ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ ଅବଧି ଅକ୍ଟୋବର ଯାଏଁ ବଢ଼ାନ୍ତୁ ସରକାର : ଓଜେସି

37


ଖରିଫ ଧାନ ବିକ୍ରି ପଞ୍ଜିକରଣ ପ୍ରକ୍ରିୟାକୁ ସରଳିକରଣ କରିବା ଓଜେସିର ଦାବି


ଭୁବନେଶ୍ୱର, (୨୮.୦୮.୨୦୨୬); ରାଜ୍ୟରେ ଜାରି ରହିଥିବା ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣରେ ସମସ୍ୟା ଓ ସାରା ରାଜ୍ୟରୁ ଆସୁଥିବା ପୁଳାପୁଳା ଅଭିଯୋଗ, ଅସନ୍ତୋଷକୁ ନେଇ ସରକାରଙ୍କ ଉପରେ ବର୍ଷିଛି ଓଡ଼ିଶା ଜନତା କଂଗ୍ରେସ ପାର୍ଟି । ଚାଷର ଅସଲ ସମୟରେ ଅନ୍ନଦାତାଙ୍କୁ ବିଭିନ୍ନ ନିୟମର ଭେଳିକି ଦେଖାଇ ପଞ୍ଜିକରଣ ପାଇଁ ଲାଇନରେ ଛିଡ଼ା କରାଇଥିବା ରାଜ୍ୟ ସରକାରଙ୍କ ଏ କେଉଁ ପ୍ରକାର ମାନସିକତା ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି । ଏନେଇ ଓଜେସି ପକ୍ଷରୁ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଅଛି । ଏଥିରେ ଓଡ଼ିଶା କୃଷକ ଜନତା କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କିଶୋର ମାଝୀ କହିଥିଲେ ଯେ, ଓଡ଼ିଶାରେ ବାରମ୍ବାର ବର୍ଷା ଓ ବନ୍ୟା ହୋଇ ଚାଷୀମାନଙ୍କର ଦୁଃଖକୁ ବଢ଼ାଇ ଦେଇଛି । ଏଥିରେ ଅତିଷ୍ଠ ହୋଇ ଚାଷୀମାନେ ଦୁଃଖରେ ଥିବାବେଳେ ସରକାର ଚାଷୀ ମାନଙ୍କ ପ୍ରତି ଯେଉଁଭଳି ଭାବେ ବ୍ୟବହାର ଦେଖାଇଛନ୍ତି, କୌଣସି ରାଜ୍ୟରେ ଏପରି ଦେଖାଯାଏ ନାହିଁ । ସରକାର ଚାଷୀମାନଙ୍କ ଦୁଃଖରେ ଦୁଃଖୀ ହେବା ବଦଳରେ ଚାଷୀମାନଙ୍କୁ ଲାଇନରେ ଠିଆ କରାଉଛନ୍ତି । ଯେମିତି ନୋଟ୍ ବଦଳାଇ ଲୋକଙ୍କୁ ଲାଇନରେ ଠିଆ କଲେ, ପେଟ୍ରୋଲ ପାଇଁ ଲୋକଙ୍କୁ ଲାଇନରେ ଠିଆ କଲେ, ସେଭଳି ଭାବେ ଧାନ ବିକ୍ରି ପାଇଁ ଲାଇନରେ ରେଜିଷ୍ଟ୍ରେସନ ପାଇଁ ଠିଆ କରୁଛନ୍ତି । ସରକାରଙ୍କ ଏତାଦୃଶ ନିଷ୍ପତ୍ତି ପାଇଁ ଆଜି ଚାଷୀମାନେ ଖରିଫ ଧାନ ବିକ୍ରି ପାଇଁ ପ୍ରତ୍ୟେକ ପ୍ୟାକସ, ଲ୍ୟାମ୍ପସ, ସୋସାଇଟିରେ ରାତିରୁ ଲାଇନରେ ଲାଗିଛନ୍ତି । ଏହାସତ୍ତ୍ୱେ ମଧ୍ୟେ ସମସ୍ତେ ରେଜିଷ୍ଟ୍ରେସନ କରିପାରୁନାହାନ୍ତି । ରେଜିଷ୍ଟ୍ରେସନ ଅବଧି, ଅଗଷ୍ଟ ୬ରୁ – ଅଗଷ୍ଟ ୩୧ ମାତ୍ର ୨୫ ଦିନ ପର୍ଯ୍ୟାପ୍ତ ସମୟ ନୁହେଁ ।
ଗୋଟିଏ ଗୋଟିଏ ସୋସାଇଟି, ପିଏସିଏସ୍, ଏଲଏଏମସରେ ୭ରୁ ୮ଜଣ ଚାଷୀ ଗୋଟିଏ ଦିନରେ ରେଜିଷ୍ଟ୍ରେସନ କରୁଛନ୍ତି । କେଉଁଠି ଇଣ୍ଟରନେଟ୍ ସ୍ଲୋ ରହୁଛି ତ କେଉଁଠି କରେଣ୍ଟ ରହୁନି । ଯାହାଦ୍ୱାରା ରେଜିଷ୍ଟ୍ରେସନ ହୋଇପାରୁନାହିଁ । ରେଜିଷ୍ଟ୍ରେସନ ପାଇଁ ସରକାର ଯେଉଁ କାଗଜପତ୍ର ଫନ୍ଦି କରିଛନ୍ତି ସେଥିରେ ଚାଷୀମାନେ ଆରଆଇ ଅଫିସ, ତହସିଲ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି । ସେପଟେ ଆରଆଇ ଓ ତହସିଲ ଅଫିସରେ କର୍ମଚାରୀ ଅଭାବରୁ କାମ ହୋଇପାରୁନାହିଁ । ରେଜିଷ୍ଟ୍ରେସନ ପ୍ରକ୍ରିୟା ସରଳିକରଣ କରିବାପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ, କିନ୍ତୁ ତାହା କେବଳ କଥାରେ ରହିଗଲା । ବିଭାଗ କୌଣସି ନୋଟିସ୍ ନ କରିବା ଦ୍ୱାରା ଅଫିସରମାନେ କେହି ମାନୁନାହାନ୍ତି । ଗାଁ ଗାଁରେ ଚାଷୀଭାଇମାନେ କହୁଛନ୍ତି, ଏ ବାହାପିଆ, କଥାକୁହା, ମିଛୁଆ ଓ ମହଙ୍ଗା ସରକାର । ତେବେ କୌଣସି ବିଳମ୍ବ ନ କରି ସରକାର ତୁରନ୍ତ ଖରିଫ ଧାନ ପାଇଁ ପଞ୍ଜିକରଣ ସମୟ ଅବଧି ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରନ୍ତୁ। ପଞ୍ଜିକରଣ ପାଇଁ ପ୍ରକ୍ରିୟା ସରଳିକରଣ କରନ୍ତୁ ଏବଂ ନିୟମକୁ ସମସ୍ତ ସୋସାଇଟି, ପିଏସି ଓ ଲାମପସକୁ ମାନିବାକୁ ବାଧ୍ୟତାମୂଳକ କରନ୍ତୁ । ଡିଜିଟାଲ ଇଣ୍ଡିଆ ପ୍ରଚାର କରୁଥିବା ସରକାର ସବୁ ରେଜିଷ୍ଟ୍ରେସନ ହେଉଥିବା ସ୍ଥାନକୁ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଓ ପର୍ଯ୍ୟାପ୍ତ କମ୍ପ୍ୟୁଟର ସିଷ୍ଟମ ଯୋଗାଇ ଦିଅନ୍ତୁ। କରେଣ୍ଟ ରହୁନଥିବା ସ୍ଥାନରେ ଜେନେରେଟର ବ୍ୟବସ୍ଥା କରନ୍ତୁ । ଭାଗଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ ଓ ଯେଉଁମାନେ ଠାକୁରଙ୍କ ଜମି ଚାଷ କରୁଛନ୍ତି, ସେମାନଙ୍କୁ ସୁବିଧାରେ ଓ ସରଳ ପଞ୍ଜିକରଣ ଅନ୍ତର୍ଭୁକ୍ତ କରନ୍ତୁ । ଗୋଟିଏ ଖାତା, ଗୋଟିଏ ପ୍ଲଟ୍ ଯଦି ଜେଜେ କିମ୍ବା ଅଣଜେଜେଙ୍କ ନାମରେ ଅଛି ଏବଂ ସେ ଚାଷଜମି ଉପରେ ଏକମାତ୍ର ଦାବିଦାର ଭାବରେ ଜଣେ ଚାଷୀ ପଞ୍ଜିକରଣ କରିବାପାଇଁ ଚାହୁଁଛନ୍ତି, ତେବେ ଆରଆଇ ରିପୋର୍ଟ କ’ଣ ପାଇଁ ଆବଶ୍ୟକ ? ଏଭଳି କ୍ଷେତ୍ରରେ ବିନା ଆରଆଇ ରିପୋର୍ଟରେ ପଞ୍ଜିକରଣ ବ୍ୟବସ୍ଥା କରାଯାଉ ବୋଲି କୃଷକ ଜନତା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଜେସି ଉପସଭାପତି ନଜିବୁର ରେହମାନ ଖାନ, କୃଷକ ନେତା ଦିପ୍ତୀରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.