ରେଭେନ୍ୟୁ ରେକର୍ଡରେ ଅସଙ୍ଗତି ଅଭିଯୋଗ; ନିରପେକ୍ଷ ଯାଞ୍ଚ ଦାବିରେ ତହସିଲଦାରଙ୍କୁ ସ୍ମାରକପତ୍ର
ବ୍ରଜରାଜନଗର, ୩ ସେପ୍ଟେମ୍ବର: ବ୍ରଜରାଜନଗର ଟାଉନ୍ ୟୁନିଟ୍–୨ର ରକ୍ଷିତ ଖାତା ନଂ–୬୩୩, ପ୍ଲଟ୍ ନଂ–୨୯୬୦ ଗୋଚର କିସମ ଜମିରେ ପ୍ରସ୍ତାବିତ ବୃହତ୍ ବସ୍ଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରି ବ୍ରଜରାଜନଗର ପୌର ପରିଷଦର ଅଧିବାସୀବୃନ୍ଦ ଓ ରାଧାକୃଷ୍ଣ ଉନ୍ନୟନ ପରିଷଦ, ଖଲିଆକାନୀ ପକ୍ଷରୁ ଝାରସୁଗୁଡ଼ା ତହସିଲଦାରଙ୍କ ନିକଟରେ ବିସ୍ତୃତ ସ୍ମାରକପତ୍ର ଦାଖଲ କରାଯାଇଛି। ଏଥିସହ ଉକ୍ତ ପ୍ରସ୍ତାବ ସମ୍ପର୍କିତ ରେଭେନ୍ୟୁ ରେକର୍ଡ ଓ ପ୍ରଶାସନିକ ପ୍ରକ୍ରିୟାର ନିରପେକ୍ଷ ଯାଞ୍ଚ ଦାବି କରାଯାଇଛି।
ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ପ୍ରସ୍ତାବିତ ବସ୍ଷ୍ଟାଣ୍ଡ ସ୍ଥଳ ଚତୁଃପାର୍ଶ୍ୱରେ ବ୍ରଜରାଜନଗର କଲେଜ, ଅଙ୍ଗନୱାଡ଼ି କେନ୍ଦ୍ର, ଶିଶୁ ଉଦ୍ୟାନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସ୍ପୋର୍ଟସ୍ ଷ୍ଟାଡିୟମ୍ ରହିଛି। ଏଠାରେ ବୃହତ୍ ବସ୍ଷ୍ଟାଣ୍ଡ ନିର୍ମାଣ ହେଲେ ଯାନବାହନର ଭିଡ଼, ଶବ୍ଦ ପ୍ରଦୂଷଣ, ଧୂଳି–ଧୂଆଁ ଓ ଟ୍ରାଫିକ୍ ସମସ୍ୟା ବଢ଼ି ଛାତ୍ରଛାତ୍ରୀଙ୍କ ପାଠପଢ଼ା, ରୋଗୀଙ୍କ ଚିକିତ୍ସା, ଶିଶୁଙ୍କ ବିକାଶ ଏବଂ ଖେଳାଳିଙ୍କ ଅଭ୍ୟାସ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଆଶଙ୍କା ପ୍ରକାଶ କରାଯାଇଛି।
ଆବେଦନକାରୀମାନେ ଅଭିଯୋଗ କରିଛନ୍ତି ଯେ, ଉକ୍ତ ଜମି ଗୋଚର କିସମ ଭାବେ ରେଭେନ୍ୟୁ ରେକର୍ଡରେ ଦର୍ଜ ଥିବା ସତ୍ତ୍ୱେ ପରବର୍ତ୍ତୀ ସମୟରେ କେଉଁ ଆଇନଗତ ପ୍ରକ୍ରିୟାରେ ଏହାର କିସମ ପରିବର୍ତ୍ତନ କରାଯାଇ ଅନାବାଦୀ/ପତିତ ଭାବେ ଦର୍ଜ କରାଗଲା, ସେ ସମ୍ପର୍କରେ ସ୍ପଷ୍ଟତା ନାହିଁ। ଏହି ପରିବର୍ତ୍ତନ ପଛରେ ଥିବା ଆଦେଶ, ଅନୁମୋଦନ ଓ ଆଇନଗତ ଆଧାରକୁ ସାର୍ବଜନୀନ କରିବାକୁ ସେମାନେ ଦାବି କରିଛନ୍ତି।
ସ୍ମାରକପତ୍ରରେ D.R. କେସ୍ ନଂ–୩୫/୨୦୨୫ ଏବଂ P.R. ନୋଟିସ୍ ନଂ–୩୧୬ (ତାରିଖ ୨୦ ସେପ୍ଟେମ୍ବର ୨୦୨୫) ସମ୍ପର୍କରେ ମଧ୍ୟ ଗୁରୁତର ପ୍ରଶ୍ନ ଉଠାଯାଇଛି। ଅଭିଯୋଗ ହୋଇଛି ଯେ, ସର୍ବସାଧାରଣ ନୋଟିସ୍ ଯଥାବିଧି ପ୍ରଚାର କରାଯାଇନଥିଲା। ସେହିପରି ନୋଟିସ୍ରେ ଉଲ୍ଲେଖିତ ଭୂମି ବିବରଣୀ ଓ ରେଭେନ୍ୟୁ ରେକର୍ଡ ମଧ୍ୟରେ ଖାତା ଓ ପ୍ଲଟ୍ ନମ୍ବରକୁ ନେଇ ଅସଙ୍ଗତି ଥିବାରୁ ସମଗ୍ର ପ୍ରକ୍ରିୟାର ନିରପେକ୍ଷ ତଦନ୍ତ ଦାବି କରାଯାଇଛି।
ଅନ୍ୟପକ୍ଷରେ, ଉକ୍ତ ଅଞ୍ଚଳରେ ୫୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ ହୋଇଥିବା ସହ ବ୍ରଜରାଜନଗର କଲେଜ ନିକଟରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ଅଡିଟୋରିଅମ୍ ନିର୍ମାଣ ପ୍ରକଳ୍ପ ଆରମ୍ଭ ହୋଇଥିବା ଉଲ୍ଲେଖ କରାଯାଇଛି। ଏପରି ସ୍ଥାନରେ ବୃହତ୍ ବସ୍ଷ୍ଟାଣ୍ଡ ନିର୍ମାଣ କରାଗଲେ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା ଓ ଭବିଷ୍ୟତ ଭିତ୍ତିଭୂମି ବିକାଶ ବାଧାପ୍ରାପ୍ତ ହେବ ବୋଲି ସ୍ଥାନୀୟ ଲୋକମାନେ ମତ ପ୍ରକାଶ କରିଛନ୍ତି।
ସ୍ମାରକପତ୍ରରେ ବ୍ରଜରାଜନଗର ୟୁନିଟ୍–୨ର ଗୋଚର ଜମିରେ ବସ୍ଷ୍ଟାଣ୍ଡ ନିର୍ମାଣ ପ୍ରସ୍ତାବକୁ ତୁରନ୍ତ ବାତିଲ କରିବା, ସମ୍ପୃକ୍ତ ସମସ୍ତ ରେଭେନ୍ୟୁ ରେକର୍ଡ ଓ ପ୍ରଶାସନିକ ପ୍ରକ୍ରିୟାର ନିରପେକ୍ଷ ଯାଞ୍ଚ, ସମସ୍ତ ଆଦେଶ ଓ ରେକର୍ଡର ପ୍ରମାଣିତ ନକଲ ପ୍ରଦାନ କରିବା ସହ ବସ୍ଷ୍ଟାଣ୍ଡ ପାଇଁ ବିକଳ୍ପ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବାକୁ ଦାବି କରାଯାଇଛି।
ସେମାନେ ଏହା ମଧ୍ୟ ଜଣାଇଛନ୍ତି ଯେ, ଏହି ପ୍ରସଙ୍ଗରେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ WP(C) No. 24309 of 2026 ମାମଲାର ୨୮ ଅଗଷ୍ଟ ୨୦୨୬ ତାରିଖର ଆଦେଶର ଏକ ପ୍ରମାଣିତ ନକଲ ତହସିଲଦାରଙ୍କ ଅବଗତି ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସଂଲଗ୍ନ କରାଯାଇଛି।
ସଙ୍ଗରେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ WP(C) No. 24309 of 2026 ମାମଲାର ୨୮ ଅଗଷ୍ଟ ୨୦୨୬ ତାରିଖର ଆଦେଶର ଏକ ପ୍ରମାଣିତ ନକଲ ତହସିଲଦାରଙ୍କ ଅବଗତି ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସଂଲଗ୍ନ କରାଯାଇଛି।