ଓଡ଼ଗାଁ ବ୍ଲକ ବିଡ଼ିଓଙ୍କ ବୁଥ ପରିଦର୍ଶନ

0 2

ଓଡ଼ଗାଁ, ୨୧।୪(ଶ୍ରୀକାନ୍ତ କୁମାର ମିଶ୍ର): ଭୋଟର ତାଲିକାରେ ସଂଶୋଧନ କାର୍ଯ୍ୟ ଚାଲିଥିବା ସମୟରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଡ଼ଗାଁ ବ୍ଲକ ଅଞ୍ଚଳରେ ଅନେକ ଭୋଟରଙ୍କ ନାମ ବାଦ ପଡ଼ୁଥିବା ଅଭିଯୋଗ ମିଳିଥିଲା। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ନିର୍ବାଚନ କମିଶନର, ଓଡ଼ିଶାଙ୍କ ନିର୍ଦ୍ଦେଶାନୁସାରେ ବାଦ ପଡ଼ିଥିବା ଭୋଟରଙ୍କ ସମ୍ବନ୍ଧରେ ପୁନଃ ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷିତରେ ଆଜି ଓଡ଼ଗାଁ ମଣ୍ଡଳ ଉନ୍ନୟନ ଅଧିକାରୀ ତଥା ବ୍ଲକ ନିର୍ବାଚନୀ ଅଧିକାରୀ ସୁଶ୍ରୀ ପ୍ରିତିବାଳା ରଣା ଓ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ବିଶ୍ୱଜିତ୍ ଜେନା କୁରାଳ, କୋମଣ୍ଡ ଓ ରୋହିବାଙ୍କ ପଞ୍ଚାୟତର ବିଭିନ୍ନ ବୁଥ ପରିଦର୍ଶନ କରିଥିଲେ। ସେମାନେ ବିଶେଷକରି ବିଏଲଓ ଆପ୍‌ରେ ଚିହ୍ନିତ ହୋଇଥିବା ବାଦ ଭୋଟରଙ୍କ ସନ୍ଦର୍ଭରେ ତଥ୍ୟ ସଂଗ୍ରହ କରିଥିଲେ । ଅଧିକାରୀମାନେ କୁରାଳ, କୋମଣ୍ଡ, ଭଗବତୀପ୍ରସାଦ, ରୋହିବାଙ୍କ, ନରସିଂହ ପ୍ରସାଦ ଓ ଧନୁର୍ଜୟପୁର ଗ୍ରାମର ବିଭିନ୍ନ ସାହିକୁ ଯାଇ ଘରେ ଲୋକମାନଙ୍କ ସହ ସିଧାସଳଖ କଥା ହୋଇଥିଲେ। ବାଦ ପଡ଼ୁଥିବା ଭୋଟରଙ୍କ ସ୍ଥିତି, ସେମାନେ ଜୀବିତ କି ମୃତ କିମ୍ବା ଅନ୍ୟ କୌଣସି ବୁଥରେ ନାମ ଅନ୍ତର୍ଭୁକ୍ତ ହୋଇଛି କି ନାହିଁ, ସେ ସମ୍ବନ୍ଧରେ ସଠିକ ତଥ୍ୟ ସଂଗ୍ରହ କରିଥିଲେ।
ଏହି କାର୍ଯ୍ୟରେ ବୁଥ ସୁପରଭାଇଜର ରଞ୍ଜନ କୁମାର ଦାଶ, ବୁଥ ସ୍ତରୀୟ ଅଧିକାରୀ ରଞ୍ଜୁଲତା ସାହୁ, ବବିତା ଦଣ୍ଡସେନା ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.