ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ବେଦକ୍ଷତା ସ୍କିଲ୍ ଡେଭଲପମେଣ୍ଟ ପଦକ୍ଷେପ ମାଧ୍ୟମରେ ୩୦ ଯୁବକ-ଯୁବତୀଙ୍କୁ ସଶକ୍ତ କରିଛି

9

ଏହି ପଦକ୍ଷେପ ଅଧୀନରେ ୩୦ ଯୁବକ-ଯୁବତୀଙ୍କୁ ଶିଳ୍ପ ଆବଶ୍ୟକତା ଅନୁକୂଳ ଖାଦ୍ୟ ଓ ପାନୀୟ କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସେମାନଙ୍କ ନିଯୁକ୍ତିଯୋଗ୍ୟତା ଓ ସ୍ଥାୟୀ ଜୀବିକା ସୁଯୋଗ ବୃଦ୍ଧି କରାଯାଇଛି।

ଝାରସୁଗୁଡ଼ା, ଓଡ଼ିଶା; ୨୪ ଅଗଷ୍ଟ ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାସ୍ଥିତ କମ୍ପାନୀର ବେଦକ୍ଷତା ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟରରେ ପ୍ରଶିକ୍ଷାର୍ଥୀମାନଙ୍କ ନୂତନ ବ୍ୟାଚ୍‌ର ସମାପନୀ ସମାରୋହ ଆୟୋଜିତ ହୋଇଛି। ଏହି ଅବସରରେ ଜିଲ୍ଲାର ୩୦ ଜଣ ଯୁବକ-ଯୁବତୀଙ୍କୁ ଶିଳ୍ପ ଆବଶ୍ୟକତା ଅନୁକୂଳ ଖାଦ୍ୟ ଓ ପାନୀୟ କ୍ଷେତ୍ରରେ ପ୍ରଦାନ କରାଯାଇଥିବା ବ୍ୟାପକ ପ୍ରଶିକ୍ଷଣର ସଫଳ ସମାପ୍ତି ପାଳନ କରାଯାଇଥିଲା।

ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି (ଓଏସଡ଼ିଏ), ଝାରସୁଗୁଡ଼ାର ଶ୍ରୀ ଅମିତ କୁମାରଙ୍କ ଅଧ୍ୟକ୍ଷତାରେ ଏହି  ସମାରୋହଟିି ଅନୁଷ୍ଠିତ ହୋଇଥିଲା। ସମାପନୀ ଅବସରରେ ପ୍ରଶିକ୍ଷାର୍ଥୀମାନଙ୍କୁ ସମ୍ବୋଧିତ କରି ସେ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ କରିଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ନୂତନ ଭାବେ ଅର୍ଜନ କରିଥିବା ଦକ୍ଷତାକୁ ଉପଯୋଗ କରି ସଫଳ କ୍ୟାରିୟର ଗଢ଼ିବାକୁ ଉତ୍ସାହିତ କରିଥିଲେ।

ବେଦକ୍ଷତା ହେଉଛି ଓଡ଼ିଶାରେ ବେଦାନ୍ତ ଆଲୁମିନିୟମର ଏକ ପ୍ରମୁଖ ଦକ୍ଷତା ବିକାଶ କାର୍ଯ୍ୟକ୍ରମ। ସ୍ଥାନୀୟ ସମୁଦାୟର ଯୁବପିଢ଼ିଙ୍କ ନିଯୁକ୍ତିଯୋଗ୍ୟତା ଓ ଜୀବିକା ସୁଯୋଗ ବୃଦ୍ଧି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଅଂଶଗ୍ରହଣକାରୀମାନଙ୍କୁ ବ୍ୟବହାରିକ ଦକ୍ଷତା, କାର୍ଯ୍ୟକ୍ଷେତ୍ର ପାଇଁ ପ୍ରସ୍ତୁତି ଏବଂ ବୃତ୍ତିଗତ ଦକ୍ଷତାରେ ସଜ୍ଜିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ପରିକଳ୍ପିତ। ବର୍ତ୍ତମାନ ଏହା ଯୁବପିଢ଼ିଙ୍କୁ ହସ୍ପିଟାଲିଟି ଓ ମୋବାଇଲ୍ ମରାମତି କ୍ଷେତ୍ରରେ ଉଦୀୟମାନ ନିଯୁକ୍ତି ସୁଯୋଗ ପାଇଁ ପ୍ରସ୍ତୁତ କରୁଛି।

ଶିଳ୍ପର ଆବଶ୍ୟକତା ଅନୁକୂଳ ବୃତ୍ତିଗତ ପ୍ରଶିକ୍ଷଣ, ବ୍ୟବହାରିକ ଶିକ୍ଷା ଏବଂ କ୍ୟାରିୟରଭିତ୍ତିକ ମାର୍ଗଦର୍ଶନ ମାଧ୍ୟମରେ ସ୍ଥାନୀୟ ପ୍ରତିଭା ଓ ପରିବର୍ତ୍ତିତ ବଜାର ଆବଶ୍ୟକତା ମଧ୍ୟରେ ଥିବା ଦକ୍ଷତା ଅଭାବକୁ ଦୂର କରିବାକୁ ଏହି କାର୍ଯ୍ୟକ୍ରମ ପ୍ରୟାସ କରୁଛି। ଆରମ୍ଭରୁ ବେଦକ୍ଷତା ଅଧୀନରେ ୯୦ରୁ ଅଧିକ ଯୁବକ-ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏହା ମଧ୍ୟରୁ ଅନେକ ଯୁବକ-ଯୁବତୀ ନିଯୁକ୍ତି ପାଇବା ସହ ସ୍ଥାୟୀ ଜୀବିକାର ସୁଯୋଗ ହାସଲ କରିଛନ୍ତି। ଶିଳ୍ପର ଆବଶ୍ୟକତା ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସମନ୍ୱିତ କରି ଏହି ପଦକ୍ଷେପ ଅଞ୍ଚଳରେ ଦକ୍ଷତା ବିକାଶ ଓ ଆର୍ଥିକ ସଶକ୍ତୀକରଣରେ ନିରନ୍ତର ଅବଦାନ ରଖୁଛି।

ଏହି ଅବସରରେ ବେଦାନ୍ତ ଆଲୁମିନିୟମ- ଝାରସୁଗୁଡ଼ାର ସିଇଓ ଶ୍ରୀ ସି. ଚନ୍ଦ୍ରୁ କହିଛନ୍ତି, “ଦକ୍ଷତାସମ୍ପନ୍ନ ଯୁବପିଢ଼ି ସଶକ୍ତ ହେବା ଦୃଢ଼ ଓ ସକ୍ଷମ ସମୁଦାୟ ଗଠନ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମଶକ୍ତି ଗଢ଼ିବାର ଏକ ଅବିଚ୍ଛିନ୍ନ ଅଂଶ ବୋଲି ଆମେ ବିଶ୍ୱାସ କରୁ। ବେଦକ୍ଷତା ମାଧ୍ୟମରେ ସ୍ଥାନୀୟ ଯୁବପିଢ଼ିଙ୍କୁ ଶିଳ୍ପ ଆବଶ୍ୟକତା ଅନୁକୂଳ ଦକ୍ଷତା, ବ୍ୟବହାରିକ ଅଭିଜ୍ଞତା ଏବଂ ନିଜର ଆକାଂକ୍ଷାକୁ ସାର୍ଥକ କ୍ୟାରିୟରରେ ପରିଣତ କରିବା ପାଇଁ ଆବଶ୍ୟକ ଆତ୍ମବିଶ୍ୱାସ ପ୍ରଦାନ କରିବା ଆମର ଉଦ୍ୟମ। ଓଡ଼ିଶାରେ ଦକ୍ଷତା ବିକାଶ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ ସମୁଦାୟର ଆତ୍ମନିର୍ଭରଶୀଳତା ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବାକୁ ଆମେ ପ୍ରତିବଦ୍ଧ।”

ବେଦକ୍ଷତା କାର୍ଯ୍ୟକ୍ରମରେ ନିଜ ଅଭିଜ୍ଞତା ବାଣ୍ଟି ପ୍ରଶିକ୍ଷାର୍ଥୀ ଝାରସୁଗୁଡ଼ା ଜିଲ୍ଲାର କିର୍ମିରା ବ୍ଲକ୍‌ ଅନ୍ତର୍ଗତ ପୁଢ଼େଇଧି ଗ୍ରାମର ଯଶୋଦା ବୁଡୁଲା କହିଛନ୍ତି, “ବେଦକ୍ଷତାରେ ପ୍ରଶିକ୍ଷଣ ନେବା ଦ୍ୱାରା ଖାଦ୍ୟ ଓ ପାନୀୟ କ୍ଷେତ୍ରକୁ ଉତ୍ତମ ଭାବେ ବୁଝିବାରେ ମୋତେ ସହାୟତା ମିଳିଛି। ଏହା ମୋର ବୃତ୍ତିଗତ ଦକ୍ଷତା ସହ ଆତ୍ମବିଶ୍ୱାସକୁ ମଧ୍ୟ ବୃଦ୍ଧି କରିଛି। ଏହି କାର୍ଯ୍ୟକ୍ରମ ମୋତେ ଅଧିକ ସ୍ପଷ୍ଟତା ସହ ନିଯୁକ୍ତି ସୁଯୋଗ ଖୋଜିବା ପାଇଁ ପ୍ରସ୍ତୁତ କରିଛି। ଏବେ ମୁଁ ଏଠାରୁ ଶିଖିଥିବା ଦକ୍ଷତାକୁ ନିଜ କ୍ୟାରିୟର ଆରମ୍ଭରେ ପ୍ରୟୋଗ କରିବାକୁ ଆଗ୍ରହୀ।”

ଓଡ଼ିଶାରେ ବେଦାନ୍ତ ଆଲୁମିନିୟମର ସାମାଜିକ ପ୍ରଭାବ କାର୍ଯ୍ୟକ୍ରମଗୁଡ଼ିକ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ, ମହିଳା ସଶକ୍ତୀକରଣ, ସ୍ଥାୟୀ ଜୀବିକା, କ୍ରୀଡ଼ା, ସଂସ୍କୃତି ଓ ସମୁଦାୟ ଭିତ୍ତିଭୂମି ଭଳି ବିଭିନ୍ନ କ୍ଷେତ୍ରକୁ ବ୍ୟାପିଛି। ସ୍ଥାନୀୟ ସମୁଦାୟ, ସରକାରୀ ଅନୁଷ୍ଠାନ ଏବଂ କାର୍ଯ୍ୟାନ୍ୱୟନ ସହଯୋଗୀଙ୍କ ସହଭାଗିତାରେ କମ୍ପାନୀ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ଆବଶ୍ୟକତାର ସମାଧାନ କରୁଛି। କେବଳ ଆର୍ଥିକ ଵର୍ଷ ୨୬ରେ ଏହି ପଦକ୍ଷେପଗୁଡ଼ିକ ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଜୀବିକା ବିକାଶ କ୍ଷେତ୍ରରେ ୮ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି। ଏହା ଓଡ଼ିଶାରେ ଆର୍ଥକ ତଥା ସାମାଜିକ ପ୍ରଭାବ ସୃଷ୍ଟି କରିବା ପ୍ରତି ବେଦାନ୍ତ ଆଲୁମିନିୟମର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି।

Leave A Reply

Your email address will not be published.