ଗୁରୁଜନଙ୍କ ପ୍ରତି ଶ୍ରଦ୍ଧା ଓ କୃତଜ୍ଞତା ଜଣାଇଲେ ଛାତ୍ରଛାତ୍ରୀ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ରାୟଗଡ଼ା ଜିଲ୍ଲା ଗୁଣପୁର ରାମେଶ୍ୱର ନଗରସ୍ଥିତ କିଡସ୍-ଗୀ ପବ୍ଲିକ୍ ସ୍କୁଲ ପରିସରରେ ଗୁରୁଦିବସ ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟର ସିନିୟର୍ ଛାତ୍ରଛାତ୍ରୀ (ଶରଣ୍ ଇଭେଣ୍ଟ ଟିମ୍)ଦ୍ୱାରା ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱ ସହ ଶିକ୍ଷକଙ୍କ ପ୍ରତି ଛାତ୍ରଛାତ୍ରୀଙ୍କ ଶ୍ରଦ୍ଧା ଓ କୃତଜ୍ଞତା ପ୍ରତିଫଳିତ ହୋଇଥିଲା।
ବୈଦିକ ରୀତିନୀତି ଅନୁସାରେ ବନ୍ଦେ ମାତରମ୍ ଗାନ ଓ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଛାତ୍ରଛାତ୍ରୀମାନେ ଚଲାପଥରେ ପୁଷ୍ପ ବିଛାଇ ,ମଥାରେ ଚନ୍ଦନ ଲଗାଇ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଜିତେନ୍ଦ୍ର କୁମାର ଶତପଥି,ଡିରେକ୍ଟର ଶ୍ରୀ ମୁରଲୀଧର ପଣ୍ଡା , ଅଧ୍ୟକ୍ଷା ଶ୍ରୀମତୀ ସ୍ୱୟଂପ୍ରଭା ମହାପାତ୍ରଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମଞ୍ଚ ଉପରକୁ ଭବ୍ୟ ସ୍ୱାଗତ ସହ ଆମନ୍ତ୍ରଣ କରିଥିଲେ।
ଏହାପରେ ମହାନ ଦାର୍ଶନିକ, ଶିକ୍ଷାବିତ୍ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ନିଜ ଅଭିଭାଷଣ ମାଧ୍ୟମରେ ଗୁରୁଦିବସର ମହତ୍ତ୍ୱ ଓ ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ଗୁରୁଜନଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
ଗୁରୁଜନଙ୍କ ପ୍ରତି ନିଜର ସମ୍ମାନ ଓ କୃତଜ୍ଞତା ଜଣାଇ ଛାତ୍ରଛାତ୍ରୀମାନେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ଉପହାର ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ସମୟରେ ବିଦ୍ୟାଳୟ ପରିସର ଏକ ଭାବପୂର୍ଣ୍ଣ ପରିବେଶରେ ପରିଣତ ହୋଇଥିଲା।
କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ନିଷ୍ଠା, ଶୃଙ୍ଖଳା, ପରିଶ୍ରମ ଓ ନୈତିକ ମୂଲ୍ୟବୋଧକୁ ଜୀବନରେ ଆପଣାଇ ସଫଳ ଓ ଆଦର୍ଶ ନାଗରିକ ହେବା ପାଇଁ ଦିଗ୍ଦର୍ଶନ ଦେଇଥିଲେ। ଏଭଳି ଏକ ସୁନ୍ଦର ଓ ଶୃଙ୍ଖଳିତ ଢଙ୍ଗରେ ଗୁରୁଦିବସ ଆୟୋଜନ କରିଥିବାରୁ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।
ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହିଥିବା ବେଳେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନେଇ ଆୟୋଜିତ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଉତ୍ସବ ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଵିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ,ଅଧ୍ୟକ୍ଷା ଓ ପରିଚାଳନା ବୃନ୍ଦ ଙ୍କୁ ସମ୍ମାନୀତ କରାଯାଇଥିବା କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ପାଲଟିଥିଲା।
ପରିଶେଷରେ ସ୍ଥାନୀୟ ସୂର୍ୟା ହଲମାର୍କ ଜୁଏଲାରୀ ସପ୍ ର ପରିଚାଳକ ଓ କର୍ମୀ ବୃନ୍ଦ , କିଡସ୍- ଗୀ ବିଦ୍ୟାଳୟର ଅଧ୍ୟକ୍ଷା ଙ୍କୁ ସମ୍ମାନୀତ କରିବାସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପହାର ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀମାନେ ଉପସ୍ଥିତ ସମସ୍ତ ଗୁରୁଜନ ଓ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ସମାପନ ହୋଇଥିଲା।