ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଦାବିପତ୍ର

4


ସ୍ୱାଧୀନତା ସଂଗ୍ରାମୀ କୁଟୁମ୍ବ ଯୋଜନା ତୁରନ୍ତ ଲାଗୁ ପାଇଁ ଦାବି


ବେଲଗୁଣ୍ଠା,, ୨୮/୮,-(ଶିବରାମ ଚୌଧୁରୀ )
ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ପଞ୍ଚାୟତର ମାଳତି ଗ୍ରାମସ୍ଥିତ ମା’ ରତନେଇ ପୀଠରେ ଆଜାଦ ହିନ୍ଦ ଫୌଜର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ଏକ ସଭା ଅନୁଷ୍ଠିତ ହୋଇଛି। ସଂଗଠନର ସଭାପତି ପୀତବାସ ବିଶ୍ୱାଳଙ୍କ ନେତୃତ୍ୟରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭାର ଶୁଭାରମ୍ଭ ହୋଇଥିଲା।ସଂଗଠନର ସମ୍ପାଦକ ରମାବଲ୍ଲଭ ବେହେରା ସଭାର ଆଭିମୁଖ୍ୟ ଉପରେ ଆଲୋଚନା କରି ୨୦୨୪ ମସିହାରୁ ଘୋଷିତ ସ୍ୱାଧୀନତା ସଂଗ୍ରାମୀ କୁଟୁମ୍ବ ଯୋଜନା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ସରକାରଙ୍କ ପକ୍ଷରୁ ଯୋଜନା ଲାଗୁ କରିବା ନେଇ ଘୋଷଣା ହୋଇଥିଲେ ମଧ୍ୟ ଦୀର୍ଘ ସମୟ ଧରି ଏହା କାର୍ଯ୍ୟକାରୀ ନ ହେବାରୁ ସ୍ୱାଧୀନତା ସଂଗ୍ରାମୀ ପରିବାରଗୁଡ଼ିକ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବା ସେ କହିଥିଲେ। ନୂତନ ସରକାରଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ପୂରଣ ହୋଇଥିବା ସତ୍ତ୍ୱେ ଯୋଜନା କାର୍ଯ୍ୟକାରୀ ନ ହେବାକୁ ନେଇ ସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଆସନ୍ତା ବିଧାନସଭା ଅଧିବେଶନରେ ସମସ୍ତ ବିଧାୟକ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ଉପସ୍ଥାପନ କରି ଯୋଜନାକୁ ତୁରନ୍ତ ଲାଗୁ କରିବା ପାଇଁ ସଭାରେ ଅନୁରୋଧ କରାଯାଇଥିଲା।
ଏହା ସତ୍ତ୍ୱେ ଆସନ୍ତା ଅଧିବେଶନରେ ଯୋଜନା କାର୍ଯ୍ୟକାରୀ ନ ହେଲେ ସମସ୍ତ ସ୍ୱାଧୀନତା ସଂଗ୍ରାମୀ ପରିବାର ପକ୍ଷରୁ ବିଧାନସଭା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବା ନେଇ ସଭାରେ ଆଲୋଚନା କରାଯାଇଥିଲା। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଯୋଜନାକୁ ଶୀଘ୍ର ଲାଗୁ କରିବା ପାଇଁ ଦାବି ଜଣାଯାଇଛି। ଏହି କାର୍ଯ୍ୟକ୍ରମରେ ଭଞ୍ଜଭୂମିର ବରିଷ୍ଠ ସାମ୍ବାଦିକ ବଂଶୀଧର ଗୌଡ଼, ଅଶୋକ କୁମାର ମହାରଣା, ରମେଶ ଚନ୍ଦ୍ର ବେହେରା, ମୋଚିରାମ ବେହେରା, ପ୍ରଭାସିନୀ ମହାରଣା, ସନ୍ଧ୍ୟାରାଣୀ ମହାରଣା, ଗୁରୁଦେବ ପ୍ରଧାନ, କାଳୁଚରଣ ନାୟକ, ବିପ୍ରଚରଣ ସାହୁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାଳକୃଷ୍ଣ ସାବତ, ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ପାତ୍ର,ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀଙ୍କ ସମେତ ବିଭିନ୍ନ ପତ୍ରପତ୍ରିକାର ସାମ୍ବାଦିକମାନେ ସହଯୋଗ କରିଥିଲେ। ସାମ୍ବାଦିକ ଓ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସହଯୋଗ ପାଇଁ ଆଜାଦ ହିନ୍ଦ ଫୌଜର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟସଦସ୍ୟା ସାଧୁବାଦ ଜଣାଇଥିଲେ। ମା’ ରତନେଇଙ୍କ ନିକଟରେ ପ୍ରାର୍ଥନା କରି ସହଯୋଗୀମାନଙ୍କ ଭବିଷ୍ୟତର ଉନ୍ନତି କାମନା କରାଯିବା ସହ ସ୍ୱାଧୀନତା ସଂଗ୍ରାମୀ କୁଟୁମ୍ବ ଯୋଜନା କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ସମସ୍ତଙ୍କ ସହଯୋଗ ଜାରି ରଖିବାକୁ ଅନୁରୋଧ କରାଯାଇଥିଲା।

Leave A Reply

Your email address will not be published.