ବିଜେପୁର, ୨୫/୦୮: ବ୍ୟବସାୟିକ ପ୍ରତିଷ୍ଠାନର ଏକ ବର୍ଷ ପୂର୍ତ୍ତିକୁ ନିଆରା ଢଙ୍ଗରେ ପାଳନ କରିଛି ସିଏମ୍ ସାନିଟାରୀ ଆଣ୍ଡ ଇଲେକ୍ଟ୍ରିକାଲ। ପ୍ରଥମ ବାର୍ଷିକୀର ଖୁସିକୁ କେବଳ ଉତ୍ସବ ମଧ୍ୟରେ ସୀମିତ ନରଖି ମାନବ ସେବାର ମହତ୍ କାର୍ଯ୍ୟ ସହ ଯୋଡ଼ିଛନ୍ତି ଆୟୋଜକ। ନିଷ୍ଠା ପରିବାରର ମିଳିତ ସହଯୋଗରେ ଏହି ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶିବିରରୁ ସର୍ବମୋଟ ୮୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି।ବିଜେପୁରଠାରେ ଆୟୋଜିତ ଏହି ଶିବିରରେ ବିଜେପୁର ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ ଓ ଥାନାଧିକାରୀ ସୁଶାନ୍ତମଣି ମହାନ୍ତି ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ଆନୁଷ୍ଠାନିକ ଭାବେ ଶିବିରର ଶୁଭାରମ୍ଭ କରିବା ସହ ରକ୍ତଦାତାଙ୍କ ସହ ଆଲୋଚନା କରି ସେମାନଙ୍କୁ ଏହି ମହତ୍ କାର୍ଯ୍ୟ ପାଇଁ ଉତ୍ସାହିତ କରିଥିଲେ।ରକ୍ତର ଆବଶ୍ୟକତା ସମୟରେ ରୋଗୀ ଓ ପରିବାରବର୍ଗ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏଭଳି ସମୟରେ ଜଣେ ସ୍ୱେଚ୍ଛା ରକ୍ତଦାତାଙ୍କ ଦାନ କରିଥିବା ରକ୍ତ ଜଣେ ଆବଶ୍ୟକତାପୂର୍ଣ୍ଣ ରୋଗୀଙ୍କ ପାଇଁ ଆଶାର କିରଣ ପାଲଟିଥାଏ। ଏହି ଦୃଷ୍ଟିରୁ ବ୍ୟବସାୟିକ ପ୍ରତିଷ୍ଠାନର ପ୍ରଥମ ବାର୍ଷିକୀକୁ ରକ୍ତଦାନ ଭଳି ସାମାଜିକ ସେବା ସହ ଯୋଡ଼ିବାର ପଦକ୍ଷେପକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି।

ଶିବିରରେ ବରଗଡ଼ ରକ୍ତଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାନ ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ସହ ଯୁବପିଢ଼ି ମଧ୍ୟ ଉତ୍ସାହର ସହ ଆଗେଇ ଆସିଥିଲେ। ରକ୍ତଦାତାମାନେ ସ୍ୱେଚ୍ଛାରେ ରକ୍ତଦାନ କରି ସାମାଜିକ ଦାୟିତ୍ୱର ପରିଚୟ ଦେଇଥିଲେ।ଶିବିରର ସୁପରିଚାଳନାରେ ଦୋକାନ ମାଲିକ କୁନୁ ମେହେର, ଛବିଳ ମେହେର, ଚିନ୍ମୟ ମେହେର ଓ ମିକୁ ମେହେରଙ୍କ ସମେତ ମେହେର ପରିବାରର ସଦସ୍ୟ ଓ ସାଙ୍ଗସାଥୀମାନେ ସକ୍ରିୟ ଭୂମିକା ନେଇଥିଲେ। ସେମାନେ ରକ୍ତଦାତାଙ୍କୁ ଆବଶ୍ୟକ ସହଯୋଗ ଯୋଗାଇବା ସହ ଶିବିରର ସମସ୍ତ ବ୍ୟବସ୍ଥାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।ପ୍ରଥମ ବର୍ଷ ପୂର୍ତ୍ତିର ଖୁସିକୁ ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ପରିଣତ କରି ସିଏମ୍ ସାନିଟାରୀ ଆଣ୍ଡ ଇଲେକ୍ଟ୍ରିକାଲ ଏକ ଭିନ୍ନ ବାର୍ତ୍ତା ଦେଇଛି। ବ୍ୟବସାୟ ସହ ସାମାଜିକ ଦାୟିତ୍ୱ ଓ ମାନବିକତାକୁ ପ୍ରାଧାନ୍ୟ ଦେଇ ଏଭଳି ସେବାମୂଳକ କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।