ବଲାଙ୍ଗୀର (୧୫/୦୮): ବଲାଙ୍ଗୀର ସଦରମହକୁମାରେ ଆଜି ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ସ୍ଥାନୀୟ ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ମୁଖ୍ୟ ସମାରୋହରେ ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।
ମନ୍ତ୍ରୀ ଶ୍ରୀ ସୂରଜ ନିଜର ବକ୍ତବ୍ୟରେ ସ୍ୱାଧୀନତା ସଂଗ୍ରାମୀ, ଶହୀଦ ଓ ବରପୁତ୍ରମାନଙ୍କ ମହାନ ତ୍ୟାଗକୁ ସ୍ମରଣ କରିବା ସହ ସେମାନଙ୍କ ଆଦର୍ଶରେ ଏକ ସମୃଦ୍ଧ ଓ ଶକ୍ତିଶାଳୀ ଭାରତ ଗଠନ ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଓଡ଼ିଶା ଓ ଓଡ଼ିଆ ଲୋକଙ୍କ ସାମଗ୍ରିକ ବିକାଶ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ପ୍ରକାଶ କରି ସେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷକ କଲ୍ୟାଣ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । କ୍ରୀଡ଼ା କ୍ଷେତ୍ରର ବିକାଶ ପାଇଁ ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ, ପ୍ରତି ବ୍ଲକରେ ଷ୍ଟାଡିୟମ୍ ନିର୍ମାଣ ଏବଂ ‘ସିଏମ୍ ଟ୍ରଫି’ ଭଳି ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ । ଏଥିସହ ବଲାଙ୍ଗିରର କ୍ରୀଡ଼ା ପ୍ରତିଭା ପାୟଲ ନାଗଙ୍କ ସଫଳତାକୁ ଭୂୟସୀ ପ୍ରଶଂସା କରି ଯୁବପିଢ଼ିଙ୍କୁ ଶିକ୍ଷା, ଦକ୍ଷତା ବିକାଶ ଓ କ୍ରୀଡ଼ା ପ୍ରତି ଅଧିକ ଆଗ୍ରହୀ ହେବାକୁ ପରାମର୍ଶ ଦେଇଥିଲେ। ଏହାବ୍ୟତୀତ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିର ସୁରକ୍ଷା ସହ ‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଏବଂ ବରପୁତ୍ରମାନଙ୍କ ସ୍ମୃତି ସୁରକ୍ଷା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବିକଶିତ ଓଡ଼ିଶା ଏବଂ ସଶକ୍ତ ଭାରତ ଗଠନରେ ଯୁବପିଢ଼ିଙ୍କ ସମେତ ସମସ୍ତଙ୍କର ସକ୍ରିୟ ଭୂମିକା ନିତାନ୍ତ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।

ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ଏବଂ ପ୍ୟାରେଡରେ ଅଂଶଗ୍ରହଣ କରି ଶ୍ରେଷ୍ଠତା ପ୍ରଦାନ କରିଥିବା ଦଳଙ୍କୁ ମନ୍ତ୍ରୀ ପୁରସ୍କୃତ କରିଥିଲେ। ପରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଫଳ ବଣ୍ଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ, ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା, ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ଜିଲ୍ଲାର ବିଭିନ୍ନ ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜ୍ୟୋତି ପ୍ରକାଶ ସାହୁ ସଂଯୋଜନା କରିଥିବାବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ସ୍ୱାଧୀନତା ଦିବସ ଅବସରରେ ସକାଳେ ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା, ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀ ସାକିଆଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଅପରାହ୍ନରେ ସ୍ୱାଧୀନତା ଦିବସ ଉପଲକ୍ଷେ ଟାଉନ୍ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଜିଲ୍ଲାପାଳ ଏକାଦଶ ଏବଂ ସାମ୍ବାଦିକ ଏକାଦଶ ମଧ୍ୟରେ ଏକ ବେଶ୍ ରୋମାଞ୍ଚକର ଓ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଖେଳ ମାଧ୍ୟମରେ ପରସ୍ପର ମଧ୍ୟରେ ସଦଭାବ, ଭାଇଚାରା ଏବଂ ସହଯୋଗର ଭାବନାକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଅନନ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ପ୍ରାରମ୍ଭରେ ଅତିଥିମାନେ ଉଭୟ ଦଳର ଖେଳାଳିମାନଙ୍କୁ ପରିଚିତ ହେବା ସହ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାପାଳ ଏକାଦଶ ନିର୍ଦ୍ଧାରିତ ସମୟସୀମାରେ ୪ ଗୋଲ୍ କରି ଏକ ଦୃଢ଼ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏହାର ଜବାବରେ ସାମ୍ବାଦିକ ଏକାଦଶ ମଧ୍ୟ ଦୃଢ଼ ମୁକାବିଲା କରି ଶେଷ ପର୍ଯ୍ୟନ୍ତ ମ୍ୟାଚ୍କୁ ଏକ ରୋମାଞ୍ଚକର ସ୍ଥିତିକୁ ନେଇଯାଇଥିଲେ । ଶେଷରେ ଜିଲ୍ଲାପାଳ ଏକାଦଶ ଏହି ମ୍ୟାଚ୍ରେ ବିଜୟୀ ହୋଇଥିଲେ । ମ୍ୟାଚ୍ର ପ୍ରତ୍ୟେକ ମୁହୂର୍ତ୍ତରେ ଉପସ୍ଥିତ ଦର୍ଶକମାନେ ଉଭୟ ଦଳର ଖେଳାଳିମାନଙ୍କୁ ପ୍ରଚୁର ଉତ୍ସାହ ପ୍ରଦାନ କରିଥିଲେ । ଖେଳ ଶେଷରେ ଉଦ୍ଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଡଃ. ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଓ ଉପବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ, ସମାଜସେବୀ ଶ୍ରୀବତ୍ସ ବେହେରା, ଏବଂ ଶ୍ରୀକର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ପ୍ରଶାସନ ଏବଂ ଗଣମାଧ୍ୟମ ମଧ୍ୟରେ ପାରସ୍ପରିକ ସମ୍ପର୍କ ଓ ବନ୍ଧୁତ୍ୱକୁ ଆହୁରି ମଜଭୁତ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।