ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଉତ୍ତେଜନା, ଅସୁସ୍ଥ ହେଲେ ବିଡିଓ ।

7


କେନ୍ଦ୍ରାପଡା:15/08 (ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କ ଚାମ୍ବରକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ଆସିଛି। ବିଡିଓ ନମିତା ବାରିକଙ୍କ ଚାମ୍ବରରେ କିଛି ନେତା ଓ ସମର୍ଥକ ପ୍ରବେଶ କରିବା ପରେ ବାକ୍‌ଯୁଦ୍ଧ ଓ ଧସ୍ତାଧସ୍ତି ଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଥିବା କୁହାଯାଉଛି। ଘଟଣା ପରେ ଅତ୍ୟଧିକ ମାନସିକ ଚାପ ଯୋଗୁଁ ବିଡିଓ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ତାଙ୍କର ରକ୍ତଚାପ ଓ ରକ୍ତରେ ଶର୍କରା ମାତ୍ରା ବୃଦ୍ଧି ପାଇଥିବାରୁ ପ୍ରଥମେ ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା। ପରେ ଅଧିକ ପରୀକ୍ଷା ଓ ଚିକିତ୍ସା ପାଇଁ ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ରେଫର୍ କରାଯାଇଥିବା ସୂଚନା ମିଳିଛି। ତେବେ ବିଡିଓ ନମିତା ବାରିକ ବର୍ତ୍ତମାନ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି କି ଅନ୍ୟ କୌଣସି ସ୍ଥାନରେ ଚିକିତ୍ସା ନେଉଛନ୍ତି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଓ ନିଶ୍ଚିତ ସୂଚନା ମିଳିପାରି ନାହିଁ। ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନିକ ଓ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ପାଟକୁରା ବିଧାୟକଙ୍କ ଜିଲ୍ଲା ପ୍ରତିନିଧି ମେଡିକାଲରେ ପହଞ୍ଚି ବିଡିଓଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିବା ଜଣାପଡ଼ିଛି।
ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ ଥାନାରେ କୌଣସି ଆନୁଷ୍ଠାନିକ ଏତଲା ଦିଆଯାଇନଥିବା ଜଣାପଡ଼ିଛି। ତେଣୁ ଘଟଣାର ପ୍ରକୃତ ସତ୍ୟତା ପୋଲିସ ତଦନ୍ତ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ଉପଲବ୍ଧ ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ହିଁ ସ୍ପଷ୍ଟ ହୋଇପାରିବ।

Leave A Reply

Your email address will not be published.