ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ନେଇ ଏକ ବଡ଼ ଘୋଷଣା କରାଯାଇଛି। ଜିଲ୍ଲାରେ ପ୍ରକଟ ହୋଇଥିବା ପ୍ରବଳ ତାତି ଓ ଗୁଳୁଗୁଳିରୁ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଆସନ୍ତା ଏପ୍ରିଲ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀମାନଙ୍କ ପାଇଁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ପାଇଁ ଲାଗୁ ହେବ। ତେବେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ଓସେପା ଦ୍ୱାରା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଜାରି ରହିବ। ଏହା ସହିତ ବିଏସଇ , ସିଏଚଏସଇ, ସିବିଏସଇ ଏବଂ ଆଇସିଏସଇ ଦ୍ୱାରା ପରିଚାଳିତ ଅନ୍ୟ କୌଣସି ନିର୍ଦ୍ଧାରିତ ପରୀକ୍ଷା ମଧ୍ୟ ପୂର୍ବ କାର୍ଯ୍ୟକ୍ରମ ଅନୁଯାୟୀ ଅନୁଷ୍ଠିତ ହେବ। ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଶିକ୍ଷାନୁଷ୍ଠାନ ମୁଖ୍ୟମାନେ ପର୍ଯ୍ୟାପ୍ତ ପାନୀୟ ଜଳ, ଓଆରଏସ ଏବଂ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀଙ୍କ ପାଇଁ ବନ୍ଦ ରହିଲେ ମଧ୍ୟ ନାମଲେଖା, ପ୍ରଶାସନିକ କାର୍ଯ୍ୟ ଏବଂ ଜନଗଣନା ପରି ଜରୁରୀ କାର୍ଯ୍ୟ ଚାଲୁ ରହିବ। ଏଥିପାଇଁ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀମାନେ ସକାଳ ୦୬:୩୦ ରୁ ୧୦:୩୦ ପର୍ଯ୍ୟନ୍ତ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ବାଧ୍ୟତାମୂଳକ କରାଯାଇଛି ବୋଲି ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.