ଶ୍ରୀ ରଘୁନାଥଙ୍କ ଓଢଣ ଓ ପ୍ରାବରଣ ଷଷ୍ଠୀ

3

ଓଡଗାଁ,୨୬।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପ୍ରଭୁ ଶ୍ରୀରଘୁନାଥଙ୍କ ମାନବୀୟ ଲିଳା ଆଧାରରେ ବୁଧବାର ମାର୍ଗଶିର ଶୁକ୍ଳ ଷଷ୍ଠୀ ଶ୍ରବଣା ମକର ତିଥିରୁ ଘୋଡ଼ ଲାଗି ଆରମ୍ଭ ହୋଇଥିବା ବେଳେ ଶ୍ରୀପଞ୍ଚମୀ ପର୍ଯ୍ୟନ୍ତ ଏହା ଲାଗି ହେବାର ପରମ୍ପରା ରହିଛି । ପୃଥିବୀର ଘୃର୍ଣ୍ଣନ କ୍ରିୟା ଆଧାରରେ ଋତୁଚକ୍ରର ପରିବର୍ତନ ମନୁଷ୍ୟ ଜୀବନ ଚର୍ଯ୍ୟାରେ ପରିବର୍ତନ ଆଣିଥାଏ । ମନୁଷ୍ୟ ସମାଜର ମଙ୍ଗଳ ବିଧାନ ତଥା ଉଚିତ ଶିକ୍ଷା ପ୍ରଦାନ ଉଦେଶ୍ୟରେ ଯୁଗେ ଯୁଗେ ମହାତ୍ମାମାନେ ନାନାଦି ଅବତାରରେ ଧରାଧାମରେ ଅବତିର୍ଣ୍ଣ ହୋଇ ଯେଉଁ ମାର୍ଗ ଦର୍ଶନ କରିଛନ୍ତି, ପରବର୍ତି ସମୟରେ ତାହା ଅନ୍ୟମାନେ ଅନୁକରଣ କରିଥାନ୍ତି । ଶୀତଋତୁର ପ୍ରବେଶରେ ଶରୀରକୁ ଉଷ୍ମତା ପ୍ରଦାନ କରି ଶୀତରୁ ଦାଉରୁ ରକ୍ଷା କରିବା ପାଇଁ ପ୍ରଭୁଙ୍କ ଶ୍ରୀମୁଖକୁ ଛାଡି ସର୍ବାଙ୍ଗରେ ଘୋଡ଼ଲାଗି କରାଯାଇଥାଏ । ଓଢଣଷଷ୍ଠୀ ତଥା ପ୍ରାବରଣ ତିଥି ଠାରୁ ମାଘଶୁକ୍ଲ ବରଦା ଚତୁର୍ଥି ୨ମାସ ଧରି ଶ୍ରୀଜିଉମାନଙ୍କ ଠାରେ ଶୀତବସ୍ତ୍ର ଲାଗି କରାଯାଇଥାଏ । ଏବଂ ଶ୍ରୀପଞ୍ଚମୀ ଠାରୁ ଶ୍ରୀଜିଉ ମାନେ ପୁନଶ୍ଚ ପୁର୍ଣ୍ଣାଙ୍ଗ ବେଶରେ ଦର୍ଶନ ଦେବେ । ଆଜିଭୋର ସାଢେ୪ଟାରେ ମଙ୍ଗଳଆଳତି, ସ୍ନାନ, ଅବକାଶ, ପଂଚାମୃତସ୍ନାନ, ଦର୍ପଣୀସ୍ନାନ, ତଡପ ଲାଗି, ମଇଲମ, ଖଟଣ ନୀତି ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀଭାଗବତଜିଉ ପୂଜା, ବଲ୍ଲଭ ନୀତି ସହିତ କର୍ପୁର ଆଳତୀ, ଖେଚୁଡି ଧୂପ, ମହାଆଳତୀ ଓ ଚାମରସେବା ପରେ ଶ୍ରୀଜିଉଙ୍କ ଘୋଡଲାଗି ନୀତି ଅନୁଷ୍ଠିତ ହୋଇଥିଲା । ଆଜିର ପାଳିଆ ପଣ୍ଡା ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର ଓ କର୍ମକର୍ତ୍ତାଙ୍କ ସହିତ ମନ୍ଦିର ପରିଚ୍ଛା ଏବଂ ମନ୍ଦିର ପରିଚାଳକଙ୍କ ଦ୍ବାରା ଶୃଙ୍ଖଳାର ସହିତ ସମସ୍ତ ନୀତି ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.