୪୫ଟି ପ୍ଲାଟୁନ୍ର ମାର୍ଚ୍ଚପାଷ୍ଟ, ୧୨୦ରୁ ଊର୍ଦ୍ଧ୍ବ କୃତୀ ଛାତ୍ରଛାତ୍ରୀ ଓ ଅନୁଷ୍ଠାନ ସମ୍ବର୍ଦ୍ଧିତ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ରାଜବୋଡ଼ାସମ୍ବର ଆର.ବି. ହାଇସ୍କୁଲ ଖେଳ ପଡ଼ିଆଠାରେ ପଦ୍ମପୁର ଉପଖଣ୍ଡ ପ୍ରଶାସନ ତରଫରୁ ୮୦ତମ ସ୍ବାଧୀନତା ଦିବସ ଉତ୍ସବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି ଆନୁଷ୍ଠାନିକ ସମାରୋହରେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ସରୋଜିନୀ ପ୍ରସନ୍ନ କୁଲ୍ଲୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ପଦ୍ମପୁର ଉପଜିଲ୍ଲାପାଳ ହେମସାଗର ଭୋଇ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସକାଳ ୯ଘ ରେ ରାଷ୍ଟ୍ରଗୀତ (ବନ୍ଦେ ମାତରମ୍) ଓ ଜାତୀୟ ସଂଗୀତ ଗାନ ସହିତ ଉତ୍ସବର ଶୁଭାରମ୍ଭ ହୋଇଥିଲା। ଉକ୍ତ ଆନୁଷ୍ଠାନିକ ମାର୍ଚ୍ଚପାଷ୍ଟରେ ଆର.ବି. ହାଇସ୍କୁଲ ଓ ଅଞ୍ଚଳ କଲେଜ ପଦ୍ମପୁରର ଏନ୍.ସି.ସି. କ୍ୟାଡେଟ୍ ଏବଂ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସମୋଟ ୪୫ ଗୋଟି ପ୍ଲାଟୁନ୍ ଅଂଶଗ୍ରହଣ କରି ମନୋଜ୍ଞ ପ୍ୟାରେଡ ପ୍ରଦର୍ଶନ କରିଥିଲେ। ସଭାରେ ମୁଖ୍ୟ ଅତିଥି ଦେଶର 0ସ୍ବାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ସ୍ମରଣ କରିବା ସହ ଅଞ୍ଚଳର ବିକାଶ ଓ ଯୁବସମାଜର ଭୂମିକା ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଓ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ୧୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ୧ ଗୋଟି ସାମାଜିକ ଅନୁଷ୍ଠାନ (ସହଯୋଗ NGO) କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ବାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ଶେଷରେ ମୁଖ୍ୟ ଅତିଥି ଓ ପ୍ରଶାସନିକ ଅଧିକାରୀବୃନ୍ଦ ଉପଖଣ୍ଡ କାରାଗାର ପରିଦର୍ଶନ କରି ଅନ୍ତେବାସୀଙ୍କୁ ବିସ୍କୁଟ ଓ ଫଳ, ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ଓ ବିସ୍କୁଟ ଏବଂ ବାଦିମାଲ କୁଷ୍ଠ କଲୋନୀଠାରେ ଅନ୍ତେବାସୀଙ୍କୁ ବସ୍ତ୍ର ଓ ବିସ୍କୁଟ ବଣ୍ଟନ କରିଥିଲେ। ଏହି ଦିବସବ୍ୟାପୀ ସମାରୋହରେ ଏସ.ଡି.ପି.ଓ. ପାଣ୍ଡବ ସବର, ତହସିଲଦାର ମାନସ ପଣ୍ଡା, ଏନ୍.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସନତ ପାଢ଼ୀ, ଆର.ବି. ହାଇସ୍କୁଲ ଓ ଅଞ୍ଚଳ କଲେଜର ଏନ୍.ସି.ସି. ଅଧିକାରୀବୃନ୍ଦଙ୍କ ସମେତ ଉପଖଣ୍ଡର ସମସ୍ତ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।