ବାହାଡ଼ାଝୋଲା-ମହୀପୁର ପୁର୍ତ୍ତ ରାସ୍ତା ପ୍ରଶସ୍ତିକରଣ ଗୁଣବତ୍ତା ନେଇ ପ୍ରଶ୍ନବାଚୀ;

0 2

୧ କିମି ରାସ୍ତା ପାଇଁ ୧ କୋଟି ୩୭ ଲକ୍ଷ ବ୍ୟୟବରାଦ, ମୋରମ ବଦଳରେ ପଡୁଛି ମାଟି

ଓଡ଼ଗାଁ, ୨୫।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ନୂଆଗାଁ ବ୍ଲକର ବାହାଡ଼ାଝୋଲା-ମହୀପୁର ପୁର୍ତ୍ତ ରାସ୍ତା ପ୍ରଶସ୍ତିକରଣ କାମର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି। ପେଟେଇଚଣ୍ଡୀ ଠାକୁରାଣୀ ମନ୍ଦିର ଠାରୁ ମହୀପୁର ପର୍ଯ୍ୟନ୍ତ ନିର୍ମିତ ରାସ୍ତାର ଉଭୟ ପାର୍ଶ୍ୱରେ ମୋରମ ପରିବର୍ତ୍ତେ ଜମି ମାଟି ପକାଯାଉଛି । ଓଡ଼ଗାଁରୁ ବାହାଡ଼ାଝୋଲା ଓ ମହୀପୁର ଦେଇ ଏହି ପୁର୍ତ୍ତ ରାସ୍ତା ମହୀପୁର ଠାରେ ୫୭ ନମ୍ବର ଜାତୀୟ ରାଜପଥ ସହ ସଂଯୋଗ ହେଉଛି। ଫଳରେ ପ୍ରତିଦିନ ଏହି ରାସ୍ତା ଦେଇ ବାଇକ, ଯାତ୍ରିବାହୀ ବସ ଓ ମାଲବାହୀ ଟ୍ରକ ଚଳାଚଳ କରୁଛି। ଏହା ମାଧ୍ୟମରେ ଭୁବନେଶ୍ୱର, କଟକ, ଦଶପଲ୍ଲା, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଭଳି ବିଭିନ୍ନ ଅଞ୍ଚଳକୁ ଯାତାୟାତ ସୁବିଧା ମିଳୁଛି। ଏପରି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଉଭୟ ପାର୍ଶ୍ୱରେ ମୋରମ ବଦଳରେ ବିଲ ମାଟି ପକାଯାଇବା ନେଇ ଜନ ଅସନ୍ତୋଷ ଦେଖାଦେଇଛି । ସେହିପରି ନିର୍ମାଣ କାମରେ ମେଟାଲ, ପଥର ଗୁଣ୍ଡ, ପିଚୁ, ଚିପ୍ସ ଓ ବଜୁରିର ଅନୁପାତକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।
ସୂଚନାନୁସାରେ, ୨୦୨୩ ମସିହାରେ ଏହି ୮ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୧୧ କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଅର୍ଥାତ୍ ପ୍ରତି କିଲୋମିଟର ପାଇଁ ପ୍ରାୟ ୧ କୋଟି ୩୭ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟବରାଦ କରାଯାଇଥିଲା। ତେବେ ଉନ୍ନତ ମାନର ରାସ୍ତା ନିର୍ମାଣ ପାଇଁ ସମସ୍ତ ପ୍ରକାରର ଅର୍ଥ ବ୍ୟୟ ବରାଦ ହୋଇଥିବା ବେଳେ କାହା ଛତ୍ରଛାୟାରେ ଠିକାଦାର ଏଭଳି ଅନୁନ୍ନତ କାର୍ଯ୍ୟ କରିଚାଲିଛନ୍ତି, ସେନେଇ ତଦନ୍ତ କରାଯାଉ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି।

Leave A Reply

Your email address will not be published.