ଝାରସୁଗୁଡ଼ାରେ ଭୋଟର ତାଲିକା ନେଇ ବିଜେଡିର ଉଦ୍‌ବେଗ: ଜାଲ ଆପତ୍ତିର ତଦନ୍ତ ଓ ଯୋଗ୍ୟ ଭୋଟରଙ୍କ ନାମ ସୁରକ୍ଷା ଦାବି

9

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରରେ ଚାଲିଥିବା ଏସଆଇଆର୍‌ (ସ୍ପେସିଆଲ୍ ଇଣ୍ଟେନ୍ସିଭ୍ ରିଭିଜନ୍) ପ୍ରକ୍ରିୟାକୁ ନେଇ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ପ୍ରକୃତ ଓ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ ଦେବା ଉଦ୍ଦେଶ୍ୟରେ କଥିତ ଭାବେ ଜାଲ ଓ ଭିତ୍ତିହୀନ ଆପତ୍ତି ଦାଖଲ ହେଉଥିବା ନେଇ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

ଏ ସମ୍ପର୍କରେ ବିଜେଡି ଝାରସୁଗୁଡ଼ା ଜିଲ୍ଲା ସଭାପତି ହରିଶ ଗଣାତ୍ରା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦାଖଲ ହୋଇଥିବା ଆପତ୍ତିଗୁଡ଼ିକର ନିରପେକ୍ଷ ତଦନ୍ତ କରିବା ସହ ଭିତ୍ତିହୀନ ଆପତ୍ତିଗୁଡ଼ିକୁ ଯାଞ୍ଚ କରି ଖାରଜ କରିବାକୁ ସେ ଦାବି କରିଛନ୍ତି। ଏଥିସହ ପ୍ରକୃତ ଭୋଟରଙ୍କ ମତାଧିକାର ସୁରକ୍ଷିତ ରଖିବା ଏବଂ ମିଥ୍ୟା ଆବେଦନ ଦାଖଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ମଧ୍ୟ ଦାବି କରାଯାଇଛି।

ଯୋଗ୍ୟ ନାଗରିକଙ୍କ ମତାଧିକାର କୌଣସି ପରିସ୍ଥିତିରେ କ୍ଷୁଣ୍ଣ ନହେବା ପାଇଁ ଝାରସୁଗୁଡ଼ା ଜିଲ୍ଲା ବିଜେଡି ପକ୍ଷରୁ ଏକ ଲିଗାଲ୍ ସେଲ୍ ଗଠନ କରାଯାଇଛି। ଦଳର ଅଧିକୃତ ଆଇନଗତ ପ୍ରତିନିଧିମାନେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆର୍‌ଓ) ଓ ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଏଇଆର୍‌ଓ)ଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ। ଭୋଟର ତାଲିକାରେ ନାମ ଯୋଗ, ବାଦ ଓ ସଂଶୋଧନ ସମ୍ପର୍କିତ ଶୁଣାଣି ତଥା ସମଗ୍ର ପ୍ରକ୍ରିୟା ଉପରେ ସେମାନେ ନଜର ରଖିବେ।

ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ଭୋଟଦାନ ଅଧିକାର ସୁରକ୍ଷିତ ରହିବା ଆବଶ୍ୟକ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ସ୍ୱଚ୍ଛ, ନିରପେକ୍ଷ ଓ ନ୍ୟାୟସଙ୍ଗତ ନିର୍ବାଚନ ପ୍ରକ୍ରିୟା ପାଇଁ ଦଳ ସଙ୍କଳ୍ପବଦ୍ଧ ବୋଲି ମଧ୍ୟ ଜିଲ୍ଲା ବିଜେଡି ପକ୍ଷରୁ ପ୍ରକାଶ କରାଯାଇଛି।

Leave A Reply

Your email address will not be published.