ନିଖିଳ ଭାରତ ସମବାୟ ସପ୍ତାହ ପାଳିତ: ନୟାଗଡ଼ ସମବାୟରେ ସମନ୍ୱୟ ଅଭାବ,ପ୍ରଶ୍ନବାଣରେ ଘାଇଲା ବ୍ୟାଙ୍କ ସମ୍ପାଦକ

3

 ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ସମବାୟ ବିଭାଗ ଆନୁକୁଲ୍ୟରେ ଆଜି ସୃଜନ ସଭାଗୃହରେ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ ହୋଇଯାଇଛି । ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ସମବାୟ ଉପନିବନ୍ଧକ ଅନନ୍ତ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶିବ ନାରାୟଣ ସିଂ, ବାହାଡ଼ଝୋଲା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଅନୀଲ କୁମାର ରାଉତ, ସହକାରୀ ନିବନ୍ଧକ ପ୍ରାର୍ଥନା ପ୍ରିୟଦର୍ଶିନୀ, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ ଅଜୟ କୁମାର ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ରହିଥିଲେ । ସଭା ଆରମ୍ଭରୁ ଚାପା ଅସନ୍ତୋଷ ଓ ବାକବିତଣ୍ଡା ଦେଖିବାକୁ ମିଳିଥିଲା । ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତିଙ୍କ ଅନୁପସ୍ଥିତିକୁ ନେଇ ଅନେକ ପ୍ୟାକ୍ସ ସଭାପତି ପ୍ରଶ୍ନ କରିଥିଲେ । ଜନପ୍ରତିନିଧିଙ୍କୁ ଅସମ୍ମାନ କରାଯାଉଥିବା ଅଭିଯୋଗ ହୋଇଥିଲା । ଏପରିକି ମୁଖ୍ୟ ଅତିଥି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ମୁଖ୍ୟ ବକ୍ତା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଅନୁପସ୍ଥିତିରେ କିଭଳି ସଭା କରାଯିବ ବୋଲି ପ୍ରଶ୍ନ ଉଠାଇଥିଲେ । ଡିଆରସିଏସ୍ ଶ୍ରୀଯୁକ୍ତ ନାୟକ ସ୍ୱାଗତ ଅବିଭାଷଣ ରଖିବା ସମୟରେ ବିରୋଧ ମଧ୍ୟ କରାଯାଇଥିଲା ।

ସେହିଭଳି ଭାବେ ବ୍ୟାଙ୍କ ସମ୍ପାଦକ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ନୟାଗଡ଼ ପାଇଁ କଣ କରିଛ ବୋଲି ପ୍ରଶ୍ନ ଶୁଣିବାକୁ ମିଳିଥିଲା । ଋଣ ଲଗାଣ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ପ୍ୟାକ୍ସ ସଭାପତିମାନେ ସମ୍ପାଦକଙ୍କୁ ଘାଇଲା କରିଥିଲେ । ସଭାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଚାଷୀଙ୍କ ଅଭିବୃଦ୍ଧିରେ ସମବାୟ ସହାୟକ ହୁଏ ବୋଲି କହିଥିଲେ । ଉପଜିଲ୍ଲାପାଳ ସମବାୟରେ ସମନ୍ୱୟ ଅଭାବ ରହିଥିବା କହିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ନୟାଗଡ଼ ଜିଲ୍ଲାର ସମବାୟ ବିବାଦ ସମସ୍ତଙ୍କୁ ବ୍ୟଥିତ କରୁଥିବା କହିଥିଲେ । ଏହାକୁ ଆଲୋଚନା ଦ୍ୱାରା ସମାଧାନ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଖଣ୍ଡପଡ଼ା ବିଧାୟକ ଶେଷ ସମୟରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସମବାୟ ବିଭାଗର ସମସ୍ତ କର୍ମଚାରୀ ଓ ଅଧିକାରୀ ସହଯୋଗ କରିଥିଲେ । ଜିଲ୍ଲାର ଅଧିକାଂଶ ପ୍ୟାକ୍ସ ସଭାପତି, ସମ୍ପାଦକ ଓ ଡିଇଓ ସାମିଲ ହୋଇଥିଲେ ।

Leave A Reply

Your email address will not be published.