ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର: ୧୨୫ ଅଭିଯୋଗ ପଞ୍ଜିକୃତ, ୬୨ର ତତ୍କାଳ ସମାଧାନ,

0
  • ଓଡ଼ଗାଁ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବି,

  • ବିଭିନ୍ନ ସମସ୍ୟା ନେଇ ଜନସାଧାରଣଙ୍କ ଅଭିଯୋଗ,

ଓଡ଼ଗାଁ, ୨୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ମଧୁମିତା ରଥ, ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଶାନ୍ତ କୁମାର ସ୍ୱାଇଁ, ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ରାଉତ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପିଣ୍ଟୁ ପ୍ରଧାନଙ୍କ ସମେତ ଜିଲ୍ଲା ଓ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶିବିରରେ ମୋଟ ୧୨୫ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିରୁ ୧୧୪ଟି ବ୍ୟକ୍ତିଗତ ଅଭିଯୋଗ ଓ ୧୧ଟି ଗ୍ରାମ ସମୂହ ସମସ୍ୟା ସମ୍ବନ୍ଧୀୟ ଥିଲା। ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ଏବଂ ରେଡ୍‌କ୍ରସ୍ ସମ୍ବନ୍ଧୀୟ କୌଣସି ଅଭିଯୋଗ ପ୍ରାପ୍ତ ହୋଇନଥିଲା। ପଞ୍ଜିକୃତ ଅଭିଯୋଗ ମଧ୍ୟରୁ ୬୨ଟିର ତତ୍କାଳ ସମାଧାନ କରାଯାଇଥିବା ବେଳେ ଅବଶିଷ୍ଟ ମାମଲାଗୁଡ଼ିକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ ବିଭାଗକୁ ପଠାଯାଇଛି। ଏହି ଅବସରରେ ଜ୍ଞାନଜ୍ୟୋତି ଫାଉଣ୍ଡେସନ, ଓଡ଼ଗାଁ ପକ୍ଷରୁ ଓଡ଼ଗାଁ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେହିପରି ଓଡ଼ଗାଁ ଶ୍ରୀ ରଘୁନାଥ ଜୀଉ ମନ୍ଦିରର ରାମ ବିହାର, ରୋଷଘର ଏବଂ ଭଣ୍ଡାରଘର ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା। ନୟାଗଡ଼ ଗ୍ରୀଡ୍‌ରୁ ଓଡ଼ଗାଁକୁ ଆସିଥିବା ନୂତନ ୩୩ କେଭି ବିଦ୍ୟୁତ ଲାଇନକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ସାମ୍ବାଦିକମାନେ ମଧ୍ୟ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏହା ବ୍ୟତୀତ ବିଭିନ୍ନ ଜନସମସ୍ୟା ସମ୍ପର୍କିତ ଅନେକ ଅଭିଯୋଗ ଜିଲ୍ଲାପାଳଙ୍କ ସମ୍ମୁଖରେ ଉପସ୍ଥାପିତ ହୋଇଥିଲା। ତେବେ ଏହି ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ କେତେ ଶୀଘ୍ର ହେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ଜନଶୁଣାଣି ଶିବିରରେ ଓଡ଼ଗାଁ ତହସିଲଦାର ଡା. ମାନସ ରଞ୍ଜନ ଭୋଇ, ବିଡିଓ ପ୍ରୀତିବାଳା ରଣା, ଏନ୍‌ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଶରଣକୁଳ ଏସଡିପିଓ ଦୀପ୍ତିକାନ୍ତ ପ୍ରଧାନ, ଓଡ଼ଗାଁ ଆଇଆଇସି ସତ୍ୟନାରାୟଣ ବାରିକ, କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ମନୋଜ କୁମାର ରାଉତ, ପାନୀୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ସୁବାଷ ଚନ୍ଦ୍ର ସ୍ୱାଇଁ, ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ୱିନୀ ପ୍ରଧାନ, ବନପାଳ ସରିତା ବରାଳ, ଯୋଗାଣ ଅଧିକାରୀ ମଳୟ କୁମାର ମେହେର, ଶିଶୁ ଓ ମହିଳା ସୁରକ୍ଷା ଅଧିକାରୀ ଲହଡ଼ିମାଳା ପ୍ରଧାନ, ବ୍ଲକ ଗ୍ରାମପଞ୍ଚାୟତ ଅଧିକାରୀ ବିଶ୍ୱଜିତ ଜେନାଙ୍କ ସମେତ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀମାନେ ଯୋଗଦେଇ ଅଭିଯୋଗ ଶୁଣିଥିଲେ।

Leave A Reply

Your email address will not be published.