ଓଡ଼ଗାଁ, ୨୪।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ–୨୦୨୬ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ବ୍ଲକ ରୋଡ଼ କଲ୍ୟାଣୀ ମଣ୍ଡପ ଠାରେ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହର ସିଧାପ୍ରସାରଣ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସମେତ ଅନ୍ୟାନ୍ୟ ମନ୍ତ୍ରୀ ଓ ବିଧାୟକମାନଙ୍କ ବାର୍ତ୍ତା ଉପସ୍ଥିତ ପଞ୍ଚାୟତ ପ୍ରତିନିଧି, ବ୍ଲକ ପ୍ରଶାସନିକ ଅଧିକାରୀ ଓ ସାଧାରଣ ଲୋକମାନେ ଉତ୍ସୁକତାର ସହ ଶୁଣିଥିଲେ।
ଏହି ଅବସରରେ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନ ପାଣ୍ଠିର ସୁବିନିଯୋଗ ପାଇଁ ଡିମିଶର ଗ୍ରାମ ପଞ୍ଚାୟତ ଏବଂ ରାଜ୍ୟ ଅର୍ଥ କମିଶନ ପାଣ୍ଠିର ସୁପରିଚାଳନା ପାଇଁ ରବିଗାଡ଼ିଆ ଗ୍ରାମ ପଞ୍ଚାୟତକୁ ଉତ୍ତରୀୟ, ଟ୍ରଫି ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।
ପଞ୍ଚାୟତର ନିଜସ୍ୱ ଆୟ ବୃଦ୍ଧି କ୍ଷେତ୍ରରେ ଗୋଡ଼ିପଡ଼ା ଗ୍ରାମ ପଞ୍ଚାୟତ ପ୍ରଥମ, ଶରଣକୁଳ ଦ୍ୱିତୀୟ ଏବଂ କୁରାଳ ତୃତୀୟ ସ୍ଥାନ ଅଧିକାର କରିଥିଲା। ଏହି ଅବସରରେ, ଯଥାକ୍ରମେ ସରପଞ୍ଚ ଅନୁରାଧା ସାହୁ, ମୀନାକ୍ଷୀ ପ୍ରସାଦ ସାହୁ ଓ ବିଜନ ପାଇକରାୟଙ୍କୁ ସମ୍ମାନିତ କରାଯାଇଥିଲା। ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ ପାଇଁ ରଙ୍ଗଣୀପାଟଣା ସରପଞ୍ଚ ସସ୍ମିତା ପାତ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଅନ୍ତୋଦୟ ଗୃହ ଯୋଜନା ଅନ୍ତର୍ଗତ ହରିଡ଼ାବନ୍ଧ ପଞ୍ଚାୟତର ସନ୍ତୋଷ କୁମାର ମାଝୀ, ନିର୍ମଳା ନାୟକ, ଗୋଡ଼ିପଡ଼ା ପଞ୍ଚାୟତର ରଶ୍ମିତା ନାୟକଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଏବଂ ସୋଲପଟା ପଞ୍ଚାୟତର ଶାନ୍ତି ଯେନାଙ୍କୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଓଡ଼ଗାଁ ବ୍ଲକ ବିଡିଓ ପ୍ରିତିବାଳା ରଣା ଓ ଏବିଡିଓ କବିତା କୁମାରୀ ପ୍ରଧାନ ପରିଚାଳନା କରିଥିବା ବେଳେ ବ୍ଲକ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ବିଶ୍ୱଜିତ ଯେନା ସଂଯୋଜନା କରିଥିଲେ।
Sign in
Sign in
Recover your password.
A password will be e-mailed to you.