ଝାରସୁଗୁଡ଼ା, ୨୩/୮: ଲଇକେରା ଅଞ୍ଚଳର ବିକାଶ ଓ ଲୋକଙ୍କ ସମସ୍ୟାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ବାକ୍ଯୁଦ୍ଧ ତୀବ୍ର ହୋଇଛି। ଲଇକେରା ସାହାସପୁରସ୍ଥିତ ବିଜେପି କାର୍ଯ୍ୟାଳୟରେ ରବିବାର ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ସମାଲୋଚନାର ଜବାବ ଦେଇ ଦଳୀୟ ନେତାମାନେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି।
ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ଯେ, ଦୀର୍ଘ ୧୫ ବର୍ଷ ଧରି ଦାୟିତ୍ୱରେ ଥିବା ବିଜେଡି ନେତାମାନେ ନିଜର ଅପାରଗତା ଓ ବିଫଳତାକୁ ଲୁଚାଇବା ପାଇଁ ଏବେ ଭିତ୍ତିହୀନ ଅଭିଯୋଗ କରୁଛନ୍ତି। ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ଲୋକଙ୍କ ନିକଟରେ ଜବାବଦେହି ହେବାର ଭୟରେ ବିଜେଡି ଏଭଳି ରାଜନୈତିକ ଅଭିଯୋଗ ଆଣୁଥିବା ସେମାନେ କହିଛନ୍ତି।
ଦଳୀୟ ନେତାଙ୍କ କହିବାନୁଯାୟୀ, ଲଇକେରା ବ୍ଲକର ଜନସାଧାରଣ ବିଜେଡିର ଚେୟାରମ୍ୟାନ, ଜିଲ୍ଲା ପରିଷଦ ସଦସ୍ୟଙ୍କ ସମେତ ସ୍ୱର୍ଗତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ପରବର୍ତ୍ତୀ ସମୟରେ ଦୀପାଳି ଦାସଙ୍କୁ ଜନାଦେଶ ଦେଇଥିଲେ। ଦୀର୍ଘ ସମୟ କ୍ଷମତାରେ ରହିଥିଲେ ମଧ୍ୟ ଅଞ୍ଚଳର ମୌଳିକ ସମସ୍ୟାର ସମାଧାନ ଓ ଆଶାନୁରୂପ ବିକାଶ ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି।
ଗତ ବର୍ଷ ଲଗାଣ ବର୍ଷା ଯୋଗୁଁ ଲଇକେରା ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତି ସମୟରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ବିଭିନ୍ନ ଗାଁକୁ ଯାଇ କ୍ଷତିଗ୍ରସ୍ତ ପରିବାରଙ୍କ ସହ ଠିଆ ହୋଇଥିବା ଦଳୀୟ ନେତାମାନେ କହିଛନ୍ତି। ସେମାନଙ୍କ ଦାବି ଅନୁଯାୟୀ, ବିଧାୟକଙ୍କ ନେତୃତ୍ୱରେ ଲଇକେରାର ୪୨ଟି ଗ୍ରାମରେ ୧୧୫.୧ ହେକ୍ଟର କ୍ଷତିଗ୍ରସ୍ତ ଚାଷଜମି ଓ ଘର ପାଇଁ ସରକାରଙ୍କ ପକ୍ଷରୁ ୧୧ ଲକ୍ଷ ୧୩ ହଜାର ୫୮୫ ଟଙ୍କା କ୍ଷତିପୂରଣ ଅନୁଦାନ ମିଳିଛି। ଆଂଶିକ ଭାଙ୍ଗିଥିବା ଘର ପାଇଁ ୪ ହଜାର ଟଙ୍କା ଏବଂ ସମ୍ପୂର୍ଣ୍ଣ ଭାଙ୍ଗିଥିବା ଘର ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା କ୍ଷତିପୂରଣ ଦିଆଯାଇଥିବା ସେମାନେ ସୂଚନା ଦେଇଛନ୍ତି।
ବିଧାୟକ ଟଙ୍କଧର ତ୍ରିପାଠୀ ସବୁବେଳେ ଲଇକେରାବାସୀଙ୍କ ସୁଖଦୁଃଖରେ ସାମିଲ ହେଉଥିବାରୁ ତାଙ୍କ ପ୍ରତି ଲୋକଙ୍କ ସମର୍ଥନ ବୃଦ୍ଧି ପାଉଛି ବୋଲି ବିଜେପି ନେତାମାନେ ଦାବି କରିଛନ୍ତି। ତାଙ୍କ ଲୋକପ୍ରିୟତାକୁ ନେଇ ବିଜେଡି ଅସନ୍ତୁଷ୍ଟ ହୋଇ ଏଭଳି ସାମ୍ବାଦିକ ସମ୍ମିଳନୀ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ନିଶିକାନ୍ତ ପଟେଲ, ପାକେଲପଡ଼ା ମଣ୍ଡଳ ସଭାପତି କୁଳମଣି କିଷାନ, ଲଇକେରା ମଣ୍ଡଳ ସଭାପତି ଦ୍ୱିତୀୟ ଓରାମ, ପୂର୍ବତନ ମଣ୍ଡଳ ସଭାପତି ପଙ୍କଜ ବେହେରା, ଲଇକେରା ସମିତି ସଭ୍ୟ ରାମୁରଞ୍ଜନ ମିଶ୍ର, ସାରଙ୍ଗଲଇ ସରପଞ୍ଚ ଲଳିତ ସେଠ, ବାବୁଚିପିଢ଼ି ସମିତି ସଭ୍ୟ ମନମୋହନ କାସରାଲି, ପୂର୍ବତନ ମଣ୍ଡଳ ସଭାପତି ମୌଜିଲାଲ ଦଣ୍ଡସେନା, ସଞ୍ଜୁକ୍ତା ଓରାମ, ବରିଷ୍ଠ ନେତା ମଧୁ ରଣା ଓ କୁଲେମୁରା ସମିତି ସଭ୍ୟା କଲ୍ୟାଣୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ।