କେନ୍ଦ୍ରାପଡ଼ା:୧୯.୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ଶିଶୁ ଶ୍ରମିକ ପ୍ରଥା ନିରାକରଣ,ଶିଶୁ ଅଧିକାର ସୁରକ୍ଷା ଏବଂ ଶିଶୁମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସ୍ୱତନ୍ତ୍ର ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଶ୍ରୀ ରଘୁରାମ ଆର ଆୟର ପତାକା ଦେଖାଇ ଏହି ସଚେତନତା ରଥକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆୟର କହିଥିଲେ ଯେ,ଶିଶୁ ଶ୍ରମିକ ପ୍ରଥା ସମାଜ ପାଇଁ ଏକ ଗୁରୁତର ସମସ୍ୟା। ପ୍ରତ୍ୟେକ ଶିଶୁର ଶିକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ସୁସ୍ଥ ବିକାଶର ଅଧିକାର ରହିଛି। ଶିଶୁମାନଙ୍କୁ ଶ୍ରମରେ ନିୟୋଜିତ ନ କରି ସେମାନଙ୍କୁ ବିଦ୍ୟାଳୟ ମୁଖୀ କରିବା ଏବଂ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରବୀନ୍ଦ୍ର କୁମାର ମଲ୍ଲିକ, ଜିଲ୍ଲାଶ୍ରମ ଅଧିକାରୀ ଶ୍ରୀ ଅନନ୍ତ ପଦ୍ମନାଭ ମହମନସିଂଙ୍କ ସମେତ ଶ୍ରମ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାଶ୍ରମ ଅଧିକାରୀ ଶ୍ରୀ ମହମନସିଂ ଶିଶୁ ଶ୍ରମିକ ନିଷେଧ ଓ ନିୟନ୍ତ୍ରଣ ଆଇନ, ଶିଶୁ ସୁରକ୍ଷା ବ୍ୟବସ୍ଥା ଏବଂ ଏହି ସଚେତନତା ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକ, ଗ୍ରାମ ପଞ୍ଚାୟତ ଏବଂ ବିଭିନ୍ନ ଜନବହୁଳ ସ୍ଥାନ ପରିକ୍ରମା କରିବ। ରଥ ମାଧ୍ୟମରେ ପ୍ରଚାର ସାମଗ୍ରୀ ଏବଂ ସଚେତନତାମୂଳକ ସନ୍ଦେଶ ଜରିଆରେ ଶିଶୁ ଶ୍ରମିକ ପ୍ରଥାର କୁପ୍ରଭାବ, ଶିଶୁମାନଙ୍କର ମୌଳିକ ଅଧିକାର, ଶିକ୍ଷାର ଗୁରୁତ୍ୱ ଏବଂ ଶିଶୁ ଶ୍ରମିକ ନିୟୋଜନର ଆଇନଗତ ପରିଣାମ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଯିବ। ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ପ୍ରଥା ନିରାକରଣ ଦିଗରେ ଜନସାଧାରଣ, ନିଯୁକ୍ତିଦାତା, ସ୍ୱେଚ୍ଛାସେବୀ ସଂଗଠନ ଏବଂ ବିଭିନ୍ନ ଅନୁଷ୍ଠାନର ସକ୍ରିୟ ସହଯୋଗ କାମନା କରାଯାଇଛି। ଏହି ସଚେତନତା ଅଭିଯାନ ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥା ହ୍ରାସ କରିବା ସହ ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ ଓ ଶିକ୍ଷାନୁକୂଳ ପରିବେଶ ସୃଷ୍ଟିରେ ସହାୟକ ହେବ ବୋଲି ଆଶା କରାଯାଇଛି।
Sign in
Sign in
Recover your password.
A password will be e-mailed to you.