ରୋହିବାଙ୍କ – ଚେମେଡି ରାସ୍ତାରୁ ୪କେଜି ବାରହା ମାଂସ ସହିତ ୨ ବାଇକ୍ ଜିଆଇ ତାର ଓ ମୋବାଇଲ୍ ଜବତ ସହିତ ୩ ଗିରଫ:

3

ଓଡ଼ଗାଁ,୨୧/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକଙ୍କ ନେତୃତ୍ୱରେ ବନପାଳ ସରିତା ବରାଳ ବନରଖି ସୌମ୍ୟ ରଞ୍ଜନ ଦଳେଇ, ଦିପ୍ତିମୟୀ ରାଉତଙ୍କ ସହିତ ସ୍କ୍ବାର୍ଡ ଦଳର କର୍ମଚାରୀ ମାନେ ମିଳିତ ଭାବେ ଶୁକ୍ରବାର ଅପରାହ୍ନରେ ରୋହିବାଙ୍କ – ଚେମେଡି ରାସ୍ତାରେ ଚଢ଼ାଉ କରି ୪କେଜି ସଦ୍ୟ କଟା ବାରହା ମାଂସ ସହିତ ୨ ବାଇକ, ୩କେଜି ଜିଆଇ ତାର, ଗୋଟିଏ ମୋବାଇଲ୍ ଫୋନ୍ ଏବଂ ୩୦ ବାଉଁଶ କିଳା ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଚେମେଡି ଗ୍ରାମର ତ୍ରିଲୋଚନ ନାୟକ(୪୦), ଚଢ଼େୟାପଲ୍ଲୀର ସିତୁ ପରିଡ଼ା (୨୬) ଏବଂ ରୋହିବାଙ୍କ ଲିଙ୍ଗା ଡାକୁଆ(୭୦)। ଓଆର ୨୫ ବି ୦୯୪୩ ନମ୍ବର ବିଶିଷ୍ଟ ବ୍ଳୁ କଲର୍ ବାଇକ୍ ଏବଂ ଓଡି ୨୫ ଡି ୮୧୯୩ ନମ୍ବର ବିଶିଷ୍ଟ ବ୍ଳାକ କଲର୍ ବାଇକରେ ଜବତ୍ ସାମଗ୍ରୀକୁ ନେଇ ଯାଉଥିବା ବେଳେ ବନବିଭାଗ ଅଧିକାରୀଙ୍କ ହାତରେ ଧରା ପଡ଼ିଥିଲେ । ମାଂସ ବିକ୍ରୀ କରି ରଖିଥିବା ୯୩୦ ଟଙ୍କା ମଧ୍ୟ ସେମାନଙ୍କ ଠାରୁ ଜବତ ହୋଇଛି । ବନବିଭାଗ ଓ ଆର ନମ୍ବର ୮୫ ଅଫ୍ ୨୦୨୫/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଛନ୍ତି । ସୂଚନା ଥାଉକି ଓଡ଼ଗାଁ ବନାଞ୍ଚଳ ଅଧିନସ୍ଥ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ନିକଟବର୍ତ୍ତୀ ସ୍ଥାନରେ ବିଦ୍ୟୁତ୍ ହୁକିଂ କରି ଜିଆଇତାର ବିଛାଇ ପ୍ରତିଦିନ ଶିକାରୀମାନେ ଉଦ୍ୟମ ଅବ୍ୟାହତ ରଖିଥିବା ବେଳେ ଏଥିରେ ହାତୀ, ଗୟଳ, ମଣିଷ ସହିତ ଅନ୍ୟାନ୍ୟ ପ୍ରାଣୀମାନେ ମୃତ୍ୟୁମୁଖରେ ପଡ଼ିବାର ସମ୍ଭାବନା ଦେଖାଯାଇଛି । ଶିକାର ରୋକିବା ପାଇଁ ବନବିଭାଗ ତରଫରୁ ପାଟ୍ରୋଲିଂ ଜାରି ରହିଥିବା ବେଳେ ଅଞ୍ଚଳ ବାସୀ ସହଯୋଗ କଲେ ଏହାକୁ ଅଧିକ ନିୟନ୍ତ୍ରଣ କରାଯାଇ ପାରିବ । ସାଧାରଣତଃ ହୁକିଂ କୌଣସି ସମୟରେ ସ୍ଥାନୀୟ ଲୋକେ ହିଁ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାର ସମ୍ଭାବନା ସହିତ ବାରମ୍ବାର ବିଦ୍ୟୁତ୍ କାଟ ହେବା ଫଳରେ ଅଞ୍ଚଳବାସୀଙ୍କୁ ହିଁ ଏହାର କଷ୍ଟ ଭୋଗ ଭୋଗ କରିବାକୁ ପଡିବ ।

Leave A Reply

Your email address will not be published.