ବିଜେପୁର :-ତୀବ୍ର ଗ୍ରୀଷ୍ମ ପ୍ରଭାବ ରେ ସାଧାରଣ ଲୋକ ଯେତେବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେତେବେଳେ ବିଜେପୁର ପୋଲିସ ପକ୍ଷରୁ ଏକ ମାନବିକ ଓ ସେବାମୂଳକ ପଦକ୍ଷେପ ନେଇ ଆଜି ଦହି ସର୍ବତ ବଣ୍ଟନ କରାଯାଇଛି। ବିଜେପୁର ଥାନା ସମ୍ମୁଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୂରଦୂରନ୍ତରୁ ଆସୁଥିବା ଯାତ୍ରୀ, ପଥଚାରୀ, ଡ୍ରାଇଭର ଓ ସ୍ଥାନୀୟ ବାସିନ୍ଦାମାନେ ଲାଭାନ୍ବିତ ହୋଇଥିଲେ।ବିଶେଷକରି ଦିନକୁ ଦିନ ବଢ଼ୁଥିବା ତାପମାତ୍ରା ଓ ଗରମ ପବନ ଲୋକମାନଙ୍କ ଜୀବନକୁ ଦୁର୍ବିସହ କରିଦେଇଥିବା ବେଳେ, ଏହି ପରି ପଦକ୍ଷେପ ଲୋକଙ୍କୁ କିଛି ମାତ୍ରାରେ ରାହାତ ଦେଇଛି। ଦହି ସର୍ବତ ପିଇ ସାଧାରଣ ଲୋକମାନେ ଶୀତଳତା ଅନୁଭବ କରିଥିବା ସହ ପୋଲିସର ଏହି ସମାଜସେବାକୁ ଅଭିନନ୍ଦନ ଜଣାଇଥିଲେ।ଏହି କାର୍ଯ୍ୟକ୍ରମ ବିଜେପୁର ଥାନାଧିକାରି ସୁଶାନ୍ତମଣି ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ସେ ନିଜେ ଉପସ୍ଥିତ ରହି ଲୋକମାନଙ୍କୁ ସର୍ବତ ବଣ୍ଟନ କରିଥିଲେ ଏବଂ ପୋଲିସ କର୍ମଚାରୀମାନଙ୍କୁ ସେବାମୂଳକ କାର୍ଯ୍ୟରେ ସକ୍ରିୟ ଭାଗ ନେବାକୁ ପ୍ରେରିତ କରିଥିଲେ। ଏହି ଅବସରରେ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ମଧ୍ୟ ସକ୍ରିୟ ଭାବେ ଯୋଗଦେଇ ସହଯୋଗ କରିଥିଲେ।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୋଲିସ ମାନେ କେବଳ ଆଇନ ଶୃଙ୍ଖଳା ରକ୍ଷା କରିବାରେ ସୀମିତ ନୁହେଁ, ସମାଜର ଆବଶ୍ୟକ ସମୟରେ ସେମାନେ ମାନବିକ ଭୂମିକା ମଧ୍ୟ ନିଭାଉଛନ୍ତି। ଏପରି କାର୍ଯ୍ୟକ୍ରମ ଲୋକ ଓ ପୋଲିସ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରୁଛି।ଗରମ ଦିନରେ ଦହି ସର୍ବତ ପରି ପାନୀୟ ଶରୀରକୁ ଶୀତଳ ରଖିବା ସହ ଜଳଶୁନ୍ୟତାରୁ ରକ୍ଷା କରିଥାଏ। ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବାରୁ ସାଧାରଣ ଲୋକମାନେ ବେଶ ସନ୍ତୋଷ ପ୍ରକାଶ କରିଛନ୍ତି।ସ୍ଥାନୀୟ ଲୋକମାନେ ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏପରି ସେବାମୂଳକ କାର୍ଯ୍ୟକ୍ରମ ଜାରି ରଖିବାକୁ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି।