ଭୁବନେଶ୍ୱର, ଜୁନ୍ ୨୩: ଗତ ଜୁନ୍ ୧୫ ତାରିଖ ରଜ ସଂକ୍ରାନ୍ତି ସନ୍ଧ୍ୟା ସମୟରେ ରାସ୍ତାରେ ଶୋଇ ରହିଥିବା ଏକ ବାଛୁରୀ ଉପରେ ହଠାତ୍ ମାଡିଯାଇଥିଲା ଏକ ଚାରିଚକିଆ ଯାନ । ଦୁର୍ଘଟଣା ଘଟାଇବା ପରେ ବାଛୁରୀଟିର ଅବସ୍ଥା ବୁଝିବା ବଦଳରେ ସେଠାରୁ ଉଭାନ ହୋଇଯାଇଥିଲା ଗାଡି ଚାଳକ ।
କଥା କହି ପାରୁନଥିବା ଏହି ନିରୀହ ପ୍ରାଣୀଟି ଗୁରୁତର ଓ ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଅଚଂଳର ଜଣେ ବ୍ୟକ୍ତିଙ୍କ ଘର ସାମ୍ନାରେ ପହଂଚି ବିକଟାଳ ସ୍ୱରରେ ନିଜର କଷ୍ଟ ଜଣାଇଥିଲା । ତାର ଦେହ ସାରା କ୍ଷତାକ୍ତ ହୋଇଥିବା ବେଳେ ପାଟି ବାଟେ ପାଣି କିମ୍ବା ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ ସକ୍ଷମ ନଥିଲା ।
ସ୍ଥାନୀୟ ବାସିନ୍ଦା ଅନେକ ଚେଷ୍ଟା କରିବା ପରେ ବାଛୁରୀଟିର ଚିକିତ୍ସା ପାଇଁ କୌଣସି ସନ୍ଧାନ ପାଇପାରି ନଥିଲେ । ଶେଷରେ ଜଣେ ସ୍ଥାନୀୟ ବ୍ୟକ୍ତି ଶିକ୍ଷା ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ଭେଟେରିନାରୀ ସାଇନସେସ୍ ଆଣ୍ଡ ଆନିମଲ ହଜ୍ବାଣ୍ଡରୀ (ଆଭିଏସ୍ଏଏଚ୍) ପରିଚାଳିତ ପ୍ରାଣୀ ଚିକିତ୍ସାଳୟ (ଭେଟେରିନାରୀ କ୍ଳିନିକାଲ୍ କମ୍ପ୍ଲେକ୍ସ)କୁ ଯୋଗାଯୋଗ କରିବା ପରେ ଏହାର ଆମ୍ବୁଲାନ୍ସ କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ପହଂଚି ବାଛୁରୀଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇ ଯାଇଥିଲେ ।
ହସ୍ପିଟାଲରେ ପହଂଚିବା ପରେ ତୁରନ୍ତ ବାଛୁରୀଟିର ଚିକିତ୍ସା ଆରମ୍ଭ କରାଯାଇଥିଲା । ଗୁରୁତର ଥିବା ପ୍ରାଣୀଟି କ୍ଷତ ଜନିତ ଯନ୍ତ୍ରଣାରେ ଜର୍ଜରିତ ହୋଇ ପଡିଥିଲା ବୋଲି ସୂଚନା ଦେଇଛନ୍ତି ସୋଆ ଆଭିଏସ୍ଏଏଚ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ନିରଂଜନ ସାହୁ ।
ଚିକିତ୍ସା ଆରମ୍ଭ ହେବା ପରେ ବାଛୁରୀଟି ଧିରେ ଧିରେ ସୁସ୍ଥ ହେବା ସହ ଖାଦ୍ୟ ପାନୀୟ ମଧ୍ୟ ଗ୍ରହଣ କରିବା ଆରମ୍ଭ କରିଥିଲା । ପ୍ରଫେସର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡାକ୍ତରୀ ଟିମ୍ ବାଛୁରୀଟିକୁ ସଂପୂର୍ଣ୍ଣ ସୁସ୍ଥ କରିଥିଲେ ।
ସୁସ୍ଥ ହେବା ପରେ ଆମ୍ବୁଲାନ୍ସ ଯୋଗେ ଯେଉଁ ସ୍ଥାନରୁ ତାକୁ ଉଦ୍ଧାର କରାଯାଇଥିଲା ସେଠାରେ ପୁଣି ତାକୁ ଆଣି ଛାଡି ଦିଆଯାଇଥିଲା ।
ପ୍ରଫେସର ସାହୁ କହିଛନ୍ତି ଯେ ରାସ୍ତାରେ ବୁଲୁଥିବା ଦୁର୍ଘଟଣାଗ୍ରସ୍ତ ପ୍ରାଣୀଙ୍କୁ ଆଣି ଆଭିଏସ୍ଏଏଚ୍ର ହସ୍ପିଟାଲରେ ନିୟମିତ ଭାବେ ଚିକିତ୍ସା କରାଯାଇ ସୁସ୍ଥ କରାଯାଉଛି । ହସ୍ପିଟାଲରେ ଅନେକ ପ୍ରାଣୀ ଏଭଳି ସୁସ୍ଥ ହୋଇ ଫେରୁଥିବା ସେ ସୂଚନା ଦେଇଛନ୍ତି ।
ତେବେ ରାସ୍ତାରେ ବୁଲୁଥିବା ପ୍ରାଣୀମାନଙ୍କୁ ବେପରୁଆ ଗାଡିଚାଳକମାନେ ଦୁର୍ଘଟଣା ଘଟାଉଥିବାର ଘଟଣା ବାରମ୍ବାର ସାମ୍ନାକୁ ଆସୁଛି ।
Sign in
Sign in
Recover your password.
A password will be e-mailed to you.