାନସୀ ରାଣୀ ଦାଶ,ସୁହାନୀ ସୁନା,ଅଙ୍କିତା ନାଏକ,ଶ୍ରୀୟା ସାହୁ,ଶୁଚିସ୍ମିତା ସାହୁ,ଶର୍ମିଷ୍ଠା ଝାଙ୍କର,ଅଙ୍କିତା ସ୍ୱାଇଁ,ଚହକ ବାନୋ,ସଂସ୍କୃତି ସାହୁ,ଶ୍ରୁତି ଶିଖା କୁମ୍ଭାର,ପ୍ରିୟାଂଶି ପ୍ରିୟଦର୍ଶିନୀ ଦାଶ ପ୍ରମୁଖ ଗୁରୁଙ୍କ ଭୂମିକା ଓ ଗୁରୁ-ଶିଷ୍ୟ ସମ୍ପର୍କର ମହତ୍ତ୍ୱ ଉପରେ ବକ୍ତବ୍ୟ ରଖିଥିଲେ।ଛାତ୍ରୀମାନେ କହିଥିଲେ ଯେ,ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ମନରେ ଜ୍ଞାନର ଆଲୋକ ଜାଳିବା ସହ ସେମାନଙ୍କୁ ଜଣେ ଭଲ ମଣିଷ ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳନ୍ତି।ଶିକ୍ଷକଙ୍କ ଶିକ୍ଷା ଓ ଆଦର୍ଶ ଛାତ୍ରୀମାନଙ୍କ ଜୀବନରେ ସାରାଜୀବନ ପ୍ରେରଣାର ଉତ୍ସ ହୋଇ ରହିଥାଏ ବୋଲି ସେମାନେ ମତ ଦେଇଥିଲେ।ବିଦ୍ୟାଳୟରେ ଦୀର୍ଘବର୍ଷ ଧରି ଶିକ୍ଷାଦାନ କରି ଛାତ୍ରଛାତ୍ରୀଙ୍କ ଜୀବନ ଗଢ଼ିବାରେ ଅବଦାନ ରଖିଥିବା ଅବସରପ୍ରାପ୍ତ ଶିକ୍ଷକ ସତ୍ୟନାରାୟଣ ରଥ,ଶିକ୍ଷୟତ୍ରୀ ସୁଷମା ଉଦ୍ଗାତା,ଶକୁନ୍ତଳା ପଟେଲ,ଜ୍ୟୋସ୍ନା ମୟୀ ମିଶ୍ର,ରିତାଞ୍ଜଳୀ ମିଶ୍ର,ସୁପ୍ରଭା ମିଶ୍ର,ରଶ୍ମିଧାରା ସାହୁ,ଶୋଭନା ଚାନ୍ଦ ପ୍ରମୁଖ ଙ୍କୁ ବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା।ଦୀର୍ଘ ଶିକ୍ଷକତା ଜୀବନର ସ୍ମୃତିକୁ ମନେ ପକାଇ ଅବସରପ୍ରାପ୍ତ ଶିକ୍ଷକମାନେ ମଧ୍ୟ ଭାବବିହ୍ୱଳ ହୋଇପଡ଼ିଥିଲେ।ସମ୍ବର୍ଦ୍ଧିତ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜ ଅଭିଜ୍ଞତା ବାଣ୍ଟିବା ସହ ବିଦ୍ୟାଳୟର ବର୍ତ୍ତମାନର ଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ।ସେମାନେ ଛାତ୍ରୀମାନଙ୍କୁ ନିଷ୍ଠା,ଶୃଙ୍ଖଳା ଓ କଠିନ ପରିଶ୍ରମ ସହ ଅଧ୍ୟୟନ କରି ନିଜ ଲକ୍ଷ୍ୟ ହାସଲ କରିବାକୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.