ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ

0

ଓଡ଼ଗାଁ, ୨୩।୩ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସୋମବାର ଅପରାହ୍ନରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରସ୍ତୁତି ସମ୍ପର୍କିତ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସହକାରୀ କୃଷି ନିର୍ଦ୍ଦେଶକ (ମୃତ୍ତିକା ରସାୟନବିତ୍) ନଭେଶ ପଟ୍ଟନାୟକ, କୃଷି ଜିଲ୍ଲା ଅଧିକାରୀ ପବିତ୍ର ମୋହନ ସାହୁ ଓ ଓଡ଼ଗାଁ ବ୍ଲକ କୃଷି ଅଧିକାରୀ ପ୍ରତିଭା ପ୍ରଧାନ ଉପସ୍ଥିତ ଥିଲେ। ତାଲିମ୍ ସମୟରେ ମୃତ୍ତିକା ନମୁନା ସଂଗ୍ରହ ପ୍ରକ୍ରିୟା ସମ୍ପର୍କରେ ଅତିଥିମାନେ ବିସ୍ତୃତ ଅଲୋଚନା କରିଥିଲେ। ଜମିର ଖାଲ, ଢିପ କିମ୍ବା ଗଛଛାୟା ତଳୁ ମାଟି ନେବା ଉଚିତ୍ ନୁହେଁ ବୋଲି ସୁପାରିଶ କରାଯାଇଥିଲା। ବରଂ ଜେଡ୍ ସେଫରେ ଜମିର ୧୦ଟି ସ୍ଥାନରୁ ଉପର ଘାସ ହଟାଇ ୪-୫ ଇଞ୍ଚ ତଳୁ ମାଟି ସଂଗ୍ରହ କରି ଏକତ୍ର କରିବାକୁ କୁହାଯାଇଥିଲା। ସେହି ମାଟିକୁ ଚାରି ଭାଗରେ ବିଭକ୍ତ କରି ଦୁଇ ଭାଗ ବାହାର କରି ଅନୁମାନିତ ୫୦୦ ଗ୍ରାମ ମାଟି ପଲିଥିନ୍ ବ୍ୟାଗରେ ସଂରକ୍ଷଣ କରି ପରୀକ୍ଷାଗାରକୁ ପଠାଇବା ପ୍ରକ୍ରିୟା ବିଷୟରେ ଜଣାଇଥିଲେ। ଲ୍ୟାବରେ ମାଟିର ୧୨ ପ୍ରକାର ଦ୍ରବ୍ୟଗୁଣ ପରୀକ୍ଷା ପରେ ମୃତ୍ତିକାର ସଠିକ୍ ପରିଚୟ ଓ ପୋଷକତା ଅବସ୍ଥା ବିଷୟରେ ରିପୋର୍ଟ ମିଳିବ ବୋଲି ଅତିଥିମାନେ କହିଥିଲେ। ଏହା ସହ ପରବର୍ତ୍ତୀ ସମୟରେ ପୁଣିଥରେ ପ୍ରାୟୋଗିକ ତାଲିମ୍ ପାଇଁ ମାଟି ପରୀକ୍ଷା ଯନ୍ତ୍ର ଆଣି ବାଳିକାମାନଙ୍କୁ ହାତକଳମରେ ଶିକ୍ଷା ଦିଆଯିବ ବୋଲି ସୂଚନା ଦିଆଯାଇଥିଲା।

Leave A Reply

Your email address will not be published.