ବେଲଗୁଣ୍ଠା,୦୩/୦୭-(ଶିବରାମ ଚୌଧୁରୀ )-, ରାଜ୍ୟରେ ତୃତୀୟ ଦିନରେ ପହଞ୍ଚିଛି ଓଡ଼ିଶା ମେଡ଼ିକାଲ ସର୍ଭିସେସ୍ ଆସୋସିଏସନ୍ ଡାକରାରେ ଏମବିବିଏସ୍ ଡାକ୍ତରଙ୍କ ଆନ୍ଦୋଳନ। ବେଲଗୁଣ୍ଠାରେ ଥିବା ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ବ୍ଳକ୍ ର ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଡାକ୍ତରଙ୍କ ଆନ୍ଦୋଳନର ପ୍ରଭାବ ସ୍ବାସ୍ଥ୍ୟ ସେବା ଉପରେ ପଡ଼ିଛି। ବ୍ଳକ୍ ରେ ଥିବା ସମସ୍ତ ଏମବିବିଏସ୍ ଡାକ୍ତର ଆନ୍ଦୋଳନରେ ସାମିଲ ହୋଇଥିବା ଯୋଗୁଁ ମେଡ଼ିକାଲ ଗୁଡ଼ିକ ଡାକ୍ତର ଶୂନ୍ୟ ହୋଇପଡିଛି। କିନ୍ତୁ ଉଭୟ ବେଲଗୁଣ୍ଠା ଏବଂ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବାକୁ ଅବ୍ୟାହତ ରଖିବା ପାଇଁ ପ୍ରଶାସନିକ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇଛି। ଉଭୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଦାୟିତ୍ଵ ସାମୟିକ ଭାବେ ପାଳିକରି ଆୟୁଷ ଡ଼ାକ୍ତର ମାନଙ୍କୁ ଏବଂ ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଦାୟିତ୍ୱରେ ଥିବା ଡ଼ାକ୍ତର ମାନଙ୍କୁ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦାୟିତ୍ଵ ଆୟୁଷ ଡ଼ାକ୍ତର ସରୋଜ ପ୍ରଧାନ,ଡାକ୍ତର ଜ୍ଞାନ ରଞ୍ଜନ ମହାପାତ୍ର,ଡାକ୍ତର ଜଗନ୍ନାଥ ପତିଙ୍କ ଉପରେ ନ୍ୟସ୍ତ କରାଯାଇଥିବା ବେଳେ ଗୋବରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଦାୟିତ୍ଵ ଆୟୁଷ ଡ଼ାକ୍ତର ବସନ୍ତ କୁମାର ସ୍ବାଇଁ, ଡାକ୍ତର ପାଣ୍ଡବ ସ୍ୱାଇଁ ଏବଂ ଡାକ୍ତର ବିଭୂପାଦ ଆଚାରୀଙ୍କ ଉପରେ ନ୍ୟସ୍ତ କରାଯାଇଛି। ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁଷ ଡାକ୍ତରମାନେ ପ୍ରତ୍ୟେକ ଦିନ ଶହ ଶହ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଆଜି ଦିନ ସାରା ଝିପି ଝିପି ବର୍ଷା ସତ୍ତ୍ୱେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସନ୍ଧ୍ୟା ସୁଦ୍ଧା ୧୫୧ ଜଣ ରୋଗୀଙ୍କ ଚିକିତ୍ସା କରାଯାଇଥିବା ବେଳେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୯୦ ଜଣ ରୋଗୀଙ୍କ ଚିକିତ୍ସା କରାଯାଇଛି। ଏମବିବିଏସ୍ ଡାକ୍ତରଙ୍କ ଅନୁପସ୍ଥିତିରେ ରୋଗୀ ସେବା ବ୍ୟାହତ ହୋଇଥିଲେ ମଧ୍ୟ ବେଲଗୁଣ୍ଠାରେ ଦାୟିତ୍ୱରେ ଥିବା ଆୟୁଷ ଡ଼ାକ୍ତର ମାନଙ୍କ ଅକ୍ଲାନ୍ତ ପରିଶ୍ରମ ମେଡ଼ିକାଲକୁ ଆସୁଥିବା ରୋଗୀଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରୁଥିବାରୁ ରୋଗୀ ଏବଂ ରୋଗୀଙ୍କ ସଂପର୍କୀୟ ମାନେ ସେହି ଆୟୁଷ ଡ଼ାକ୍ତର ମାନଙ୍କୁ ସାଧୁବାଦ୍ ଜଣାଇଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଆୟୁଷ ଡ଼ାକ୍ତର ମାନେ ପ୍ରତ୍ୟେକ ଜରୁରୀ ପରିସ୍ଥିତିରେ ସ୍ବାସ୍ଥ୍ୟ ସେବାକୁ ନିଜ କାନ୍ଧକୁ ଉଠାଇ ନେଉଥିଲେ ମଧ୍ୟ ସରକାରୀ ସ୍ତରରେ ସେମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ କିମ୍ବା ଜରୁରୀକାଳୀନ ସେବା ନିମନ୍ତେ କୌଣସି ତାଲିମ ପ୍ରଦାନ କରାଯାଉନାହିଁ।
Sign in
Sign in
Recover your password.
A password will be e-mailed to you.