କେନ୍ଦ୍ରାପଡ଼ା:19/03(ପ୍ରଫୁଲ୍ଲ କୁମାର ମଲ୍ଲ) ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଏକ ଅଭାବନୀୟ ଓ ଚମକଦାର ଘଟଣା ଦେଖିବାକୁ ମିଳିଛି। ଭାଗବତ ପାରାୟଣ ସପ୍ତାହ ଅବସରରେ ବଣ୍ଟନ ହୋଇଥିବା ପ୍ରସାଦ ଡାଲମାରେ ବିଷାକ୍ତ ସାପ ପଡ଼ିଥିବା ଘଟଣା ପ୍ରକାଶ ପାଇବା ପରେ ସମଗ୍ର ଅଞ୍ଚଳରେ ଆତଙ୍କର ଲହରୀ ଖେଳିଯାଇଛି।ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୦ନମ୍ବର ୱାର୍ଡରେ ଭାଗବତ ପାରାୟଣ ସପ୍ତାହ ପାଳନ କରାଯାଉଥିଲା। ଏହି ଅବସରରେ ପ୍ରାୟ ୪୦୦ ଜଣ ଭକ୍ତଙ୍କ ପାଇଁ ପ୍ରସାଦ ରନ୍ଧା ହୋଇଥିଲା। ରାତ୍ରି ସମୟରେ ଲୋକମାନେ ପ୍ରସାଦ ସେବନ କରୁଥିବା ବେଳେ ହଠାତ୍ ଡାଲମା ହାଣ୍ଡି ଭିତରେ ଏକ ବିଷାକ୍ତ ସାପ ଦେଖାଯିବାରୁ ସମସ୍ତଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା।ଏହା ପରେ ‘କୋକୁଆ’ ଭୟରେ ଛୋଟ ଶିଶୁ ଠାରୁ ଆରମ୍ଭ କରି ମହିଳା ଓ ବୃଦ୍ଧମାନେ ପର୍ଯ୍ୟନ୍ତ ଶତାଧିକ ଲୋକ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଧାଇଯାଇଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦୦ରୁ ଅଧିକ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ଭୟଭୀତ ଅବସ୍ଥାରେ ଲୋକମାନେ ଚେକଅପ ପାଇଁ ଅପେକ୍ଷା କରୁଥିଲେ।ଡାକ୍ତରମାନଙ୍କ କହିବା ଅନୁସାରେ, ସାପ ଦଂଶନ ନ ହେଲେ କେବଳ ଖାଦ୍ୟରେ ସାପ ପଡ଼ିଥିଲେ ମାତ୍ର ତାହାର ବିଷ ମାନବ ଦେହରେ ପ୍ରବେଶ କରିବାର ସମ୍ଭାବନା ଅତ୍ୟନ୍ତ କମ୍। ତେଣୁ ଏହି ଘଟଣାରେ କୌଣସି ଲୋକ ଗୁରୁତର ହୋଇନଥିବା ସୂଚନା ମିଳିଛି। ତଥାପି ଡାକ୍ତରମାନେ ସତର୍କତା ସ୍ୱରୂପ ସମସ୍ତଙ୍କର ଚେକଅପ କରିଥିଲେ ଏବଂ ଲୋକମାନଙ୍କୁ ଆଶ୍ୱାସନା ଦେଇଥିଲେ।ଯଦିଓ କୌଣସି ଜୀବନହାନି ଘଟିନାହିଁ, ତଥାପି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଭୟ ଓ ଚର୍ଚ୍ଚାର ବିଷୟ ହୋଇରହିଛି। ଏକ ଛୋଟ ଅବହେଳା କେମିତି ଶତାଧିକ ଲୋକଙ୍କୁ ଆତଙ୍କିତ କରିପାରେ, ଏହି ଘଟଣା ସେଥିର ଜ୍ୱଲନ୍ତ ଉଦାହରଣ ହୋଇଉଠିଛି।
ସ୍ଥାନୀୟ ପ୍ରଶାସନ ଓ ସଂଗଠକ ମାନଙ୍କ ପାଇଁ ଏହି ଘଟଣା ଏକ ସତର୍କ ସଙ୍କେତ ଭାବେ ଦେଖାଯାଉଛି। ଆଗାମୀ ଦିନରେ ଏପରି ଘଟଣା ପୁନରାବୃତ୍ତି ନ ହେବା ପାଇଁ ଖାଦ୍ୟ ପ୍ରସ୍ତୁତି ଓ ପରିବେଶନରେ ବିଶେଷ ସାବଧାନତା ଅବଳମ୍ବନ କରିବାକୁ ସ୍ଥାନୀୟମାନେ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.