ବେକରେ ରଶି ଲଗାଇ ଯୁବକଙ୍କ ମୃତ୍ୟୁ,ପୋଲିସର ତଦନ୍ତ ଜାରି

0

ଓଡ଼ଗାଁ, ୧୮।୭ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଏନ୍‌ଏସିର କଲେଜ ରୋଡ଼ ଡାହାଣ ପାର୍ଶ୍ୱସ୍ଥ ଭାଲୁମୁଣ୍ଡିଆ ପାଦଦେଶର ଏକ କାଜୁ ବଗିଚାରୁ ଶନିବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଫୁଲବାଣୀ ଜିଲ୍ଲା ଚକାପାଦ ଥାନା ଯୋରସାହି ଗ୍ରାମର ଦେବେନ୍ଦ୍ର ମଲିକଙ୍କ ପୁଅ କୁମର ମଲିକ (୪୪) ବୋଲି ଜଣାପଡ଼ିଛି। ସେ ଓଡ଼ଗାଁର ଏକ ବୋର୍‌ୱେଲ୍‌ କମ୍ପାନୀରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ। ସୂଚନା ଅନୁସାରେ, ଶୁକ୍ରବାର ସକାଳ ପ୍ରାୟ ୧୦ଟା ପରଠାରୁ କୁମରଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏନେଇ କମ୍ପାନୀ ପକ୍ଷରୁ ପରିବାରକୁ ଜଣାଇବା ସହ ଓଡ଼ଗାଁ ଥାନାରେ ମଧ୍ୟ ସୂଚନା ଦିଆଯାଇଥିଲା। ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଶନିବାର ଅପରାହ୍ନରେ କାଜୁ ବଗିଚାରେ ଗଛରେ ଝୁଲିଥିବା ଅବସ୍ଥାରେ ତାଙ୍କ ମୃତଦେହର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜୋରଦାର କରିଥିଲା। ଖବର ପାଇ ଶରଣକୁଳ ଏସଡିପିଓ ଦୀପ୍ତି କାନ୍ତ ପ୍ରଧାନ ପହଞ୍ଚି ଆଲୋଚନା କରିଥିଲେ । ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ ସମୟରେ ମୃତକଙ୍କ ସାନଭାଇ ଆଶିଷ ମଲିକ ଓ ଅନ୍ୟ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ପରେ ସେମାନେ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ପୋଲିସ ମାମଲା ରୁଜୁ କରି ଶବକୁ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ସେଠାରେ ଡାକ୍ତର କୁମର ମଲିକଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଛେଦ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ରବିବାର ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.