ଏଏମ୍/ଏନ୍ଏସ୍ ପୋର୍ଟସ୍ ପକ୍ଷରୁ ପାରାଦ୍ୱୀପରେ ୧୨୩ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ବଣ୍ଟନ

0

ପାରାଦ୍ୱୀପ, ଜୁଲାଇ ୧୮, ୨୦୨୬ : ପ୍ରଧାନମନ୍ତ୍ରୀ ଯକ୍ଷ୍ମା (ଟିବି) ମୁକ୍ତ ଭାରତ ଅଭିଯାନ ଅଧୀନରେ ଏଏମ/ଏନଏସ ପୋର୍ଟସ୍ ପକ୍ଷରୁ ଜଗତସିଂହପୁର ଜିଲ୍ଲା ଯକ୍ଷ୍ମା (ଟିବି) କାଉନସିଲ୍‌ ସହଭାଗିତାରେ କୁଜଙ୍ଗ ବ୍ଲକ ଏବଂ ପାରାଦ୍ୱୀପ ପୌରାଞ୍ଚଳର ୧୨୩ ଜଣ ଯକ୍ଷ୍ମା ରୋଗୀଙ୍କୁ ୩୪୪ଟି ପୁଷ୍ଟିକର ଖାଦ୍ୟ ବାସ୍କେଟ୍‌ ବଣ୍ଟନ କରିଛି। ଏହି ବହୁ-କ୍ଷେତ୍ରିକ ପଦକ୍ଷେପ ଟି ଯକ୍ଷ୍ମା ବିରୋଧୀ ଲଢ଼େଇକୁ ମଜବୁତ କରିବାରେ ପୁଷ୍ଟିକର ଖାଦ୍ୟ ସହାୟତାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି, ଯାହାକି ଏହି ରୋଗ ସହିତ ଲଢୁଥିବା ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସମାଧାନ ପ୍ରଦାନ କରିଥାଏ ।

ଏହି ବାସ୍କେଟ୍ ର ଅଂଶବିଶେଷ ଭାବରେ ମିଲ୍କ ପାଉଡର (କ୍ଷୀର ଗୁଣ୍ଡ), ଡାଲି, ରୋଷେଇ ଉପଯୋଗୀ ତେଲ, ଶସ୍ୟ ଜାତୀୟ ସାମଗ୍ରୀ ଏବଂ ମିଲେଟ୍ ଭଳି ବିଶେଷ ଭାବରେ ପ୍ରସ୍ତୁତ ଖାଦ୍ୟ ବାସ୍କେଟ୍ ପ୍ରଦାନ କରାଯାଇଥିଲା। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଏବଂ ରୋଗୀମାନଙ୍କୁ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରିବା ପାଇଁ ଏହି ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକୁ ବିଶେଷ ରୂପେ ଚୟନ କରାଯାଇଛି। ଏଏମ୍ /ଏନ୍ଏସ୍ ପୋର୍ଟସ୍ ୨୦୨୩ ମସିହାରୁ ଏହି ରୋଗୀମାନଙ୍କୁ ସହାୟତାର ହାତ ବଢ଼ାଇ ଆସୁଛି ଏବଂ ସେମାନେ ଯେପରି ଅତ୍ୟାବଶ୍ୟକ ସେବା ଓ ସଠିକ୍ ସମୟରେ ସହାୟତା ପାଇପାରିବେ ତାହା ସୁନିଶ୍ଚିତ କରି ୩୦୦୦ ରୁ ଅଧିକଙ୍କ ଜୀବନରେ ସୁଧାର ଆଣିଛି।

ଏହି କାର୍ଯ୍ୟକ୍ରମ ପାରାଦ୍ୱୀପସ୍ଥିତ ବିଜୁ ମେମୋରିଆଲ ହସ୍ପିଟାଲର ସମ୍ମିଳନୀ କକ୍ଷରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ ଥିବା ଅତିଥିମାନଙ୍କ ମଧ୍ୟରେ ଜଗତସିଂହପୁରର ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ରଶ୍ମି ରଞ୍ଜନ ପଟ୍ଟନାୟକ, ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ବିପିନ ବିହାରୀ ପାତ୍ର, ଜିଲ୍ଲା ପବ୍ଲିକ ପ୍ରାଇଭେଟ ମିଳିତ ସଂଯୋଜକ ଶ୍ରୀ ମହମ୍ମଦ ୱାକାର ଅଲ୍ଲୀ, ପାରାଦ୍ୱୀପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ବସନ୍ତ କୁମାର ରାଉତ, କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଚିକିତ୍ସା ସଂଯୋଜକ ଶ୍ରୀ ସୟଦ ଅମିନୁଲ ଇସଲାମ, ପାରାଦ୍ୱୀପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଯକ୍ଷ୍ମା ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀ ସୁମିତ୍ର କୁମାର ସ୍ୱାଇଁ ଏବଂ ପାରାଦ୍ୱୀପର ଯକ୍ଷ୍ମା ଚାମ୍ପିଅନ କୁମାରୀ ବନିତା ବର୍ମନ ପ୍ରମୁଖ ସାମିଲ ଥିଲେ। ଏହା ସହିତ ଏଏମ୍ /ଏନ୍ଏସ୍ ପୋର୍ଟସ୍ ର ବରିଷ୍ଠ ଅଧିକାରୀ ଯଥା ମେକାନିକାଲ ବିଭାଗର ମୁଖ୍ୟ ଶ୍ରୀ ଲକ୍ଷ୍ମୀକାନ୍ତ ସାହୁ, ଇଲେକ୍ଟ୍ରିକାଲ ବିଭାଗର ମୁଖ୍ୟ ଶ୍ରୀ ପ୍ରବୀଣ ରାୟ ଏବଂ ଲଜିଷ୍ଟିକ୍ସ ବିଭାଗର ମୁଖ୍ୟ ଶ୍ରୀ ସ୍ମୃତି ରଞ୍ଜନ ସାମନ୍ତରାୟ ଉପସ୍ଥିତ ଥିଲେ।

ଡାକ୍ତର ରଶ୍ମି ରଞ୍ଜନ ପଟ୍ଟନାୟକ କୁଜଙ୍ଗ ବ୍ଲକ ଏବଂ ପାରାଦ୍ୱୀପର ଯକ୍ଷ୍ମା ରୋଗୀମାନଙ୍କୁ ସହାୟତାର ହାତ ବଢ଼ାଇବାରେ ଏଏମ୍/ଏନ୍ଏସ୍ ପୋର୍ଟସ୍ ପ୍ରଥମ କମ୍ପାନୀ ହୋଇଥିବାରୁ ଏହାର ଉଚ୍ଚ ପ୍ରଶଂସା କରିଛନ୍ତି। ଏହାସହିତ ସେ କହିଛନ୍ତି ଯେ, ଏଭଳି ସହାନୁଭୂତିପୂର୍ଣ୍ଣ ପଦକ୍ଷେପ କେବଳ ଶୀଘ୍ର ଆରୋଗ୍ୟ ଲାଭ କରିବାରେ ସାହାଯ୍ୟ କରେ ନାହିଁ, ବରଂ ରୋଗୀମାନଙ୍କୁ ବିନା ଭୟ କିମ୍ବା ସଂକୋଚରେ ଆଗକୁ ଆସିବା ପାଇଁ ଅନୁପ୍ରାଣିତ କରିଥାଏ। ଡାକ୍ତର ପଟ୍ଟନାୟକ ଯକ୍ଷ୍ମା ରୋଗୀମାନଙ୍କୁ ନିଜର ରୋଗ ନଲୁଚାଇ ଏହାର ଚିକିତ୍ସା କରିବାକୁ କହିବା ସହ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ସ୍ପଷ୍ଟତାର ସହିତ ସଠିକ୍ ସମୟରେ ଡାକ୍ତରୀ ସେବା ନେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଏହି ପଦକ୍ଷେପ ମାଧ୍ୟମରେ, ଏଏମ/ଏନଏସ ପୋର୍ଟସ୍ ସାମଗ୍ରିକ ଭାବେ ରୋଗୀ ସେବାରେ ଯୋଗଦାନ କରିବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟ ପ୍ରତି ଏହାର ପ୍ରତିବଦ୍ଧତାକୁ ଅଧିକ ସୁଦୃଢ଼ କରୁଛି।

Leave A Reply

Your email address will not be published.